ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପାରଳା ପୌର ପରିଷଦର କନଫେରାନ୍ସ ହଲ ଠାରେ ଆଜି ପାରଳା ପୌର ପରିଷଦ ର ଦ୍ୱିତୀୟ ସାଧାରଣ ବୈଠକ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ବିଧାୟକଙ୍କ ପ୍ରତିନିଧି ଆଦର୍ଶ ଦାସ, ପୌର ପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ବୈଠକରେ ସହରର ପ୍ରତି ୱାର୍ଡର କାଉନସିଲର ଉପସ୍ଥିତ ରହି ନିଜ ୱାର୍ଡ ର ସମସ୍ୟା ଉପସ୍ଥାପନ କରିଥିଲେ । ବୈଠକରେ କାଉନସିଲର ମାନେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହେଲେ କାଉନସିଲରକୁ ଗୁରୁତ୍ୱ ଦିଆ ଯାଉନଥିବା ଅଭିଯୋଗ କରିଥିଲେ । ସାଂସଦ ଚନ୍ଦ୍ରଶେଖର ସାହୁ ପ୍ରତି ୱାର୍ଡର ଉନ୍ନତି ମୂଳକ କାର୍ଯ୍ୟ ହେଲେ କାଉନସିଲରଙ୍କୁ ଅବଗତ କରାଯିବା ସହ ପ୍ରକଳ୍ପ ପରିସମାପ୍ତି ପରେ ସେମାନଙ୍କର ଦସ୍ତଖତ ନିଆଯିବା ଆବଶ୍ୟକ ବୋଲି କହିଥିଲେ । ବିଭିନ୍ନ ପ୍ରକଳ୍ପ ପରିସମାପ୍ତି ପରେ ମଧ୍ୟ ବିଲ ହେଉ ନଥିବା ଅଭିଯୋଗ ହେଉଛି । ରାସନ କାର୍ଡ କେଉଁ ୱାର୍ଡ ରେ କେତେ ହିତାଧିକାରୀ ରାସନ ପାଉଛନ୍ତି କେତେ ମାସର ରାସନ ପାଉଛନ୍ତି ତାହାର ବିବରଣୀ ଯୋଗଣ ନିରୀକ୍ଷକ ଅବଗତ କରାଯାଉ ନଥିବା କାଉନସିଲର ମାନେ ଅଭିଯୋଗ ଆଣିଥିଲେ । ଜାଗା ମିଶନ ଯୋଜନା ଅନ୍ତର୍ଗତ ବସ୍ତି ଉଚ୍ଛେଦକରଣ ତଥା ବସ୍ତି ବାସିନ୍ଦାଙ୍କ ପୁନଃ ସ୍ଥାପନା କରିବା ସମ୍ପର୍କରେ ଆଲୋଚନା ଓ ନିଷ୍ପତ୍ତି, ପରିଷଦ ପରିସୀମାରେ ଥିବା ସମସ୍ତ ମୋବାଇଲ ଟାୱାରର ବାର୍ଷିକ ଟିକସ ଆଦାୟ ନିମନ୍ତେ ଆଲୋଚନା ଓ ନିଷ୍ପତ୍ତି, ସଫେଇ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀ କ୍ରୟ ଓ ମରାମତି ନିମନ୍ତେ ଆଲୋଚନା ଓ ନିଷ୍ପତ୍ତି, ପରିଷଦର ଏକ ସ୍ୱତନ୍ତ୍ର ପ୍ରତୀକ ଓ ମାସ୍କକୋଟ ନିମନ୍ତେ ଏକ କମିଟି ଗଠନ କରି ପ୍ରତିକର ସ୍ୱୀକୃତି ନିମନ୍ତେ ଆଲୋଚନା ଓ ନିଷ୍ପତ୍ତି, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ଓ ନିଷ୍ପତ୍ତି ହୋଇଥିଲା । ଅନୁଷ୍ଠିତ ବୈଠକରେ ପୌର ପରିଷଦ ଏମୀ ଯନ୍ତ୍ରୀ ବରିଷ୍ଠ କିରାଣୀ ପୌର ପରିଷଦ ର ବିଭିନ୍ନ କର୍ମଚାରୀ, ଜନସ୍ଵାସ୍ଥ୍ୟ ଅଧିକାରୀ, ବିଦ୍ୟୁତ ବିଭାଗୀୟ ଏସଡିଓ ପ୍ରମୁଖଙ୍କ ସହିତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।
ପାରଳାଖେମୁଣ୍ଡି ପୌର ପରିଷଦର ସାଧାରଣ ବୈଠକ !!!

