କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : କଣିହାଁ ବ୍ଲକ ବିକିସର ଗ୍ରାମରେ ମା ଗ୍ରାମଶ୍ରୀ ଦେବୀଙ୍କ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଦିନକ ପୂର୍ବରୁ ପିଢ ଯାଗାକୁ ଗ୍ରାମବାସୀଙ୍କ ସହଯୋଗରେ ସଫାସୁତୁରା କରି ରଙ୍ଗିନ କାଗଜରେ ସାଜସଜ୍ଜା କରାଯାଇଥିଲା । ଆଜି ସକାଳୁ ପୀଠ ସ୍ଥଳୀକୁ ଭଲ ଭାବରେ ଶୁଦ୍ଧପୁତ ଭାବରେ ଧୁଆ ଯାଇଥିଲା । ପିଢ ଠାରେ ଦେହୁରୀ ମନ୍ତ୍ର ପାଠ କରି ପୂଜାର୍ଚ୍ଚନା କରିଥିଲେ । ମନ୍ତ୍ର ପାଠ ସମୟରେ ଲୋକଙ୍କ ହରିବୋଲ ହୁଳହୁଳି ସାଙ୍ଗକୁ ଶଙ୍ଖ, ଘଣ୍ଟ ବାଜା ଅଞ୍ଚଳରେ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା । ପୂଜାକାର୍ଯ୍ୟ ସମ୍ପାଦନ ପରେ ସମସ୍ତ ଭକ୍ତ ମାନେ ପ୍ରସାଦ ସେବନ କରି ମା’ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ପୂଜା ଶେଷରେ ଗ୍ରାମଶ୍ରୀ ଦେବୀଙ୍କ ଆଶୀର୍ବାଦ ସ୍ଵରୁପ ବର୍ଷା ହୋଇଥିଲା । ଏହା ପରେ ଅନ୍ୟ ଏକ ପୀଠରେ ବନଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଏହି ପୂଜା କାର୍ଯ୍ୟରେ ଗୋବିନ୍ଦ ଚନ୍ଦ୍ର ଦେବତା, ସଦାନନ୍ଦ ଦେବତା, ଗୌରୀ ଶଙ୍କର ପତି, ଶ୍ୟାମସୁନ୍ଦର ପତି, ମୂରଲୀଧର ପତି, କୃଷ୍ଣଚନ୍ଦ୍ର ଦେବତା ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଟିପୋ ଗ୍ରାମରେ ଗ୍ରାମ ଦେବତୀଙ୍କ ଠାରେ ମଧ୍ୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ପୂଜାରେ ସମସ୍ତ ଗ୍ରାମବାସୀ ସହଯୋଗ କରି ପ୍ରସାଦ ସେବନ କରି ମା’ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।
ବିକିସର ଗ୍ରାମରେ ମା ଗ୍ରାମଶ୍ରୀ ଦେବୀଙ୍କ ବାର୍ଷିକ ଉତ୍ସବ !!!

