କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ନା କଥା କହି ପାରନ୍ତି ନା ଶୁଣି ପାରନ୍ତି । ଭଗବାନ ଏହି ଦୁଇଟି ଶକ୍ତିରୁ ସେମାନଙ୍କୁ ବଞ୍ଚିତ ରଖିଥିଲେ ମଧ୍ୟ ଅନ୍ୟ ମାନଙ୍କ ତୁଳନାରେ ସେମାନେ କିଛି କମ ନୁହଁନ୍ତି ବୋଲି ପ୍ରମାଣିତ କରିଛନ୍ତି କଟକ ଜିଲ୍ଲା ମୁକ ବଧିର ସଂଘର ସଦସ୍ୟ । ସହରର ବାତାବରଣ ବର୍ତ୍ତମାନ ଗଣେଶ ପୂଜାକୁ ନେଇ ସରଗରମ ହୋଇଥିବା ବେଳେ ଦିବ୍ୟାଙ୍ଗ ହୋଇ ମଧ୍ୟ ଦୃଢ଼ ମନୋବଳ ଦ୍ୱାରା ଏଥିରୁ ନିଜକୁ ବାଦ ରଖି ନାହାଁନ୍ତି ସଂଘର ସଦସ୍ୟ ମାନେ । ଦୃଢ଼ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସକୁ ନିଜର ପ୍ରେରଣା କରି ଏହି ସଂଘର ସଦସ୍ୟ ଗଢିଛନ୍ତି ଏକ ୧୫ ଫୁଟର ଗଣେଶ ମୂର୍ତ୍ତି । ୧୫ ଫୁଟର ଏହି ଗଣେଶ ମୂର୍ତ୍ତି ଯେତିକି ଆକର୍ଷଣୀୟ ହୋଇଛି ସେତିକି ଜୀବନ୍ତ ମଧ୍ୟ ଲାଗୁଛି । ଏହି ମୂର୍ତ୍ତି ମାଧ୍ୟମରେ ନିଜର ନିଖୁଣ କଳାକୃତିର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସମାଜକୁ ପ୍ରେରଣାର ଏକ ବାର୍ତ୍ତା ଦେଇଛନ୍ତି ଏହି ଦିବ୍ୟାଙ୍ଗ ମାନେ ।
ଶ୍ରୀ ଗଣେଶ ପୂଜା କୁ ନେଇ ସହର ବେଶ ଚଳଚଞ୍ଚଳ ହେବା ସହ ପୂଜାର ମଜା ନେଉଛନ୍ତି ସହରବାସୀ । ତେବେ ହିନ୍ଦୁଙ୍କର ଏହି ପାରମ୍ପରିକ ପର୍ବକୁ ନେଇ କଟକ ତୁଳସୀପୁର ସ୍ଥିତ ଜିଲ୍ଲା ମୁକବଧିର ସଂଘ ମଧ୍ୟ ଏବେ ଉତ୍ସବମୁଖର ହୋଇ ଉଠିଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏଠାରେ ଗଣେଶ ପୂଜା ମହା ଆଡମ୍ବରରେ ପାଳିତ ହେଉଛି । ଯେଉଁଥିରେ ପ୍ରମୁଖ ଭୂମିକା ସଂଘ ସଦସ୍ୟ ତଥା ପିଲାମାନେ ତୁଲାଇଥାନ୍ତି । ପୂଜାର ସମସ୍ତ ଆୟୋଜନ ଏମାନଙ୍କ ଦ୍ୱାରା ହୋଇଥାଏ । ଗତ ଦୁଇବର୍ଷ ଧରି ପୂଜା ମାହୋଲ ଫିକା ପଡିଥିବା ବେଳେ ଚଳିତବର୍ଷ ଖୁବ ଧୂମଧାମରେ ପୂଜା ପାଳନ ହେଉଛି । ଯାହାକୁ ନେଇ ସଂଘ ସଦସ୍ୟଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ସଂଘରେ ପୁଅ ଝିଅ ମିଶି ମୋଟ ୪୫୦ ରୁ ଉର୍ଦ୍ଧ ପିଲା ଅଛନ୍ତି । ଏହା ବ୍ୟତୀତ ବିଗତ ୨୫ ବର୍ଷ ଧରି ଜିଲ୍ଲାର ଦିବ୍ୟାଙ୍ଗ ପିଲା ଏହି ପୂଜାରେ ଭାଗ ନେଉଥିବାରୁ ଏହି ପୂଜାର ଖାସ ପରିଚୟ ରହିଛି । ନିଜ ପ୍ରୟାସ ଦ୍ୱାରା ଏହି ପୂଜାକୁ ଉତ୍ସବମୁଖର କରୁଥିବା ପିଲା ନା କଥା କହି ପାରନ୍ତି ନା ଶୁଣି ପାରନ୍ତି । ହେଲେ ଏହା ପ୍ରତିବଦଳରେ ଈଶ୍ୱର ଏମାନଙ୍କୁ ଏକ ଭିନ୍ନ ଓ ନିଆରା କାର୍ଯ୍ୟ ସମ୍ପାଦନ କ୍ଷମତା ପ୍ରଦାନ କରିଛନ୍ତି । ନିଜ ଅନୁଷ୍ଠାନର ପୂଜା ପାଇଁ ଏମାନେ କାହାର ସହଯୋଗ ଲୋଡନ୍ତି ନାହିଁ । ମୂର୍ତ୍ତି ଗଢିବାରେ ଏମାନଙ୍କର ଅଭୂତ ଦକ୍ଷତା ରହିଛି । ଯାହାକୁ ପ୍ରମାଣ କରୁଛି ଏମାନଙ୍କ ଦ୍ୱାରା ନିର୍ମିତ ଚଳିତ ବର୍ଷର ୧୫ ଫୁଟର ଗଣେଶ ମୂର୍ତ୍ତି । ନିଜ ମୂର୍ତ୍ତି ଏମାନେ ନିଜେ ନିର୍ମାଣ କରନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ମୂର୍ତ୍ତି ନିର୍ମାଣ ପାଇଁ ଏମାନଙ୍କୁ କୌଣସି ସ୍ୱତନ୍ତ୍ର ତାଲିମ ମିଳିନାହିଁ । ମୂର୍ତ୍ତି ନିର୍ମାଣ ସମୟରେ ମଧ୍ୟ କୌଣସି ଶିଳ୍ପୀର ସହାୟତା ଏମାନେ ନିଅନ୍ତି ନାହିଁ । ପୂର୍ବରୁ ବିଭିନ୍ନ ମୂର୍ତ୍ତିର ଫଟୋଚିତ୍ର ଦେଖି ମୂର୍ତ୍ତି ନିର୍ମାଣ କରୁଥିଲେ । ହେଲେ ଏବେ ଇଣ୍ଟରନେଟ ଯୁଗ ହୋଇଥିବାରୁ ମୋବାଇଲ ମାଧ୍ୟମରେ ଅନଲାଇନରେ ମୂର୍ତ୍ତି ଦେଖି ନିର୍ମାଣ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଯେହେତୁ କଥା କହିବା ଓ ଶୁଣିବା ଶକ୍ତି ଏମାନଙ୍କର ନାହିଁ ଏଣୁ ସଂକେତର ଆଦାନ ପ୍ରଦାନ ମାଧ୍ୟମରେ ଜଣେ ଆଉ ଜଣଙ୍କ ଚିନ୍ତାଧାରା ଓ ଉଦ୍ଦେଶ୍ୟକୁ ବୁଝି ମୂର୍ତ୍ତି ନିର୍ମାଣ କାର୍ଯ୍ୟ କରନ୍ତି । ସଂଘର କିଛି ସଦସ୍ୟ ଆଇଟିଆଇ କଲେଜରେ ଅଧ୍ୟୟନ କରୁଥିବା ବେଳେ ନିଜ ଶିକ୍ଷାନୁଷ୍ଠାନରୁ କିଛି ଭିନ୍ନ କୌଶଳ ଶିଖି ଏମାନେ ଏହାକୁ ନିଜ ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ବିନିଯୋଗ କରିଥାନ୍ତି । ପ୍ରାୟ ୨୫ବର୍ଷ ହେବ ନିଜ ଦ୍ୱାରା ନିର୍ମିତ ମୂର୍ତ୍ତିରେ ଏହି ପର୍ବ ପାଳନ କରି ଆସୁଛନ୍ତି । ମୂର୍ତ୍ତି ନିର୍ମାଣରେ ରତନ ସେନ, ବାଲୁଙ୍କେଶ୍ୱର ବେହେରା ଓ ନୀଳକଣ୍ଠ ଦାସଙ୍କ ସମେତ ଅନ୍ୟ ପିଲାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେହିଭଳି ସଂଘ ଚେୟାରମ୍ୟାନ ସଞ୍ଜୟ ଦାସ, ଭାଇସ ଚେୟାରମ୍ୟାନ ଅଭି ମହାନ୍ତି, ସମ୍ପାଦକ ସଞ୍ଜୟ ମହାପାତ୍ର, ଜିତେନ୍ଦ୍ର ନନ୍ଦ, ଦିଲ୍ଳୀପ ସାହୁ ପୂଜାର ପ୍ରତିଟି କାର୍ଯ୍ୟରେ ଗୁରୁ ଦାୟିତ୍ବ ବହନ କରନ୍ତି । ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ ସମୟ ଧରି ଏଠାରେ ଗଣେଶ ପୂଜା ପାଳନ ହେଉଥିବା ବେଳେ ଚଳିତ ବର୍ଷ ଦିବ୍ୟାଙ୍ଗ ଦ୍ୱାରା ନିର୍ମିତ ହୋଇଥିବା ୧୫ ଫୁଟର ଗଣେଶ ମୂର୍ତ୍ତି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।