କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବିପଦରେ ସେକ୍ଟର ୮ର ଫରେଷ୍ଟ ପାର୍କ ! ବନ୍ୟ ବିଭାଗର ଅବହେଳା ଓ ଅପାରଗତା ଯୋଗୁଁ , ସିଡିଏ ସେକ୍ଟର – ୮ ଫରେଷ୍ଟ ପାର୍କ ଲୀନ ହେବାକୁ ଲାଗିଛି ! ବସ୍ତି ବାସିନ୍ଦା ମାନଙ୍କ କବଜାରେ ଏବେ ଫରେଷ୍ଟ ପାର୍କ । କାଠ ମାଫିଆଙ୍କ କବଜାରେ ସରକାରୀ ଜଙ୍ଗଲ, ଦିନ ଦ୍ବିପ୍ରହରରେ ଲୁଟ ହେଉଛି କାଠ । ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ସରକାରୀ ରାଜକୋଷରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟ ବରଦାରେ ଅନେକ ସ୍ଥାନରେ ଜଙ୍ଗଲ ସୃଷ୍ଟି ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନର ଅପାରଗତା କାଠ ମାଫିଆଙ୍କୁ ସରକାରୀ ଜଙ୍ଗଲ ଲୁଟ କରିବା ପାଇଁ ପ୍ରଶୟ ଦେଉଛି । ଏଭଳି ଘଟଣା ସାମ୍ନାକୁ ଆସିଛି ସାଟେଲାଇଟ ସିଟି ମର୍କତନଗର ଅଞ୍ଚଳରେ । ଆଉ ଏହି କାଠ ମାଫିଆ ସ୍ପଷ୍ଟ ଦିବାଲୋକରେ ଜଙ୍ଗଲ ହରିଲୁଟ କରୁଥିବା ବେଳେ କିଛି ନ ଜାଣିବା ପରି ଛପି ବସିଛି ସ୍ଥାନୀୟ ପ୍ରଶାସନ । ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ନିୟନ୍ତ୍ରଣ ତଥା ସ୍ଥାନୀୟ ଅଞ୍ଚଳର ବାତାବରଣ ସ୍ୱାସ୍ଥ୍ୟକର ସହ ଅଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମର୍କତନଗର ସିଡିଏ ଅଞ୍ଚଳର ସେକ୍ଟର ୮ ରେ ବନ ବିଭାଗ ଦାୟିତ୍ୱରେ ଏହି ଫରେଷ୍ଟ ପାର୍କ ସୃଷ୍ଟି ହୋଇଥିଲା । ଏହି ପାର୍କର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ଦାୟିତ୍ବ ବନ ବିଭାଗ ହାତରେ । ଉକ୍ତ ପାର୍କ ମଧ୍ୟରେ ଥିବା ଗଛ ଗୁଡିକ ସାଧାରଣତଃ ଖରାଦିନେ ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ଗ୍ରୀଷ୍ମ କୋପରୁ ବହୁଳ ଭାବେ ଆଶ୍ବସ୍ତି ଦେଇଥାଏ । ଏହା ସହ ସ୍ଥାନୀୟ ଅଞ୍ଚଳରେ ଏହି ଜଙ୍ଗଲରୁ ମିଳୁଥିବା ସ୍ୱଚ୍ଛ ବାୟୁ ପାଇଁ ମଧ୍ୟ ଉକ୍ତ ପାର୍କ ବେଶ ଚର୍ଚ୍ଚିତ । ହେଲେ ସ୍ଥାନୀୟ ପ୍ରଶାସନ ଏବଂ ବନ ବିଭାଗ ଅପାରଗତା ଯୋଗୁଁ ଏହି ପାର୍କ ଏବେ ଧୀରେ ଧୀରେ କାଠ ମାଫିଆଙ୍କ କବଜାକୁ ଯାଉଛି । ସ୍ପଷ୍ଟ ଦିବା ଲୋକରେ ଏହି ଜଙ୍ଗଲ ଭିତରକୁ ପ୍ରବେଶ କରି ଅନେକ ବ୍ୟକ୍ତି ବେଧଡକ ଭାବେ ବଡ଼ ବଡ଼ ଗଛ ଗୁଡିକୁ କାଟି ବୋହି ନେଉଛନ୍ତି ।
ବିପଦରେ ସିଡିଏ ସେକ୍ଟର ୮ ର ଫରେଷ୍ଟ ପାର୍କ !!!

