କାହା ସ୍ୱାର୍ଥ ରେ ‘ ମହାପ୍ରୟାଣ ’ ଗାଡି ବ୍ୟବସ୍ଥା : ମୃତଦେହ ନେବାକୁ ଲୋକେ ହନ୍ତସନ୍ତ ହେଉଛନ୍ତି !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ଘଟିଲେ ମୃତଦେହ ନିଜ ଘରକୁ ନେବା ପାଇଁ ଶବ ବାହକ ଗାଡି ନଥିବା ଅଭିଯୋଗ ହୋଇଛି । ମୁଖ୍ୟ ଡାକ୍ତରଖାନା ମଧ୍ୟରେ ତିନୋଟି ଜରୁରୀକାଳୀନ ସେବା ପାଇଁ ଆମ୍ବୁଲାନ୍ସ ଗାଡି ରହିଛି । ସେଥି ମଧ୍ୟରୁ ଗୋଟିଏ ବହୁଦିନ ହେଲା ଅଚଳାବସ୍ଥାରେ ପଡ଼ିରହିଛି । ଅନ୍ୟ ଦୁଇଟି ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏ ଦୁର୍ଘଟଣା ଜନିତ ଓ ଅନ୍ୟଟି ମହିଳାଙ୍କ ଜରୁରୀକାଳୀନ ସେବା ପାଇଁ ନିୟୋଜିତ ରହିଛି । କିନ୍ତୁ ରୋଗୀଙ୍କ ମୃତ୍ୟୁ ଘଟିଲେ, ଉକ୍ତ ଦୁଇଟି ଆମ୍ବୁଲାନ୍ସ ମଧ୍ୟରୁ ଖାଲି ଥିବା ଗୋଟିଏ ଆମ୍ବୁଲାନ୍ସ ଉପରେ ନିର୍ଭର କରିବାକୁ ପଡୁଛି । ଯାହାଫଳରେ ଶବ ନେବାପାଇଁ ପରିବାର ଲୋକେ ବହୁ ସମସ୍ୟାର ସମୁଖିନ ହେଉଛନ୍ତି । ଫୁଲବାଣୀ ପୌରପରିଷଦ ପକ୍ଷରୁ ଶବ ନେବାପାଇଁ ‘ମହାପ୍ରୟାଣ’ ନାମକ ଏକ ଗାଡିର ବ୍ୟବସ୍ଥା କରାଯାଇଥିଲା । ଉକ୍ତ ମହାପ୍ରଣୟ ଗାଡିଟି ଗତ ୬ ମାସ ତଳେ ଶବନେଇ ତୁମୁଡିବନ୍ଧରୁ ଯାଇ ଫେରୁଥିବା ବେଳେ ଦୁର୍ଘଟଣାର ସମୁଖିନ ହୋଇଥିଲା । ସେହିଦିନ ଠାରୁ ପୌର ପରିଷଦର ମହାପ୍ରୟାଣ ଗାଡି ଅଚଳ ଅବସ୍ଥାରେ ରହିଛି । ଦୀର୍ଘ ମାସ ଧରି ଗାଡିଟି ଅଚଳ ହୋଇ ପଡି ରହିଥିଲେ ମଧ୍ୟ ଜିଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ କିମ୍ବା ପୌର ପରିଷଦର କୌଣସି କର୍ମକର୍ତ୍ତା ପଦକ୍ଷେପ ଗ୍ରହଣ କରୁନଥିବାରୁ ଜନ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । ଜିଲ୍ଲାପାଳ , ମୁଖ୍ୟ ଚିକିତ୍ସାଧିକାରୀ , ପୌର ପରିଷଦର ନିର୍ବାହି ଅଧିକାରୀ । ତୁରନ୍ତ ଶବ ବାହକ ଗାଡିକୁ ସଚଳ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ଓ ସଚେତନ ବରିଷ୍ଠ ନାଗରିକ ସଂଘ ର କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave a Reply

Your email address will not be published. Required fields are marked *