ଲୋକାର୍ପିତ ହେଲା ” କେତେ ସୁରକ୍ଷିତ ଆମ ଭବିଷ୍ୟତ ” ପୁସ୍ତକ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଲୋକାର୍ପିତ ହେଲା ” କେତେ ସୁରକ୍ଷିତ ଆମ ଭବିଷ୍ୟତ ” ପୁସ୍ତକ ! ଭୂବନେଶ୍ବରର ଲୋହିଆ ଏକାଡେମୀ ପ୍ରକାଶନ ଦ୍ବାରା ପ୍ରକାଶିତ ଓ ବିଶିଷ୍ଟ ପରିବେଷବିତ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରାଙ୍କ ଦ୍ବାରା ଲିଖିତ ପୁସ୍ତକ – ଆମ ଭବିଷ୍ୟତ କେତେ ସୁରକ୍ଷିତ ଆଜି କଟକ ଗାନ୍ଧୀ ଭବନ ପରିସରରେ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର ଖାରବେଳ ମହାନ୍ତି ପୁସ୍ତକର ସମୀକ୍ଷା କରି କହିଲେ ଯେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଜଳବାୟୁ ପ୍ରଦୂଷଣକୁ ନେଇ ହୋଇଥିବା ଯୋଜନା ଓ ଷଡଯନ୍ତ୍ର ମାନଙ୍କ ବାବଦରେ ସାମନ୍ତରା ତଥ୍ୟ ଆଧାରିତ ଆଲେଖ୍ଯ ମାନ ଲେଖିଛନ୍ତି । ଏଥିସହ ସାମ୍ପ୍ରଦାୟିକତା , ସରକାରୀ ନୀତି , ଗାନ୍ଧୀ ବିଚାର ବିରୋଧୀ ଭାରତ ନିର୍ମାଣ ପାଇଁ ହୋଇଥିବା ଅପଚେଷ୍ଟା ମାନଙ୍କ ବାବଦରେ ପୁସ୍ତକରେ ଅନେକ ଅଜଣା ତଥ୍ୟ ସାମିଲ ଥିବା ପ୍ରଫେସର ମହାନ୍ତି ମତ ଦେଇଥିଲେ । ଗ୍ରେଟା ଥମବର୍ଗ ଭଳି ଛୋଟ ଝିଅଟିଏ ଯଦି ପୃଥିବୀର ପରିବେଶ ବଞ୍ଚାଇବା ପାଇଁ ପଣ କରିପାରୁଛି ତେବେ ଆମେମାନେ ସରକାର ଓ କର୍ପୋରେଟର କବଳରୁ ସଂଗ୍ରାମ ମାଧ୍ୟମରେ ଆମ ଜଳ, ଜଙ୍ଗଲ ଓ ଜମିକୁ କାହିଁକି ଉଦ୍ଧାର କରିପାରିବା ନାହିଁ , ଲେଖକ ଶ୍ରୀ ସାମନ୍ତରା ନିଜ ବକ୍ତବ୍ଯ ମାଧ୍ୟମରେ ପ୍ରଶ୍ନ ଉତଥାପନ କରିଥିଲେ । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଲୋହିଆ ଏକାଡେମୀର ସମ୍ପାଦକ ଦେବ ପ୍ରସାଦ ରାୟ, ସମାଜବାଦୀ ନେତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତି, ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ଡାଃ ବିଶ୍ବଜିତ, କଟକ ଜିଲ୍ଲା ସର୍ବୋଦୟ ମଣ୍ଡଳୀର ସଭାପତି ବିଶ୍ବଜିତ ସୂର୍ଯ୍ୟବଂଶୀ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ ପ୍ରଶାନ୍ତ ଜେନା, କବି ଶୈଳଜ ରବି, ସଂଗ୍ରାମ କୁମାର ମଲ୍ଲିକ, କବୀର ଜେନା, କାଶୀନାଥ ସ୍ବାଇଁ, ଦୀପିୟନ ପଟ୍ଟନାୟକ, ଯୁଗଳ କିଶୋର ନାୟକ, ସେକ କଲିମୁଲ୍ଲା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କଟକର ମହାନଦୀ ପୂଜନ କମିଟି, ସ୍ବପ୍ନ ଫାଉଣ୍ଡେସନ, କଲ୍ଯାଣୀ ଚାରିଟେବଲ ଟ୍ରଷ୍ଟ, ସିଲଭର ସିଟି, ସେଣ୍ଟ ଜନ୍ସ ଆମ୍ବୁଲାନ୍ସ କଟକ ଜିଲ୍ଲା, ସାଇନ ଆଣ୍ଡ ସନ୍ଧ୍ୟା, କଟକ ସେବା ଫାଉଣ୍ଡେସନ, ମହାବୀର ସେବା ସମିତି, ଏଇତ ଜୀବନ, ସୁବାଷ ସଂଗଠନ, ବାଉନ ବଜାର ତେପନ ଗଳି ଚାରିଟେବଲ ଟ୍ରଷ୍ଟ , କିପ ସ୍ମାଇଲିଙ୍ଗ ଚାରିଟେବଲ ଟ୍ରଷ୍ଟ , ଗଡଗଡିଆ ଖଟିର କର୍ମକର୍ତ୍ତା ମାନେ ଓଡିଶାର ମହାନଦୀ ସୁରକ୍ଷା ପାଇଁ ଗାନ୍ଧୀ ଓ ସର୍ବୋଦୟ ଆନ୍ଦୋଳନରେ ସାମିଲ ହେବାପାଇଁ ଏହି ସଭାରେ ଶପଥ ଗ୍ରହଣ କରିଥିଲେ । ଶେଷରେ ଉତ୍କଳ ସର୍ବୋଦୟ ମଣ୍ଡଳୀର କର୍ମକର୍ତ୍ତା ମିହିର ପ୍ରତାପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *