ବୋଲଗଡ ( ଆୱାଜ ମିଡିଆ ) – ଗଙ୍ଗାଧର ସାହୁ : ବୋଲଗଡ ବ୍ଲକ ଅନ୍ତର୍ଗତ ସାଗରୁଗାଁ ସ୍ଥିତ ଅଲଟ୍ରା ଭିନ୍ନକ୍ଷମ ଶିକ୍ଷାନୁଷ୍ଠାନ ଠାରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ସୂର୍ଯ୍ୟୋଦୟ ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମ ପ୍ରତିପାଦନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଯୋଗ ପ୍ରାଣାୟମ ହୋଇଥିବା ବେଳେ ଦିତୀୟ ପର୍ଯ୍ୟାୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ବୟୋଜ୍ଯଷ୍ଠ ନାଗରିକ ମାନଙ୍କୁ ନେଇ ସଚେତନତା ଦୃଷ୍ଟିରୁ ଗ୍ରାମ୍ଯ ପରିକ୍ରମା କାର୍ଯ୍ୟକ୍ରମ ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ, ଅନ୍ତେବାସୀ ଓ ତାଲିମ ନେଉଥିବା ଶିକ୍ଷାର୍ଥୀ ଓ ବୟୋଜ୍ଯଷ୍ଠ ନାଗରିକ ମାନଙ୍କୁ ନେଇ ମୁକ୍ତାକାଶରେ କାର୍ଯ୍ୟକ୍ରମ ହୋଇଥିଲା । ଯେଉଁଥିରେ ବିଭିନ୍ନ ପ୍ରତିଯୋଗିତା ଓ ବୟୋଜ୍ଯଷ୍ଠ ନାଗରିକ ମାନେ ନିଜ ଜୀବନର ବାର୍ତ୍ତାଳାପ ଅନୁଭୂତି ପ୍ରକାଶ କରି ସୁଖଦୁଃଖକୁ ସମସ୍ତଙ୍କୁ ବାଣ୍ଟି ଜୀବନର ଶେଷାର୍ଦ୍ଧରେ କିଭଳି ବଞ୍ଚିବାର ରାହା ପାଇଛନ୍ତି ତାହା ଉପରେ ଆଲୋଚନା କରିଥିଲେ । ଅନୁଷ୍ଠାନର ଏ ଠୁ ଜେଡ ପର୍ଯ୍ୟନ୍ତ ସାମୁହିକ ଭୋଜନ କରି ସମସ୍ତେ ଗୋଟିଏ ପରିବାରର ବୋଲି ଅନୁଭବ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିଜର ଆନ୍ତରିକ ପରିବାର ବର୍ଗଙ୍କ ଠାରୁ ଦୁରେଇ ରହିବାର ଦୁଃଖ ଲାଘବ କରିଥିଲେ ବୋଲି ପ୍ରକାଶ କରିଥିଲେ । ତୃତୀୟ ପର୍ଯ୍ୟାୟରେ ଅପରାହ୍ନ ସମୟରେ ମଞ୍ଚ କାର୍ଯ୍ୟକ୍ରମରେ ପ୍ରଥମେ ଜଗନ୍ନାଥ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି ସଭାକାର୍ଯ୍ୟ ଆଗେଇ ନେଇଥିଲେ । ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ କାଳିଚରଣ ଜୟସିଂହ, ମୁଖ୍ୟବକ୍ତା ଭାବେ ଆଡଭୋକେଟ ପ୍ରଦୀପ କୁମାର ପଟ୍ଟନାୟକ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁବାଷ ଚନ୍ଦ୍ର ରାଇଗୁରୁ, ବ୍ଲକ ଚେୟାରମ୍ୟାନ୍ ଉଲ୍ଲାସ ପ୍ରଧାନ, ବାଙ୍କୋଇ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ସୁବ୍ରତ ଜେନା, ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ, ସ୍ଥାନୀୟ ସରପଞ୍ଚ ରମାମଣି ଦେଇ ଉପସ୍ଥିତ ଥିବା ସମୟରେ ଅନୁଷ୍ଠାନର ପରିଚାଳନା ସଭାପତି ବ୍ରାହ୍ମଚାରୀ ରାୟଗୁରୁ ସଭାକୁ ପରିଚାଳନା କରିଥିଲେ । ଉକ୍ତ ସଭାରେ ବରିଷ୍ଠ ନାଗରିକ ମାନଙ୍କୁ ଆଶାବାଡି, ଚଷମା , ହୁଇଲଚେୟାର ଅତିଥି ମାନଙ୍କ ଦ୍ବାରା ବିତରଣ କରାଯାଇଥିଲା । ମୁଖ୍ୟ ବକ୍ତା ତାଙ୍କ ବକ୍ତବ୍ଯରେ ଗୋଟିଏ ହସଖୁସିର ପରିବାର ଚଳେଇବାକୁ ହେଲେ ଶାଶୁ ଶଶୁର ମାନେ ବୋହୁକୁ ଝିଅ ଭଳି ଏବଂ ବୋହୁମାନେ ମଧ୍ୟ ଶାଶୁ ଶଶୁର ମାନଙ୍କୁ ନିଜର ପିତାମାତା ଭାବେ ମାନିବା ଦରକାର ବୋଲି ପ୍ରକାଶ କରିଥିଲେ । ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଆସନ୍ତା ବର୍ଷ ଅନୁଷ୍ଠାନର ଏହି ଉତ୍ସବକୁ ବହୁତ ଧୂମଧାମରେ ପାଳନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ପରିଶେଷରେ ଅନ୍ତେବାସୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ !!!

