କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଗ୍ରାମ ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ହୋଇଯାଇଛି ସ୍ୱତନ୍ତ୍ର ଗ୍ରାମସଭା ବୈଠକ ! ଆଜି ସ୍ବଚ୍ଛତାର ପ୍ରତୀକ, ଅହିଂସାର ପ୍ରତୀକ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଜୟନ୍ତୀ ଅବସରରେ କଣିହାଁ ବ୍ଲକ ସମଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରକାରଙ୍କ ନିର୍ଦ୍ଧାରିତ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ସଭା ପୂର୍ବରୁ ସରପଞ୍ଚ ସ୍ବଚ୍ଛତାର ଅଭିଯାନ ର ଶୁଭାରମ୍ଭ କରିଥିଲେ । ନିଜେ ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା ଝାଡ଼ୁ ମାରି ଜଗନ୍ନାଥ ମନ୍ଦିର ସମୁଖ ରାସ୍ତାକୁ ସଫା କରି ଅନ୍ୟମାନଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି । ଏଥିରେ ଗ୍ରା.ପ.ର ଏସଏଚଜି ମହିଳା , ଆଶା ଦିଦି, ଅଙ୍ଗନବାଡ଼ି କର୍ମୀମାନେ ସାମିଲ ଥିଲେ । ଏହା ପରେ ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଳ ଅର୍ପଣ କରାଯାଇ ଦୀପ ପ୍ରଜ୍ବଳନ କରାଯାଇଥିଲା । ଏହି ସଭାରେ ସମଲ ଗ୍ରାମ ପଞ୍ଚାୟତର ବିକିସର ଓ କେଶବପୁର ଗ୍ରାମକୁ ବାହ୍ୟ ମଳ ମୁକ୍ତ ଗ୍ରାମ ଘୋଷଣା କରିବା ସହିତ ଆବର୍ଜନା ମୁକ୍ତ କରି ଗ୍ରାମକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ । ବିଶେଷ କରି ବାଲ୍ୟବିବାହ ମୁକ୍ତ ପଞ୍ଚାୟତ ଗଠନ ପାଇଁ ମଧ୍ୟ ଶପଥ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଜିତେନ୍ଦ୍ର ବେହେରା, ନାଏବ ସରପଞ୍ଚ ଧରିତ୍ରୀ ପ୍ରଧାନ, ସହକାରୀ ଯନ୍ତ୍ରୀ ଲାସା ମାରାଣ୍ଡି, ଜିପିଓ ରଶ୍ମିରେଖା ନାଏକ, ଗ୍ରାମ ରୋଜଗାର ସେବକ ସରୋଜ ସାହୁ, ପ୍ରାଣୀ ଚିକିତ୍ସକ ଦୁର୍ଗାପ୍ରସାଦ ସାହୁ, ଏମବିକେ, ଅଙ୍ଗନବାଡ଼ି , ସୁପରଭାଇଜର , ଓ୍ବାର୍ଡ ସଭ୍ୟ ସିଲୁମନ ପ୍ରଧାନ, ପାଟ ନାୟକ ଓ ଗ୍ରାମ ପଞ୍ଚାୟତର ବୁଦ୍ଧିଜୀବୀ, ମହିଳା ଆଦି ଯୋଗ ଦେଇଥିଲେ ।