ସାରସ୍ବତ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ର ଏକାଧାରାରେ ଜଣେ ଆଦର୍ଶ ଶିକ୍ଷକ, ଶିକ୍ଷାବିତ , ନିସ୍ବାର୍ଥପର ଜନସେବକ, ପ୍ରବୀଣ ରାଜନୀତିଜ୍ଞ ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ର ଏକନିଷ୍ଠ ପୂଜାରୀ ଭାବରେ ଏକ ଉତ୍ତୁଙ୍ଗ ଶାସନର ଅଧିକାରୀ । ତାଙ୍କର କାନ୍ତ, କୋମଳ, ଭାବମୟ ତଥା ମଧୁମୟ ଗାଥା ଓ ଗୀତିକବିତା ମାନ ଯୁଗେ ଯୁଗେ ଆମ ସାହିତ୍ୟର ଅମୂଲ୍ୟ ଓ ଅକ୍ଷୟ ସମ୍ପଦ । କବିପ୍ରାଣର ଅନନ୍ତ ବିସ୍ତୁତି, ଜୀବନର ଉଦାରତା, ମାନବତାର ଐଶ୍ଚର୍ଯ୍ୟ ଓ ଉତ୍ତୁଙ୍ଗ ଜୀବନାଦର୍ଶରେ ସମୁଜ୍ଜଳ ତାଙ୍କର କାବ୍ୟ ସାହିତ୍ୟ ଅନନ୍ୟ ଓ ଅତୁଳନୀୟ । ସେ ୨୬ ଅକ୍ଟୋବର ୧୮୮୬ ମସିହା ପୁରୀ ଜିଲ୍ଲା ବାଣପୁର ର ଶ୍ରୀନିବାସପୁର ଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଲିଙ୍ଗରାଜ ମିଶ୍ର ଓ ମାତା ଙ୍କ ନାମ ଅପସରା ଦେବୀ । ତାଙ୍କର ପ୍ରାଥମିକ ଶିକ୍ଷା ଗ୍ରାମ ସ୍କୁଲ ରେ ସମାପ୍ତ ହୋଇଥିଲା, ପରବର୍ତ୍ତୀ ସମୟରେ ପୁରୀ ଜିଲ୍ଲା ସ୍କୁଲରେ ତାଙ୍କର ଉଚ୍ଚଶିକ୍ଷା ସମାପ୍ତ ହୋଇଥିଲା । ସେ ୧୯୧୦ ରେ ରେଭେନ୍ସା ମହାବିଦ୍ୟାଳୟରୁ ଦାର୍ଶନିକ ବିଭାଗରେ ସ୍ନାତକ ଡ଼ିଗ୍ରୀ ହାସଲ କଲେ । ୧୯୧୨ ମସିହାରେ କଲିକତା ବିଶ୍ବବିଦ୍ୟାଳୟ ରୁ ଅର୍ଥନୀତି ବିଭାଗରେ ସ୍ନାତକୋତ୍ତର ହାସଲ କଲେ । ୧୯୧୩ ମସିହାରେ ପଣ୍ଡିତ ଗୋଦାବରୀଶ ମିଶ୍ର ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରେରଣାରେ ସତ୍ୟବାଦୀ ବନବିଦ୍ୟାଳୟ ରେ ଶିକ୍ଷକତାକୁ ଆଦରି ନେଇ ତ୍ୟାଗ, ସେବା ଓ ସାଧନାର ‘ବେଦି’ ରେ ନିଜ ଜୀବନକୁ ଉତ୍ସଗ କରିଥିଲେ ।ବକୁଳ-ଛୁରିଆନାର ସେହି ରମଣୀୟ ପ୍ରାକୃତିକ ପରିବେଶ ତାଙ୍କୁ ସମ୍ମୋହିତ କରିବା ସାଙ୍ଗକୁ ଅମୃତମୟୀ କବିତା ରଚ଼ନା ପାଇଁ ଉଦବୁଦ୍ଧ କରିଥିଲା । “ଆଲେଖିକା” ର ଗାଥା କବିତାମାନ ପଣ୍ଡିତ ଗୋଦାବରୀଶଙ୍କ ଗଭୀର ଜାତୀୟତାବୋଧ, ସ୍ବଦେଶପ୍ରୀତି, ଐତିହ୍ୟ-ଅନୁରକ୍ତିର ଜୀବନ୍ତ ଆଲେଖ୍ୟ । ଅନୁଭୂତି-ରସାଣିତ ଆବେଗମୟ ପ୍ରାଣପ୍ରାଚ଼ୁର୍ଯ୍ୟ ଭରା ‘କିଶଳୟ’ ଓ ‘କଳିକାର’ କବିତାବଳୀ ଏକ ଅପୂର୍ବ ଐଶ୍ଚର୍ଯ୍ୟରେ ବିଭବଶାଳୀ । ‘ମୁକୁନ୍ଦ ଦେବ’ ଓ ‘ପୁରୁଷୋତ୍ତମ ଦେବ’ ଐତିହାସିକ ନାଟକ ଦ୍ବୟ ତାଙ୍କ ଉତ୍କଳାନୁଗାରରେ ସୁସ୍ପଷ୍ଟ ନିଦର୍ଶନ । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ପୁରସ୍କୃତ ତାଙ୍କର ଆତ୍ମଜୀବନୀ ଗ୍ରନ୍ଥ “ଅର୍ଦ୍ଧଶତାବ୍ଦୀରେ ଓଡ଼ିଶା ଓ ତହିଁରେ ମୋ ସ୍ଥାନ” ତତ୍କାଳୀନ ଓଡ଼ିଶାର ସାମାଜିକ, ସାଂସ୍କୃତିକ, ରାଜନୈତିକ ତଥା ଆର୍ଥନୈତିକ ଜୀବନଧାରାରେ ଏକ ସତ୍ୟନିଷ୍ଠ ବିବରଣୀ । ଏହାବ୍ୟତୀତ ଚ଼ୟନିକା,କବିତାୟନ,ଗୀତାୟନ ଓ କବିତାଗ୍ରନ୍ଥ ଆଦି କେତେକ ପାଠ୍ୟପୁସ୍ତକ ଓ ତତସହିତ ବହୁ ଶିଶୁ-କବିତା ରଚ଼ନା କରି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି । ସେ ‘ଘଟାନ୍ତର’, ‘ଅଭାଗିନୀ’, ‘ଅଠର ଶହ ସତର’ଓ ‘ନିବାସିତ’ ଉପନ୍ୟାସର ସ୍ରଷ୍ଟା । ତାଙ୍କର ଅଭାଗିନୀ ଉପନ୍ୟାସ ୧୯୧୨ ମସିହାରେ ପ୍ରଥମେ ପ୍ରକାଶିତ । ଅନ୍ୟ ଉପନ୍ୟାସ ଗୁଡିକ ୧୯୪୦ ମସିହାରୁ ୧୯୫୧ ମଧ୍ୟରେ ପ୍ରକାଶିତ । ତାଙ୍କର ଗାଥା କବିତା ଗୁଡ଼ିକ ହେଲା କାଳିଜାଈ,ଅଭିରାମ ସିଂହ,ଧରଣୀଧର । ୧୯୧୯ ମସିହାରେ ସିଂହଭୂମି ଯାଇ ସେଠାରେ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର କଳ୍ପେ କେତେକ ଉଚ୍ଚବିଦ୍ୟାଳୟ ସମେତ ବହୁ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିଥିଲେ । ଚ଼କ୍ରଧରପୁର ବିଦ୍ୟାଳୟ କୁ ସେ ଏକ ଜାତୀୟ ବିଦ୍ୟାଳୟ ଭାବରେ ପରିଣତ କରି ପ୍ରଧାନଶିକ୍ଷକ ଦାୟିତ୍ବ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ବାଣପୁର ନିର୍ବାଚ଼ନ ମଣ୍ଡଳୀ ର ବିଧାୟକ ଭାବେ ନିର୍ବାଚ଼ିତ ହୋଇଥିଲେ । ସେ ମହାରାଜା କୃଷ୍ଣଚ଼ନ୍ଦ୍ର ଗଜପତିଙ୍କ ମନ୍ତ୍ରୀ ମଣ୍ଡଳରେ ଶିକ୍ଷାମତ୍ନୀ ହୋଇଥିଲେ । ତାଙ୍କରି ଉଦ୍ୟମରେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ପଣ୍ଡିତ ଗୋଦାବରୀଶ ମିଶ୍ର ୨୬ ଜୁଲାଇ ୧୯୫୬ ମସିହାରେ ମୃତ୍ୟୁବରଣ କରିଥିଲେ ।

Leave a Reply

Your email address will not be published. Required fields are marked *