ନିଲମ୍ବନ ଆଦେଶ କେବଳ ଧର୍ମକୁ ଆଖିଠାର !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର କୁମାର ବରାଳ : ବିଜେଡିରୁ ନିଳମ୍ବିତ ହୋଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଲୋକଙ୍କ ଉପରେ ଗାଡି ଚଢାଇବାକୁ କେନ୍ଦ୍ରକରି ବିଧାୟକଙ୍କ ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଏହାକୁ ଅମାନଵୀୟ ବୋଲି କହି ଦଳ ତାଙ୍କ ବିରୁଦ୍ଧରେ ପଦକ୍ଷେପ ନେଇଥିଲା । ତା ପରେ ବି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ବେଳେ ସେ ଉପସ୍ଥିତ ରହି ଲିଡ୍ କରୁଥିଲେ ଯେମିତି ପ୍ରଶାନ୍ତଙ୍କୁ ଦଳ ପୁଣି କୋଳେଇନେଲା ବୋଲି ବୁଝା ପଡିଥିଲା ! ହେଲେ ଏ ଘଟଣାରେ ଦଳ ସ୍ପଷ୍ଟ କରିଥିଲା – କଦାପି ନୁହେଁ । କିନ୍ତୁ ଏବେ ଯେଉଁ ଫଟୋ ପଦାକୁ ଆସିଛି ତାହା ଅନେକ କଥା ବୟାନ କରୁଛି । ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତ ରାୟ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସହ ବୈଠକରେ ଚିଲିକା ବିଧାୟକ ତଥା ନିଲମ୍ବିତ ନେତା ପ୍ରଶାନ୍ତ ଜଗଦ୍ଦେବ ବସିଛନ୍ତି । ବୋଧହୁଏ ତାହା ଆଗାମୀ ଦିନରେ ଦଳୀୟ ରଣନୀତି ସମ୍ପର୍କିତ ବୈଠକ ହୋଇପାରେ ! ହେଲେ ଦଳରୁ ନିଳମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କ ଉପସ୍ଥିତି ଅନେକ କିଛି ବୟାନ କରୁଛି । ଦଳ ତାଙ୍କୁ ଏହାରି ଭିତରେ କୋଳେଇ ନେଲାଣି କି ବୋଲି ପ୍ରଶ୍ନ ଉଙ୍କି ମାରିଲାଣି , କାରଣ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଖୋର୍ଦ୍ଧା ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷପ ଦାୟିତ୍ୱରେ ଅଛନ୍ତି । କିନ୍ତୁ ଏ ସବୁ କଥାରେ ଗୋଟିଏ କଥା ସ୍ପଷ୍ଟ ଯେ , ନିଲମ୍ବନ ଆଦେଶ କେବଳ ଧର୍ମକୁ ଆଖିଠାର !

Leave a Reply

Your email address will not be published. Required fields are marked *