ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଧାନସଭାର ଶୀତ ଅଧିବେଶନ ନିର୍ଦ୍ଧାରିତ ସମୟ ଅବଧିର ୨୫ ଟି କାର୍ଯ୍ୟଦିବସ ବାକି ଥାଇ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ହୋଇଛି । ନିର୍ଦ୍ଧାରିତ ୩୩ ଟି କାର୍ଯ୍ୟଦିବସ ବଦଳରେ ମାତ୍ର ୮ ଟି କାର୍ଯ୍ୟଦିବସ ଚଳିତ ଅଧିବେଶନରେ ସମ୍ଭବପର ହୋଇପାରିଛି । ଆଉ ମୁଖ୍ୟ ବିରୋଧୀ ଦଳ ବିଜେପିର ବିନା ସମ୍ମତି ଓ ଅନୁପସ୍ଥିତିରେ ଶୀତ ଅଧିବେଶନକୁ ବନ୍ଦ ପାଇଁ ଶାସକ ଦଳର ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରି ନେଇଛନ୍ତି । ଶାସକ ଦଳର ସଂଖ୍ୟା ବଳ ଆଧାରରେ ବାଚସ୍ପତି ଗୃହକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ତେବେ ଅଧିବେଶନ ସମୟରେ ଗୃହକୁ ଆସୁନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଅଧିବେଶନ ଆରମ୍ଭ ଦିନ ଓ ଆଜି ଶେଷ ଦିନରେ ମାତ୍ର କିଛି ସମୟ ପାଇଁ ଆସିଥିବା ଦେଖିବାକୁ ମିଳିଛି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଚାଷୀ ପ୍ରସଙ୍ଗରେ ଉଭୟ ବିରୋଧୀ ଓ ଶାସକ ମୁହାଁମୁହିଁ ହୋଇଥିଲେ । ବିଜେପି ସଦସ୍ୟ ମାନେ ହଟ୍ଟଗୋଳ କରିବାରୁ ଗୃହ ମୁଲତବୀ ରହିଥିଲା । ପ୍ରଶ୍ନକାଳ ଓ ଶୂନ୍ୟକାଳ ସମ୍ଭବପର ହୋଇ ନଥିବା ବେଳେ ବିଜେପି ସଦସ୍ୟଙ୍କ ଅନୁପସ୍ଥିତିରେ ଗୃହରେ ବ୍ୟୟ ମଞ୍ଜୁରୀ ବିଲ୍ ଉପରେ ଆଲୋଚନା ଆରମ୍ଭ ହୋଇଥିଲା । ଆଉ ଏହି ବିଲ୍ ଗୃହୀତ ହେବା ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଶୀତ ଅଧିବେଶନକୁ ଶେଷ କରିବାକୁ ବିଧିବଦ୍ଧ ପ୍ରସ୍ତାବ ଆଗତ କରିବା ପରେ ଶାସକ ଦଳ ବିଧାୟକ ମାନେ ଏହାକୁ ସମର୍ଥନ କରିଥିଲେ ଓ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଉକ୍ତ ପ୍ରସ୍ତାବକୁ ଗୃହୀତ କରି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ।
ବିଧାନସଭା ଶୀତ ଅଧିବେଶନ : ଚାଲିଥାନ୍ତା ୩୩ ଦିନ – ମାତ୍ର ୮ ଦିନରେ ଠପ !!!

