ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଏସିଆ ମହାଦେଶର ସର୍ବ ବୃହତ୍ତମ ଲବଣାକ୍ତ ହ୍ରଦ ତଥା ପକ୍ଷୀ ତୀର୍ଥ ଚିଲିକା ଶୀତ ଋତୁରେ ପର୍ଯ୍ୟଟକଙ୍କ ଆଗମନରେ ଚଳ ଚଞ୍ଚଳ ହୋଇପଡିଛି । ବିଦେଶାଗତ ରଙ୍ଗ ବେରଙ୍ଗ ପକ୍ଷୀଙ୍କ କାକଳିରେ ଚିଲିକା ହୋଇଉଠିଛି କୋଳାହଳମୟ । ନଳବଣରେ ବିଦେଶାଗତ ପକ୍ଷୀଙ୍କ କାକଳୀ, ଇରାୱାଡ଼ି, ଡଲଫିନଙ୍କ ଜଳକ୍ରୀଡା ସହ ମାଆ କାଳିଜାଈ ଙ୍କ ଦର୍ଶନ ଲାଗି ଶୀତ ଦିନର ପର୍ଯ୍ୟଟନ ଋତୁରେ ଦୂର ଦୁରାନ୍ତରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଚିଲିକା ପରିଭ୍ରମଣରେ ଆସିଥାନ୍ତି । କାଳିଜାଈ ଙ୍କ ଦର୍ଶନ କରିବା ସହ ସାତପଡ଼ାରେ ଇରାୱାଡ଼ି ଡଲଫିନଙ୍କ ଜଳକ୍ରୀଡା ଦେଖିବାର ସୁଯୋଗ ପାଉଥିବା ବେଳେ ପକ୍ଷୀ ତୀର୍ଥ “ନଳବଣ” ଭିତରକୁ ପକ୍ଷୀ ଦେଖିବାକୁ ଯିବା ପାଇଁ ଅନୁମତି ନାହିଁ । ଯାହା ଫଳରେ ପର୍ଯ୍ୟଟକ ମାନେ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ବଞ୍ଚିତ ହେଉଛନ୍ତି । ବିଗତ ପ୍ରାୟ ୭ ବର୍ଷ ପୂର୍ବେ ବିଦେଶାଗତ ରଙ୍ଗ ବେରଙ୍ଗ ପକ୍ଷୀ ଦେଖିବାକୁ ପର୍ଯ୍ୟଟକଙ୍କୁ “ନଳବଣ” ଭିତରକୁ ପରିଭ୍ରମଣ କରିବା ପାଇଁ ଅନୁମତି ଥିଲା । ପ୍ରତି ପର୍ଯ୍ୟଟକଙ୍କ ପିଛା ମାତ୍ର ୨ ଟଙ୍କା ଟିକେଟ କଟାଯାଇ ଡଙ୍ଗା ଗୁଡ଼ିକର ମେସିନ ବନ୍ଦ କରାଯାଇ କେବଳ କାତ ସାହାଯ୍ୟରେ ନଳବଣ ଭିତରେ ବନ୍ୟପ୍ରାଣୀ ବିଭାଗର କଡା ପ୍ରହର ମଧ୍ୟରେ ଭ୍ରମଣ କରିବା ପାଇଁ ଛଡ଼ା ଯାଉଥିଲା । ପରବର୍ତ୍ତୀ ସମୟରେ ମେସିନ ଡଙ୍ଗା ନଳବଣ ଭିତରକୁ ଯିବା ଫଳରେ ପକ୍ଷୀ ବିଚରଣରେ ବାଧା ସୃଷ୍ଟି ହେବା ଦ୍ୱାରା ପରେ ତାହାକୁ ସମ୍ପୂର୍ଣ ବନ୍ଦ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟଟକ ମାନେ ନଳବଣ ବାହାରେ ବୁଲି ରଙ୍ଗ ବେରଙ୍ଗର ପକ୍ଷୀ ଦେଖି ନପାରି ହତାଶ ହୋଇ ଫେରୁଛନ୍ତି । ଯାହାକି ପର୍ଯ୍ୟଟକ ଓ ଡଙ୍ଗା ଚାଳକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ତ୍ତମାନ ନଳବଣ ଭିତରକୁ ପକ୍ଷୀ ଦେଖିବା ପାଇଁ ପର୍ଯ୍ୟଟକଙ୍କୁ ପ୍ରବେଶ ଲାଗି ଅନୁମତି ଦେବାକୁ ଦାବି ହେଉଛି । ତେବେ ଏଥିପ୍ରତି ରାଜ୍ୟ ସରକାର ସହ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ହେଉ ପରିବେଶବିତ, ଶିକ୍ଷାବିତ୍, ପକ୍ଷୀ ବିଶାରଦ, ଦାର୍ଶନିକ ଓ ବାଲୁଗାଁ ଏବଂ ବଡ଼କୁଳ ମୋଟର ବୋଟ ଆସୋସିଏସନ୍ ସହ ଆଲୋଚନା କରି ଚିଲିକାର ନଳବଣକୁ ପର୍ଯ୍ୟଟକଙ୍କ ପ୍ରବେଶ ଲାଗି ଦାବି ହୋଇଛି ।
ବିଦେଶାଗତ ପକ୍ଷୀ ଦେଖିବାରୁ ପର୍ଯ୍ୟଟକ ବଞ୍ଚିତ : ଚିଲିକା ନଳବଣକୁ ଭ୍ରମଣ ଅନୁମତି ଦାବି !!!

