ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲାର ନୂଆଗାଁ ବ୍ଲକ ଅନ୍ତର୍ଗତଃ ଚାହାଳି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଉତ୍ସବର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ହରିହର ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଗୋଦାବରୀଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଯୁଗ୍ମ ସଚିବ କୃଷ୍ଣଚନ୍ଦ୍ର ଶତପଥି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ତ୍ରିନାଥ ମହାପାତ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଡ.ସାହୁ, ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ଏହା ଉପରେ ଟିପ୍ପଣୀ ପ୍ରଦାନ କରିଥିଲେ । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳର ଛାତ୍ରଛାତ୍ରୀ ମାନେ କିପରି ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ପାଇ ପାରିବେ ସେଥି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଆଜିକାର ଚାକଚକ୍ୟ ସମାଜ ଯେତିକି ଆଗଉଛି ମନ ଭିତରେ ସେତିକି ଅପରିସ୍କାର ରହିଯାଉଛି । ଚାହାଳୀ ପଞ୍ଚାୟତର ମାଟିକୁ ସାତଗୋଟି ପ୍ରଣାମ ଜଣାଇ ନିଜସ୍ୱ ବକ୍ତବ୍ୟ ମାଧ୍ୟମରେ ସମସ୍ତ ଜନସାଧାରଙ୍କୁ ଡ଼ .ସାହୁ ଧନ୍ୟବାଦ ଦେଇଥିଲେ , କାରଣ ୨୦୦୪ ନିର୍ବାଚନରେ ଏହି ସବୁ ପଞ୍ଚାୟତ ଢେଂକେଣା , ମାଳିସାହି ,ଚାହାଳୀ ସବୁ ଅଞ୍ଚଳର ଜନସାଧାରଣ ବହୁମାତ୍ରାରେ ଆଶୀର୍ବାଦ ଦେଇଥିବାରୁ ତାଙ୍କ ରାଜନୈତିକ ଜୀବନର ପ୍ରାରମ୍ଭ କରିଥିଲେ ! ସେହି ମାଟିରେ ଆଜି ଏତେ ବଡ଼ ଉତ୍ସବ ହେଉଛି ଏବଂ, ସେ ସେଥିରେ ଯୋଗ ଦେଇଥିବାରୁ ନିଜକୁ ଧନ୍ୟ ମାନେ କରିଛନ୍ତି ! ସେ ନିଜ ବାର୍ତା ମାଧ୍ୟମରେ କହିଥିଲେ –
“ ଆମେ ଅତୀତକୁ ଭୁଲିଯିବାନି ,
ପଶୁମାନେ ଭୁଲିଯାନ୍ତି ନିଜର ଅତୀତକୁ ,
ଆମେ ସେମାନଙ୍କ ସ୍ତରକୁ ଯିବାନି .
ଆମେ ମଣିଷ ମଣିଷ ହୋଇ ଜନ୍ମ ହୋଇଛେ ,ମଣିଷ ଟିଏ ହୋଇ ମରିବା ! ଅନ୍ତତଃ ମୃତ୍ୟୁ ବେଳେ କେହି କହିବେନି ଗୋଟେ ଅମଣିଷଟାଏ ଚାଲିଗଲା , ମୃତ୍ୟୁ ବେଳେ ଆଖିରୁ ଦୁଇଧାର ଲୁହ ଗଡାଇ କହିବେ – ମଣିଷ ଟିଏ ଚାଲିଗଲା , ତାହାହିଁ ଜୀବନର ବଡ଼ ସାର୍ଥକତା !
ଏହି ଅବସରରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସ୍କୁଲର ଉନ୍ନତି ସହିତ ଛାତ୍ରଛାତ୍ରୀ ମାନଙ୍କ ବିକାଶ ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ସହ ବର୍ତମାନର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।
ଶିକ୍ଷା କ୍ଷେତ୍ରରେ ଆସିଛି ଏକ ବୈପ୍ଳବିକ ପରିବର୍ତ୍ତନ : ଅରୁଣ ସାହୁ !!!

