ବିରିକୋଟରେ କଣ୍ଢେଇ ଯାତ୍ରା ପର୍ବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟରେ କଣ୍ଢେଇ ଯାତ୍ରା ପର୍ବ ୨୧ ଦିନ ଧରି ପାଳିତ ହୋଇଯାଇଛି । ମାର୍ଗଶୀର ମାସର ପ୍ରଥମ ଗୁରୁବାର ଦିନ ଏହି କଣ୍ଢେଇ ଯାତ୍ରା ଆରମ୍ଭ ହୁଏ । ରୀତିନୀତି ଅନୁସାରେ ପୁରୁଣା ପରମ୍ପରାକୁ ନେଇ ହୋଇ ଆସୁଛି କଣ୍ଢେଇ ଯାତ୍ରା । ପୂର୍ବ ପୁରୁଷରୁ ଏହାକୁ ମହା ସମାରୋହରେ ଗ୍ରାମବାସୀ ପାଳନ କରି ଆସୁଛନ୍ତି । ଏହି ଯାତ୍ରା ପାଳନ କଲେ ଗାଁ ଲୋକଙ୍କୁ କୌଣସି ରୋଗ ବ୍ୟାଧି ହେବ ନାହିଁ , ବର୍ଷା ଭଲ ହେବ , ଭଲ ଫସଲ ଓ ଅମଳ ଭଲ ହେବ ବୋଲି ଲୋକେ ବିଶ୍ୱାସ କରନ୍ତି ଲୋକେ । ପ୍ରଥମ ଦିନରେ ବ୍ରହ୍ମା, ବିଷ୍ଣୁ , ମହେଶ୍ୱରଙ୍କୁ ପୂଜାର୍ଚ୍ଚନା ଓ ଆରାଧନା କରି ବାଉଁଶ କୁଞ୍ଜାରେ ମାଟି ଧରି ଗାଁକୁ ଅଣା ଯାଇଥାଏ । ସେହି ମାଟିରେ ବିଭିନ୍ନ ପ୍ରକାର ଦେବା ଦେବୀଙ୍କ ମୂର୍ତ୍ତି କରିଥାନ୍ତି ଗାଁର ଯୁବକ ଓ ବୟୋଜ୍ୟଷ୍ଠ ମାନେ । ୨୧ ଦିନ ଧରି ନିଷ୍ଠାର ସହ ଉତ୍ସବ ପାଳନ କରିଥାନ୍ତି ଗ୍ରାମବାସୀ । ତୃତୀୟ ଦିନରେ ଯୁଧିଷ୍ଠିର , ଭୀମ , ଅର୍ଜୁନ , ନକୁଳ , ସହଦେବକୁ ଆଣି ପୂଜା ଅର୍ଚ୍ଚନା କରାଯାଏ । ଏହା ପରେ ଠାକୁରଙ୍କୁ ଗାଁ ର ପ୍ରତ୍ୟେକ ସାହି ପରିକ୍ରମା କରି ଗାଁ ଦାଣ୍ଡର କଣ୍ଢେଇ କୁଡ଼ିଆ ଘରେ ରଖାଯାଏ । ୨୦ ଦିନରେ ଜଙ୍ଗଲକୁ ଯାଇ ପୂଜା ଅର୍ଚ୍ଚନା ଓ ଆରାଧନା କରି ଦାରୁବ୍ରହ୍ମ ବା ଶାଳଗଛକୁ ଅଣାଯାଇ ଗାଁ ଦାଣ୍ଡରେ ପୋତା ଯାଏ । ମହାଭାରତ ଯୁଦ୍ଧର ବେଲାଳସେନ ମୂର୍ତ୍ତିକୁ ଖମ୍ବ ଉପରେ ରଖି ଦୁଇ ପାର୍ଶ୍ଵରେ କୌରବ ଓ ପଞ୍ଚୁ ପାଣ୍ଡବ ଯୁଦ୍ଧ ଭଳି ସାଜସଜ୍ଜା କରାଯାଇଥାଏ । କଣ୍ଢେଇ ଯାତ୍ରା ପର୍ବ ନାମରେ ପ୍ରସିଦ୍ଧ ଏହି ଯାତ୍ରା ଦେଖିବାକୁ ପାଖଆଖ ଅଞ୍ଚଳର ଶହ ଶହ ସଂଖ୍ୟାରେ ଲୋକେ ଜମା ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *