ଗଜପତି ଜିଲ୍ଲାବାସୀଙ୍କୁ ଉପେକ୍ଷା କରାଯାଇଥିବାର ଅଭିଯୋଗ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଶିଶୁ କଲ୍ୟାଣ ସମିତିର ସଭ୍ୟ, ସଭ୍ୟା ଓ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିବା ପ୍ରାର୍ଥୀ ମାନଙ୍କ ସମେତ ବରିଷ୍ଠ ନାଗରିକ ମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଗତ ୮ ତାରିଖ ଦିନ ଏକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେବଳ ଗଜପତି ଜିଲ୍ଲାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସେହି ଜିଲ୍ଲାବାସୀଙ୍କୁ ହିଁ ସମ୍ପୃକ୍ତ ଜିଲ୍ଲାର ଶିଶୁ କଲ୍ୟାଣ ସମିତିରେ କାର୍ଯ୍ୟ କରିବା ପାଇଁ ମନୋନୀତ ‌କରାଯାଇଛି । ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଅଗଷ୍ଟ ୨୫ ତାରିଖରେ ଗଜପତି ଜିଲ୍ଲାର ଆବେଦନକାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା । ଅକ୍ଟୋବର ୧ ତାରିଖରେ ଭୁବନେଶ୍ବର ସ୍ଥିତ ମିଶନ ଶକ୍ତି ଭବନକୁ କଥାବାର୍ତ୍ତା କରିବା ସକାଶେ ଡକା ଯାଇଥିଲା । ତେବେ, ଏହି ଦୁଇ ଦିନରେ ଉପସ୍ଥିତ ନଥିବା ବ୍ୟକ୍ତିଙ୍କୁ ବର୍ତ୍ତମାନ ଗଜପତି ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ସଦସ୍ୟ ଭାବେ ଚୟନ କରାଯାଇଛି । ଏଣୁ ସାର୍ଟିଫିକେଟ ଯାଞ୍ଚ ହେବା ଏବଂ ସାକ୍ଷାତକାର ନିଆଯିବା ସତ୍ତ୍ବେ ଗଜପତି ଜିଲ୍ଲାର କାହାରିକୁ ନିଯୁକ୍ତି ନ ଦେବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ଭାଗ୍ୟଲକ୍ଷ୍ମୀ ନାୟକ, ବିନୋଦ ଚନ୍ଦ୍ର ଜେନା, ନାଗେଶ୍ବର ଚୌଧୁରୀ, ଭାଗବତ ପାଢ଼ୀ, ଆଶାଲତା ପାଣିଗ୍ରାହୀ, ଗୌରୀ ଦେବୀ, ହରିଶ୍ଚନ୍ଦ୍ର ନାୟକ, ଲିଙ୍ଗରାଜ ପାଣିଗ୍ରାହୀ, ଜଗଦୀଶ ଚନ୍ଦ୍ର ମହାପାତ୍ର, ସୁରେଶ ଦାସ ପ୍ରମୁଖ ନୂତନ ନିଯୁକ୍ତିକୁ ବାତିଲ କରିବା ସକାଶେ ଅନୁରୋଧ କରି ଏକ ଅଭିଯୋଗ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ରାଜସ୍ବ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ନାୟକଙ୍କୁ ପ୍ରଦାନ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *