ଶ୍ୱେତପଦ୍ମା ସାହିତ୍ୟ ସଂସଦ ପକ୍ଷରୁ ପୁସ୍ତକ ଲୋକାର୍ପଣ ଉତ୍ସବ !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଶ୍ୱେତପଦ୍ମା ସାହିତ୍ୟାନୁଷ୍ଠାନ ଆନୁକୂଲ୍ୟରେ ବୋଲଗଡ ବ୍ଲକ୍ ଗେଡିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ସାଲତରା ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବଙ୍କ ପୀଠରେ କବୟିତ୍ରୀ ଗୀତାଞ୍ଜଳି ମହାପାତ୍ରଙ୍କ ରଚିତ ଭକ୍ତିପୂର୍ଣ୍ଣ କବିତାଗୁଚ୍ଛ ଶ୍ରୀ ରଙ୍ଗାଚରଣ ତଳେ ଲୋକାର୍ପିତ ହୋଇଯାଇଛି । ଏହି ଉତ୍ସବରେ ଅନୁଷ୍ଠାନର ସଭାପତି କବି ବାଳକୃଷ୍ଣ ନାୟକ ସଭାପତିତ୍ବ କରିଥିଲେ। ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା ଶ୍ୱେତପଦ୍ମାସିନୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରଯାଇଥିଲା । ଗାୟକ ଭାଷାରତ୍ନ ଖଗେଶ୍ବର ମାର୍ଥା ମଙ୍ଗଳାଚରଣ ପାଠ କରିଥିଲେ । ପରେ ପ୍ରଫେସର ଶ୍ରୀ ପାଣିଗ୍ରାହୀ ସ୍ଵରଚିତ ଆବାହନୀ ସଂଗୀତ ପରିବେଷଣ କରିଥିଲେ । ଶିକ୍ଷାବିତ୍ ବିଜୟ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବୟିତ୍ରୀ ଗୀତାଞ୍ଜଳି ମହାପାତ୍ର ପୁସ୍ତକରେ ସନ୍ନିବେଶିତ କବିତାଗୁଚ୍ଛର ବିଶ୍ଳେଷଣ କରିଥିଲେ । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପୋଲିସ୍ ଆଇଜି ତଥା ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ସାରଙ୍ଗଧର ରାୟଗୁରୁ ମୁଖ୍ୟ ଅତିଥି , ଓଡ଼ିଆ ଭାଷା ସାହିତ୍ୟ ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଡକ୍ଟର ହରିହର କାନୁନଗୋ ମୁଖ୍ୟ ବକ୍ତା ଓ ପୂର୍ବତନ ପ୍ରଶାସକ ସୁଧାକର ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଯୁଗେ ଯୁଗେ ଓଡ଼ିଆ ଜନମାନସକୁ ଅଭିପ୍ରେରିତ କରି ଆସିଛି ଓ ପ୍ରତିଟି ଓଡ଼ିଆର ସ୍ପନ୍ଦନରେ ଜଗନ୍ନାଥ ହିଁ ଅନୁଭୂତ ହୁଅନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପୁସ୍ତକ “ଶ୍ରୀ ରଙ୍ଗାଚରଣ ତଳେ” ଉନ୍ମୋଚିତ ହେବା ସହ ଅତିଥି ମାନଙ୍କୁ ଉତ୍ତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଯୁବ କଣ୍ଠଶିଳ୍ପୀ ସଞ୍ଜୟ କୁମାର ପାଣିଗ୍ରାହୀ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ । ସମ୍ପାଦିକା କବୟିତ୍ରୀ ପ୍ରତିମା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କବି ଜଗଦୀଶ ଚନ୍ଦ୍ର ପାତ୍ର, ରବିନାରାୟଣ ମଙ୍ଗରାଜ, ଗଙ୍ଗାଧର ଓଝା, ସୋମନାଥ ସାହୁ, ବିମ୍ବାଧର ମହାରଣା, ଭକ୍ତ ଚରଣ ବେହେରା, ଲକ୍ଷ୍ମୀଧର ମହାପାତ୍ର, ବିଭୁ ହୋତା, ବସନ୍ତ କୁମାର ହୋତା, ମିହିର କୁମାର ଆଚାର୍ଯ୍ୟ, ଗୋପୀନାଥ ସେଠୀ, ବଂଶୀଧର ପଣ୍ଡା, ଭାଗବତ ମହାପାତ୍ର ଓ ଶ୍ରୀକୁମାର ସାହୁ ପ୍ରମୁଖ ଲୋକାର୍ପିତ ପୁସ୍ତକ ସମ୍ବନ୍ଧରେ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ସମାଜସେବୀ ଜୀବନାନନ୍ଦ ପାଣିଗ୍ରାହୀ, ତନ୍ମୟ ମହାପାତ୍ର, ଚିନ୍ମୟ ଓ ଜ୍ୟୋତିର୍ମୟ ପ୍ରମୁଖ ସଭା ପରିଚାଳନାରେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *