ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବହୁ ଚର୍ଚ୍ଚିତ ନାଚୁଣୀ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ ! ମୃତକଙ୍କ ସ୍ତ୍ରୀ ହିଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ତଦନ୍ତକାରୀ ସଂସ୍ଥା ! ଏନେଇ ଆଜି ଅପରାହ୍ନରେ ନାଚୁଣୀ ଥାନା ପରିସରରେ ଖୋର୍ଦ୍ଧା ଜିଲ୍ଲା ଏସପି ସିଦ୍ଧାର୍ଥ କଟାରିଆ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ଗତକାଲି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲ ମଧ୍ୟରେ ଏକ ସୁଟକେସ ଭିତରୁ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଉକ୍ତ ଯୁବକ ଜଣଙ୍କ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ବଳଭଦ୍ର ପଞ୍ଚାୟତ ଲାଖପଡା ଗ୍ରାମର ମନୋରଞ୍ଜନ ମହାପାତ୍ର ବୋଲି ଜଣା ଯାଇଥିଲା ! ସୂଚନା ମୁତାବକ ମୃତ ମନୋରଞ୍ଜନ ମହାପାତ୍ର ପାଞ୍ଚ ବର୍ଷ ତଳେ ଚାନ୍ଦପୁର ଥାନା ଅନ୍ତର୍ଗତ ରାଜ ଜଙ୍କିଆ ଗ୍ରାମର ନିଲି ଦାସ ଙ୍କୁ ପ୍ରେମ ବିବାହ କରିଥିଲେ । ମନୋରଞ୍ଜନଙ୍କର ନିଜ ଗ୍ରାମ ରେ ସ୍ଥାନୀୟ ଲୋକଙ୍କ ସହ କିଛି ତ୍ରୁଟି ହେବାରୁ ସେ ଗ୍ରାମ ଛାଡ଼ି ଆସି ତାଙ୍କ ପରିବାର ସହ ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ଗ୍ରାମରେ ରହୁଥିଲେ । ଯାହା ସୂଚନା ମିଳିଛି ମନୋରଞ୍ଜନ ପ୍ରତ୍ୟେକ ଦିନ ମଦ୍ୟପାନ କରି ତାଙ୍କ ସ୍ତ୍ରୀ ନିଲିଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତ ୨୦ ତାରିଖ ଦିନ ମନୋରଞ୍ଜନ ଅତ୍ୟଧିକ ମଦ୍ୟପାନ କରି ସ୍ତ୍ରୀ ଙ୍କୁ ଶାରୀରିକ ନିର୍ଯ୍ୟାତନା ଦେବା ସହ ବାଡେଇଥିଲେ । ଯାହାଫଳରେ ନିଲି ନିଜ ସ୍ୱାମୀଙ୍କ ଉପରେ ରାଗି କରି ତାଙ୍କ ଠାରୁ କିପରି ନିଜକୁ ରକ୍ଷା କରିପାରିବେ ଏବଂ ନିଜ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ନିଲି ଙ୍କୁ ତାଙ୍କ ସ୍ଵାମୀ ଏପରି ଭାବରେ ନିର୍ଯାତନା ଦେଉଥିବାର , ତାଙ୍କ ଭାଇ ମିଟୁ ଦାସ ଓ ତାଙ୍କ ସାଙ୍ଗ ବିକ୍ରମ କୁମାର ସାହୁ ଙ୍କୁ ଯୋଗାଯୋଗ କରିଥିଲେ । ଗତ ୨୧ ତାରିଖ ସଂନ୍ଧ୍ୟାରେ ଅଭିଯୁକ୍ତ ବିକ୍ରମ କେଶରୀ ସାହୁ ଚାନ୍ଦପୁର ବଜାରରୁ ଏକ ଦୋକାନରୁ ସୁଟକେସ କିଣି ମନୋରଞ୍ଜନ ଘରକୁ ଯାଇଥିଲେ । ସମସ୍ତ ଅଭିଯୁକ୍ତ ମାନେ ମନୋରଞ୍ଜନକୁ ପ୍ରଚୁର ଭାବରେ ମଦ୍ୟ ପାନ କରାଇବା ସହ ନିଶାସକ୍ତ ଅବସ୍ଥାକୁ ଆଣିଥିଲେ ଯାହା ଫଳରେ ୩ ଅଭିଯୁକ୍ତ ଏହାର ସୁଯୋଗ ନେଇ ମନୋରଞ୍ଜନଙ୍କ ବେକ ଚିପି ଦେଇଥିଲେ ! ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା । ଉକ୍ତ ବିଳମ୍ବିତ ରାତିରେ ମନୋରଞ୍ଜନଙ୍କ ମୃତ ଶରୀରକୁ ସୁଟକେସରେ ଭର୍ତ୍ତିକରି ନାଚୁଣୀ ହରିପୁର ଜଙ୍ଗଲ ମଧ୍ୟକୁ ଫୋପାଡ଼ି ଦେଇଥିଲେ । ହତ୍ୟାକାଣ୍ଡରେ ସାମିଲ ଥିବା ନିଲି ଦାସ, ମିଟୁ ଦାସ, ବିକ୍ରମ କୁମାର ସାହୁ ଏହି ତିନି ମୁଖ୍ୟ ଅଭିଯୁକ୍ତ ବୋଲି ଖୋର୍ଦ୍ଧା ଏସପି କହିଛନ୍ତି । ଏମାନଙ୍କର ବିରୁଦ୍ଧରେ ନାଚୁଣୀ ପୋଲିସ କେସ ନମ୍ବର ୧୧ / ୨୩ ରେ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିବା ସହ ଅଧିକ ତଦନ୍ତ ଚାଲିଥିବାର ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି । ୨୪ ଘଣ୍ଟା ମଧ୍ୟରେ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଆସାମୀ ମାନଙ୍କୁ ଗିରଫ କରି ପର୍ଦ୍ଦାଫାସ କରିଥିବାରୁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ର ଶେଖର ଜେନା, ଟାଙ୍ଗୀ ଥାନା ଅଧିକାରୀ ଦିଗ ବିଜୟୀ ବିଶ୍ଵାଳ ଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଙ୍କୁ ଖୋର୍ଦ୍ଧା ଏସପି ଧନ୍ୟବାଦ ଦେଇଛନ୍ତି ।