ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ଜିଲ୍ଲାର ଅନ୍ୟତମ ଅଗ୍ରଣୀ କଳା-ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ “ଶ୍ରୀ ସୃଜନ”ର ଦ୍ବିତୀୟ ବାର୍ଷିକ ଉତ୍ସବ ମା’ ବୀଣାପାଣିଙ୍କ ପବିତ୍ର ପୂଜା ଉତ୍ସବରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ରୂପେ ଡ. ରାଜେନ୍ଦ୍ର ପ୍ରସାଦ ପାଢୀ ଉତ୍ସବକୁ ସମ୍ବୋଧିତ କରିଥିଲେ । ଅନୁଷ୍ଠାନ ତରଫରୁ ସଙ୍ଗୀତ କ୍ଷେତ୍ରରେ ବରିଷ୍ଠ ସଙ୍ଗୀତଜ୍ଞ ପ୍ରଦୀପ୍ତ କୁମାର ପଟ୍ଟନାୟକ, ସଙ୍ଗୀତ ଗବେଷକ ଭାବରେ ଗୁରୁ ପ୍ରଦୀପ କୁମାର ଦାସ ଓ ସେବା କ୍ଷେତ୍ରରେ ସଂଗଠକ ସଞ୍ଜୟ କୁମାର ସୁବୁଦ୍ଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଇତ୍ୟବସରରେ ଅଧ୍ୟାପିକା ଜୟଶ୍ରୀ ଦେବୀଙ୍କ ଲିଖିତ ଭକ୍ତିରସାପ୍ଲୁତ ଗୀତିକବିତା “ଦରଦୀ ବନ୍ଧୁ” ପୁସ୍ତକ ଲୋକାର୍ପିତ ହୋଇଥିଲା । ଉକ୍ତ ଉତ୍ସବରେ ଶ୍ରୀ ସୃଜନ ନୟାଗଡ ୟୁଟ୍ୟୁବ୍ ଚ୍ୟାନେଲ୍ ଦ୍ବାରା ପ୍ରସ୍ତୁତ ଦୁଇଗୋଟି ସଙ୍ଗୀତ ଭିଡିଓ ଉନ୍ମୋଚନ ହୋଇ ପ୍ରଦର୍ଶନ କରାଯାଇଥିଲା । ଦୁଇ ଭିଡିଓର କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶନା ଅଧ୍ୟାପିକା ଜୟଶ୍ରୀ ଦେବୀ କରିଥିବା ବେଳେ ” ସେ ଆମ ଭାରତ ଭୂଇଁ” ର ଗୀତିକାର ଜୟଶ୍ରୀ ଦେବୀ ଏବଂ “କରୁଣା କଣିକେ ଦେଇ”ର ଗୀତିକାର ହେଉଛନ୍ତି ଶ୍ରୀମତୀ ବସିରନ୍ ବିବି । ଶ୍ରୀ ସୃଜନ ସଙ୍ଗୀତ ଅନୁଷ୍ଠାନର ଛାତ୍ର/ଛାତ୍ରୀଙ୍କ ସମେତ ସୁରଗର୍ନ୍ଧବ ନବକିଶୋର ମିଶ୍ର, ଗୁରୁ ପ୍ରଦୀପ କୁମାର ଦାସ, ଅଶୋକ ମହାନ୍ତି, ଜିତେନ୍ଦ୍ର କୁମାର ଚୌଧୁରୀ, ସଙ୍ଗୀତ ବିଦ୍ୟାଳୟର ପରିଚାଳିକା ଅଧ୍ୟାପିକା ଜୟଶ୍ରୀ ଦେବୀ ପ୍ରଭୃତି କଣ୍ଠଦାନ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଆୟୋଜିତ ଉତ୍ସବରେ ଅନୁଷ୍ଠାନର ସଭାପତି ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀ, କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ର, ସଦସ୍ୟ ଲକ୍ଷ୍ମୀଧର ମହାପାତ୍ର, ପ୍ରଦୀପ କୁମାର ସାହୁ ଉପସ୍ଥିତ ରହି ଉତ୍ସବ ପରିଚାଳନାରେ ସହାୟତା କରିଥିଲେ ।
“ଶ୍ରୀ ସୃଜନ” ନୟାଗଡର ଦ୍ବିତୀୟ ସାମ୍ବତ୍ସରିକ ଉତ୍ସବ – ୨୦୨୩ !!!

