ଆଉ ନାହାନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ !!!

0
351

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ରାଜ୍ୟ ସ୍ତବ୍ଧ , ସାମନାକୁ ଆସିଲା ଦୁଃଖଦ ଖବର । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆଉ ନାହାନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଆଜି ଗୁରୁତର ଆହତ ହୋଇଥିଲେ । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ାରୁ ଏୟାର ଲିଫ୍ଟ୍ କରାଯାଇ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍ କୁ ଅଣାଯାଇଥିଲା । ମାତ୍ର ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ସେ ବଞ୍ଚିପାରିନାହାନ୍ତି । ତାଙ୍କୁ ମୃତ ଘୋଷଣା କରାଯାଇଛି । ମନ୍ତ୍ରୀ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଯାଇଥିଲେ। କାର୍ଯ୍ୟକ୍ରମ ସ୍ଥଳ ନିକଟରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା ।

ଗୁଳିମାଡ଼ରେ ସଙ୍କଟାପନ୍ନ ହୋଇ ପଡ଼ିଥିବା ନବ ଦାସଙ୍କୁ ଝାରସୁଗୁଡ଼ାରୁ ଏୟାର ଲିଫ୍ଟ କରାଯାଇଥିଲା । ଅପରାହ୍ନ ପ୍ରାୟ ୩ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗ୍ରୀନ୍ କରିଡର ଭିତରେ ଆପୋଲୋ ହସ୍ପିଟାଲ ନିଆଯାଇଥିଲା । ଚିକିତ୍ସା ବ୍ୟବସ୍ଥାର ତଦାରଖ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ଆପୋଲୋ ହସ୍ପିଟାଲ୍ ରେ ପହଞ୍ଚି ଯାଇଥିଲେ । ମୁଖ୍ୟମନ୍ତ୍ରୀ ଡାକ୍ତର ମାନଙ୍କ ସହ ଆଲୋଚନା କରିବା ସହ ଶ୍ରୀ ଦାସଙ୍କ ପୁଅଙ୍କୁ ଶାନ୍ତ୍ୱନା ଦେଇ ଫେରିଥିଲେ । ନବଙ୍କୁ ଆପୋଲୋ ହସ୍ପିଟାଲ୍ ଅଣାଯିବା ପରେ ଲାଇଫ୍ ସପୋର୍ଟ ସିଷ୍ଟମ୍ ରେ ରଖି ଚିକିତ୍ସା ଆରମ୍ଭ ହୋଇଥିଲା । ଆପୋଲୋ ହସ୍ପିଟାଲ୍, ଏମସ୍ ହସ୍ପିଟାଲ୍, ଏସସିବି ହସ୍ପିଟାଲ୍ ଏବଂ କ୍ୟାପିଟାଲ୍ ହସ୍ପିଟାଲ୍ ର ବିଶେଷଜ୍ଞ ମାନଙ୍କୁ ନେଇ ଗଠିତ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ । ଗୁଳି ବିଦ୍ଧ ଛାତିରେ ଅସ୍ତ୍ରୋପଚାର ଉଦ୍ୟମ ହୋଇଥିଲା । ମାତ୍ର ସବୁ ଉଦ୍ୟମ ବିଫଳ ହୋଇଥିଲା । ସୂଚନାଥାଉକି, ମନ୍ତ୍ରୀ ନବ ଦାସଙ୍କର ଆଜି ବ୍ରଜରାଜନଗରରେ କାର୍ଯ୍ୟକ୍ରମ ଥିଲା । ଦିନ ପ୍ରାୟ ୧୨ଟା ୨୫ ମିନିଟ୍ ବେଳେ ସେ ଗାନ୍ଧୀ ଛକଠାରେ ପହଞ୍ଚିଥିଲେ । ଗାଡ଼ିରୁ ଓହ୍ଲାଇଲା ପରେ ତାଙ୍କୁ କର୍ମୀମାନେ ଫୁଲମାଳ ଦେଇ ସ୍ୱାଗତ କରୁଥିଲେ । ଏହି ସମୟରେ ସେଠାରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଗାନ୍ଧୀ ଛକ ଫାଣ୍ଡିର ଏଏସଆଇ ଗୋପାଳ କୃଷ୍ଣ ଦାସ ନିଜ ରିଭଲଭରରୁ ମନ୍ତ୍ରୀଙ୍କ ଉପକୁ ଅତର୍କିତ ଗୁଳି ଚାଳନା କରିଥିଲେ । ସେ ୫ ରାଉଣ୍ଡ ଗୁଳି ଚଳାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଦୁଇ ରାଉଣ୍ଡ ଗୁଳି ନବ ଦାସଙ୍କ ଛାତିରେ ବାଜିଥିଲା ।

ପ୍ରତ୍ୟକ୍ଷଦର୍ଶୀ ମାନେ କିଛି ବୁଝିବା ଆଗରୁ ମନ୍ତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । ତାଙ୍କ ଛାତିରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ହସ୍ପିଟାଲ୍ କୁ ନିଆଯାଇଥିଲା । ସେଠାରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସହ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା । ଏହି ଅଘଟଣକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଆତତାୟୀ ପୁଲିସ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ ଘଟଣାସ୍ଥଳରୁ କାବୁ କରାଯାଇଛି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । କେଉଁ କାରଣ ପାଇଁ ମନ୍ତ୍ରୀଙ୍କୁ ହତ୍ୟା କରାଗଲା ତାହା ଜାଣିବାକୁ ସମସ୍ତଙ୍କର ଅପେକ୍ଷା ରହିଛି । କାରଣ ଯାହା ବି ହେଉ ନା କାହିଁକି , ନବ ଦାସ ଆଉ ଇହଧାମରେ ନାହାନ୍ତି । ତାଙ୍କର ଏଭଳି ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିନାହାନ୍ତି । ନବଙ୍କ ମୃତ୍ୟୁରେ ରାଜନୈତିକ ଦଳର ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ଦାସ ଝାରସୁଗୁଡ଼ା ବିଧାନସଭା ଆସନରୁ ତିନି ଥର ନିର୍ବାଚିତ ହୋଇଥିଲେ । କଂଗ୍ରେସ ଟିକେଟରେ ୨୦୦୯ ଏବଂ ୨୦୧୪ ମସିହାରେ ଜିତିଥିଲା ବେଳେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗଦେଇ ବିଧାୟକ ହୋଇଥିଲେ । ତାଙ୍କ ଅକାଳ ବିୟୋଗରେ ନିର୍ବାଚନ ମଣ୍ଡଳୀ ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି !

LEAVE A REPLY

Please enter your comment!
Please enter your name here