କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦୀର୍ଘ ୫ ମାସ ଧରି କନ୍ଧମାଳ ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ବୈଦ୍ୟୁତିକ ସାମଗ୍ରୀ ଚୋରି ଘଟଣା ପୋଲିସର ନିଦ ହଜାଇ ଦେଇଥିଲା ! ଶେଷରେ କନ୍ଧମାଳ ପୋଲିସ ଏହି ଚୋର ର଼୍ୟାକେଟକୁ ଧରିଛି । ଘଟଣାର ମାଷ୍ଟରମାଇଣ୍ଡ କଟକ ଜିଲା ସାଲେପୁର ଥାନା ଅଞ୍ଚଳର ଯୁବକଙ୍କ ସମେତ କନ୍ଧମାଳ ଜିଲାର ୪ ଜଣଙ୍କୁ ମିଶାଇ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ କମ୍ପ୍ୟୁଟର, ଟିଭି, ଜେନେରେଟର, ଜେରକ୍ସ ମେଶିନ ଏବଂ ଚୋରିରେ ବ୍ୟବହୃତ କାର୍, ବାଇକ୍ ଜବତ ହୋଇଛି । ଘଟଣାର ଆହୁରି ତଦନ୍ତ ଚାଲିଥିବା ସୋମବାର ଫୁଲବାଣୀ ସଦର ଥାନାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍ପି ଶୁଭେନ୍ଦୁ ପାତ୍ର ସୂଚନା ଦେଇଛନ୍ତି । ଗିରଫ ଯୁବକ ମାନେ ହେଲେ କଟକ ଜିଲା ସାଲେପୁର ଥାନା ଶିଶୁଆ ଗ୍ରାମର ସାଗର ବିଶ୍ୱାଳ, କନ୍ଧମାଳ ଜିଲା ସଦର ଥାନା ଗୁଗୁଡ଼ା ଗ୍ରାମର ମଙ୍ଗୁଳୁ ପ୍ରଧାନ, ମଜୁରିବିଡ଼ାର ଆଲୋକ ମୁନୀ, ପକନାଗାଁର ନିରନ କହଁର, ଖଜୁରୀପଡ଼ା ଥାନା ଲାମ୍ବାବାଡ଼ି ଗ୍ରାମର ମହେଶ୍ୱର ବେହେରା । ଗତ ୫ ମାସ ହେବ ଏହି ଲୁଟେରା ଦଳ ଜିଲାର ଫିରିଙ୍ଗିଆ, ଗୋଚ୍ଛାପଡ଼ା, ଖଜୁରୀପଡ଼ା, ଟିକାବାଲି, ସାରଙ୍ଗଡ଼ ଓ ସଦର ଥାନା ଅଞ୍ଚଳର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ, ଜନସେବା କେନ୍ଦ୍ର, ସ୍କୁଲ ଓ ଦୋକାନରୁ ତାଲା ଭାଙ୍ଗି କମ୍ପ୍ୟୁଟର, ଇନଭର୍ଟର ବ୍ୟାଟେରି, ଜେନେରେଟର, ଜେରକ୍ସ ମେଶିନ ଆଦି ସାମଗ୍ରୀ ଚୋରି କରୁଥିଲେ । ଏ ନେଇ ସମ୍ପୃକ୍ତ ଥାନା ଅଞ୍ଚଳରେ ୨୦ଟି ମାମଲା ରୁଜୁ ହୋଇଥିଲା କୌଣସି ସୂତ୍ରରୁ ଖବର ମିଳିଥିଲା ଯେ, ସାଲେପୁର ଅଞ୍ଚଳରେ ଏସବୁ ସାମଗ୍ରୀ ରହିଛି ଏବଂ କିଛି ବିକ୍ରି କରାଯାଇଛି । କନ୍ଧମାଳର ନୂତନ ଏସ୍ପି ଶୁଭେନ୍ଦୁ ପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସ୍ଡିପିଓ ସୁପ୍ରସନ୍ନ ମଲିକଙ୍କ ନେତୃତ୍ୱରେ ସଦର ଥାନା ଅଧିକାରୀ ସମୀର ରାଉତ, ଫିରିଙ୍ଗିଆ ଥାନା ଅଧିକାରୀ ତପନ ନାହାକ ଓ ଅନ୍ୟମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ସାଲେପୁର ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ସାଗରଙ୍କୁ ଧରିବା ପରେ ଘଟଣା ପଦାକୁ ଆସିଥିଲା । ସାଗରଙ୍କ ଶିଶୁଆ ବଜାରରେ ଏକ ମୋବାଇଲ ଦୋକାନ ରହିଛି । ସେ ଏସବୁ ଚୋରି ଜିନିଷ କିଣି ବିକ୍ରି କରୁଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ ଟି ମନିଟର, ୫ ଟି ସିପିୟୁ, ୬ ଟି ଏଲ୍ଇଡି, ୮ ଟି ପ୍ରିଣ୍ଟର, ୭ ଟି ଇନ୍ଭର୍ଟର ବ୍ୟାଟେରି, ଗୋଟିଏ ଜେନେରେଟର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା । ପାଖାପାଖି ଚୋରି ହୋଇଥିବା ୮୦ ପ୍ରତିଶତ ସାମଗ୍ରୀ ଜବତ ହୋଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍ପି ପ୍ରକାଶ କରିଛନ୍ତି ।
କନ୍ଧମାଳ ଜିଲ୍ଲାରୁ ଧରାପଡ଼ିଲା ବଡ଼ ଧରଣର ଚୋରି ର଼୍ୟାକେଟ : ବହୁ ସାମଗ୍ରୀ ସହ ୫ ଗିରଫ !!!

