ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ସି.ଡି.ଏମ.ଓ ମକରନ୍ଦ ବେଉରା ଫାଇଲେରିଆ ନିରାକରଣ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ କରି କିପରି ଲୋକମାନଙ୍କ ପାଖରେ ସଚେତନତା ବାର୍ତ୍ତା ପହଞ୍ଚିବ ଏହା ଉପରେ ବିବୃତ୍ତି ଦେଇଛନ୍ତି । ଆସନ୍ତା ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ନୟାଗଡ ଜିଲ୍ଲାରେ ଫାଇଲେରିଆ ନିରାକରଣ ନିମନ୍ତେ ଏକକାଳୀନ ସମୂହ ଔଷଧ ସେବନ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଗର୍ଭବତୀ ମହିଳା ଓ ୨ ବର୍ଷରୁ କମ୍ ଶିଶୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବୋଲି ସି.ଡି.ଏମ.ଓ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ମଧ୍ୟରେ ‘ଡି. ଇ. ସି’ ବଟିକା ସହ ‘ଆଲବେଣ୍ଡାଜୋଲ’ ବଟିକା ବୟସ ଅନୁପାତରେ ଗୋଟିଏ ମାତ୍ରାର ଔଷଧ ଲୋକମାନଙ୍କୁ ପ୍ରଶିକ୍ଷିତ ଓ ଦକ୍ଷ ଔଷଧ ପ୍ରଦାନକାରୀ ମାନେ ପ୍ରତ୍ୟକ୍ଷ ଭାବରେ ଖାଇବାକୁ ଦେବେ । ଏହି ଔଷଧ ପ୍ରଦାନକାରୀ ମାନେ ହେଲେ – ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ସ୍ଵେଚ୍ଛାସେବୀ । ଏହି ଔଷଧ ଏକ ନିରାପଦ ଔଷଧ ଅଟେ ଏବଂ ଏହାର ସାଧାରଣତଃ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଏହାକୁ ଯେକୌଣସି ସମୟରେ କିଛି ଖାଦ୍ୟ ଖାଇବା ପରେ ଖାଇବା ଉଚିତ୍, ନୁହେଁ କି ଯେ ପେଟ ପୁରା ଖାଦ୍ୟ ଖାଇବା ଆବଶ୍ୟକ । ଯାହାଙ୍କ ଦେହରେ ପୂର୍ବରୁ ଫାଇଲେରିଆ କୀଟାଣୁ ଥିବେ ଏହି ଔଷଧ ଖାଇଲା ପରେ ସେହି କୀଟାଣୁ ଗୁଡ଼ିକ ତୁରନ୍ତ ମରିଯିବା ହେତୁ ସାମାନ୍ୟ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇପାରେ, ଯଥା – ଦେହରେ ନାଲି ନାଲି ଫଳିଯିବା, ସାମାନ୍ୟ ମୁଣ୍ଡ ବୁଲେଇବା, ବାନ୍ତି ବାନ୍ତି ଲାଗିବା କିମ୍ବା ବାନ୍ତି ହେବା, କୌଣସି ଗଣ୍ଠି ପାଖ ହଠାତ୍ ଫୁଲିଯିବା, ଯାହା କିଛି ସମୟ ପରେ ଆପେ ଆପେ ଭଲ ହୋଇ ଯାଇଥାଏ । ଏହା କୌଣସି କ୍ଷତିକାରକ ବା ଖରାପ ଲକ୍ଷଣ ନୁହେଁ । ଯାହାଙ୍କ ଠାରେ ସେପରି ଦେଖାଦେବ ତାଙ୍କର ଆଶୁ ଚିକିତ୍ସା ବ୍ୟବସ୍ଥା ମଧ୍ୟ ରହିଛି ବୋଲି ସି.ଡି.ଏମ.ଓ ମକରନ୍ଦ ବେଉରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ନୟାଗଡରେ ଫାଇଲେରିଆ ନିରାକରଣ ଅଭିଯାନ !!!

