୭୬ ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା ପରିଷଦର ୭୬ ତମ ବୈଠକ ଅଧ୍ୟକ୍ଷl ସୁଶ୍ରୀ ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ , ଉପାଧ୍ୟକ୍ଷ ସନ୍ତୋଷ ସୁନା, ସାଂସଦଙ୍କ ପ୍ରତିନିଧି ସୁନୀଲ ଚନ୍ଦ୍ର ପଣ୍ଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲା ପରିଷଦ ରବି ନାରାୟଣ ତ୍ରିପାଠୀ, ଜିଲ୍ଲା ପରିଷଦର ସମସ୍ତ ସଦସ୍ୟ / ସଦସ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ / ଅଧ୍ୟକ୍ଷା , ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି ବୈଠକରେ ମୁଖ୍ୟତଃ ସ୍ୱାସ୍ଥ୍ୟ, କୃଷି, ସାଧାରଣ ବଣ୍ଟନ ବ୍ୟବସ୍ଥା, ଗ୍ରାମ୍ୟ ଜଳ ଯୋଗାଣ, ଜଳଛାୟା, ମହିଳା ଓ ଶିଶୁ ବିକାଶ, ବିଦ୍ୟାଳୟ ଓ ଗଣଶିକ୍ଷା, ମଙ୍ଗଳ ବିଭାଗ ବିଦ୍ୟାଳୟ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ଉପରେ ଆଲୋଚନାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ଜିଲ୍ଲାର ପ୍ରସୂତୀ ମାଆ ମାନଙ୍କୁ ସ୍ୱାସ୍ଥ୍ୟ ସେବା ସଠିକ ଭାବରେ ଯୋଗାଇବା ନିମନ୍ତେ ଓ ଆବଶ୍ୟକ ଡାକ୍ତର ପଦଵୀ ପୂରଣ ନିମନ୍ତେ ପଦକ୍ଷେପ ନେଵାକୁ ସଦସ୍ୟ ମାନେ ଅନୁରୋଧ କରିଥିଲେ । କୃଷି ବିକାଶ ଉପରେ ଆଲୋଚନା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜିଲ୍ଲାରେ ଖରିଫ ଋତୁରେ ୨୦୨୨-୨୩ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଫସଲର ବିବରଣୀ, ଜଳସେଚନ, ବିହନ ବଣ୍ଟନ, ସାର ୱାରୀ ଯୋଜନା, କୃଷି ଯାନ୍ତ୍ରିକ କରଣର ଲକ୍ଷ ଧାର୍ଯ୍ୟ ଏବଂ ହାସଲ ଓ ବିଭିନ୍ନ ଯୋଜନାର ପଦକ୍ଷେପ ଓ ଅଗ୍ରଗତି ସମ୍ୱନ୍ଧରେ ଉପସ୍ଥାପନା କରିଥିଲେ । ସେହିପରି ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀ ମାନଙ୍କୁ ଦିଆଯାଇଥିବା ଖାଦ୍ୟ, ଆର୍ଥିକ ବର୍ଷ ୨୦୨୨-୨୩ ଧାନ ସଂଗ୍ରହ ଉପରେ ଜିଲ୍ଲା ଯୋଗାଣ ଅଧିକାରୀ ଉପସ୍ଥାପନା କରିଥିଲେ । ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ପାନୀୟ ଜଳ ତରଫରୁ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ଉପରେ ନିଆଯାଉଥିବା କାର୍ଯ୍ୟକ୍ରମ ଉପରେ ଉପସ୍ଥାପନ କରିଥିଲେ l ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷରେ ଜିଲ୍ଲାର ୨,୩୫,୮୭୮ ଗୃହକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ଯୋଗେ ପାଣି ଯୋଗାଇ ଦିଆଯିବ l ଜିଲ୍ଲାର ଦୁର୍ଗମ ଓ ପାହାଡ ଶିଖର ଅଂଚଳରେ ବସବାସ କରୁଥିବା ୨୬୦ ଗ୍ରାମକୁ ଜଳଯୋଗାଣ କରାଯିବା ନିମନ୍ତେ କାର୍ଯ୍ୟ ଚାଲୁଥିବା ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି l ଅନ୍ୟାନ୍ୟ ଅଂଚଳରେ ଜଳ ଯୋଗାଇବା ନିମନ୍ତେ ୧୫ ଦିନ ମଧ୍ୟରେ ସମାଧାନ କରିବାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି l ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଗମନା ଗମନ ପାଇଁ ରାସ୍ତାଘାଟ ନିର୍ମାଣ ଅସଂପୂର୍ଣ୍ଣ କାମକୁ ତୁରନ୍ତ ସଂପୂର୍ଣ୍ଣ କରିବା ଉପରେ ସଦସ୍ୟ ମାନେ କହିଥିଲେ । ବୈଠକରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଉପରେ ଆଲୋଚନା କରାଯାଇଥିଲା l ଏଥିରେ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ସ୍ୱାସ୍ଥ୍ୟ ସହ ସେମାନଙ୍କ ପ୍ରାରମ୍ଭିକ ଶିକ୍ଷା ଉପରେ ଧ୍ୟାନ ଦେବାକୁ ସଦସ୍ୟ ମାନେ ଅନୁରୋଧ କରିଥିଲେ l ଜଳଛାୟା ବିଭାଗ ଉପରେ ମଧ୍ୟ ଆଲୋଚନା କରି ଜିଲ୍ଲାରେ ଅଧିକ ଅର୍ଥ ଆଣି ବିଭିନ୍ନ ବ୍ଲକରେ କାର୍ଯ୍ୟକାରୀ କରିବା ନିମନ୍ତେ ଅନୁରୋଧ କରିଥିଲେ lସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷାର ବିକାଶ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ଉପସ୍ଥାପନା କରିଥିଲେ । ଶିକ୍ଷକ ମାନେ ଦୂରଦୂରାନ୍ତ ଅଂଚଳରେ ନିୟମିତ ଭାବରେ ରହୁ ନଥିବାରୁ ତଦାରଖ କରିବା ନିମନ୍ତେ ସଦସ୍ୟ ସଦସ୍ୟା ମାନେ ଅନୁରୋଧ କରିଥିଲେ l

Leave a Reply

Your email address will not be published. Required fields are marked *