ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ରଙ୍କ ନେତୃତ୍ବରେ ବିଜେପିର ବିଭିନ୍ନ ବର୍ଗର କର୍ମୀ ସାମିଲ ରହି ଏସ.ପିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କର୍ମୀମାନେ ବ୍ୟାନର ଓ ପ୍ଲାକାର୍ଡ ଧରି ବିଭିନ୍ନ ନାରାବାଜି ଦେଇଥିଲେ। ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ଯୋଜନା ବଦ୍ଧ ଆକ୍ରମଣରେ ପୋଲିସ ବିରୋଧରେ ବିଭିନ୍ନ ଥାନାରେ ଦିଆଯାଇ ଥିବା ଏତଲା ପଞ୍ଜିକରଣ ନ ହେବା ପ୍ରତିବାଦରେ ବିଜେପି ତରଫରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ ଦାବିପତ୍ର ଗ୍ରହଣ କରିଛନ୍ତି । ଏହି ବିକ୍ଷୋଭ ଓ ଗଣଧାରଣାରେ ସି.ଏଚ ସୀମାଦ୍ରୀ, ଜଗନ୍ନାଥ ମହାପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ର, ବିଭୁତି ଭୂଷଣ ବେହେରା, ଅରୁଣୀମା ସାହୁ, ରୋକମ ନାରାୟଣ ରାଓ , କେ. ଯୁବରାଜ, ପି.କ୍ରାନ୍ତି ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଓ ନେତା ସାମିଲ ହୋଇଥିଲେ ।