ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ ! ଲୋକଙ୍କ ହାତ ପାହାନ୍ତାରେ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଏବଂ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ନୟାଗଡ ମ୍ୟୁନିସିପାଲିଟିର ଆଠ ନମ୍ବର ୱାର୍ଡ ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି ! ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ର କୁ ଉଦଘାଟନ କରିଥିଲେ ! ଏହି ଅବସରରେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ମକରନ୍ଦ ବେଉରା, ନୟାଗଡ ମ୍ୟୁନିସିପାଲିଟି ଅଧ୍ୟକ୍ଷ୍ୟା ଶ୍ରୀମତୀ ନିରୁପମ ଖଟେଇ, ଉପାଧ୍ୟକ୍ଷ୍ୟ ଗୁରୁପ୍ରସାଦ ଜେନା, କାଉନସିଲର କିଶାନ କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାରଗୋଟି ବିସ୍ତୃତ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ । ସେଗୁଡିକ ମଧ୍ୟରେ ଗର୍ଭଧାରଣ ଏବଂ ଶିଶୁ-ଜନ୍ମରେ ଯତ୍ନ, ନବଜାତକ ସ୍ୱାସ୍ଥ୍ୟ ସେବା, କିଶୋର ସ୍ୱାସ୍ଥ୍ୟ ସେବା, ପରିବାର ନିଯୋଜନ, ଗର୍ଭ ନିରୋଧକ ସେବା ଏବଂ ଅନ୍ୟାନ୍ୟ ପ୍ରଜନନ ସ୍ୱାସ୍ଥ୍ୟ ସେବା, ସଂକ୍ରାମକ ରୋଗର ପରିଚାଳନା, ସଂକ୍ରାମକ ରୋଗର ଚିକିତ୍ସା, ଅଣ-ସଂକ୍ରାମକ ରୋଗର ସ୍କ୍ରିନିଂ, ପ୍ରତିରୋଧ, ନିୟନ୍ତ୍ରଣ ଏବଂ ପରିଚାଳନା, ଚକ୍ଷୁ, ନାସା, କର୍ଣ୍ଣ ସମସ୍ୟାର ଚିକିତ୍ସା ଓ ଯତ୍ନ, ଶଯ୍ୟାଶାୟୀ ବୃଦ୍ଧ ବୃଦ୍ଧା ଙ୍କ ପାଇଁ ଉପଶମକ ସ୍ୱାସ୍ଥ୍ୟ ସେବା, ଜରୁରୀକାଳୀନ ଚିକିତ୍ସା, ମାନସିକ ସ୍ୱାସ୍ଥ୍ୟର ସ୍କ୍ରିନିଂ ଆଦି ମୌଳିକ ସ୍ୱାସ୍ଥ୍ୟ ସେବା ଗୁଡିକ ଯୋଗାଇ ଦିଆଯିବ । ଏଠାରେ ସର୍ବସାଧାରଣଙ୍କ ପାଇଁ କ୍ଲିନିକାଲ୍ ଯତ୍ନ, ପ୍ରାଥମିକ ଚିକିତ୍ସା, ଔଷଧ, ନିଦାନ ଏବଂ ଜରୁରୀକାଳୀନ ସେବା ଇତ୍ୟାଦି ବିନାମୂଲ୍ୟରେ ଉପଲବ୍ଧ ହେବ । ଏଥିପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯାଇଛି ଏବଂ ମାନବ ସମ୍ବଳ ଉକ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଉପଲବ୍ଧ କରାଯାଇଛି । ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଏକୀକରଣ ଏବଂ କାର୍ଯ୍ୟକ୍ଷମତା ବୃଦ୍ଧି ସହିତ ସ୍ୱାସ୍ଥ୍ୟ ପ୍ରଣାଳୀର ମଜବୁତକରଣରେ ଏହା ଯୋଗଦାନ କରିବାର ଲକ୍ଷ୍ୟ ରହିଛି । ତତ ସହିତ ଯୋଗ, ବ୍ୟାୟାମ ଇତ୍ୟାଦି ସ୍ୱାସ୍ଥ୍ୟ ପ୍ରୋତ୍ସାହନ କାର୍ଯ୍ୟକଳାପ କରାଯିବା ପାଇଁ ବ୍ୟବସ୍ଥା ରହିବ । ଏହି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଦୈନନ୍ଦିନ ପରିଚାଳନା, ଉପଭୋକ୍ତା ସନ୍ତୋଷ ଏବଂ ସ୍ଥାୟୀ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ଲୋକ ପ୍ରତିନିଧି ଓ ହିତାଧିକାରୀଙ୍କୁ ନେଇ “ଜନ ଆରୋଗ୍ୟ ସମିତି’ ଗଠନ କରାଯାଇ ଏହି କେନ୍ଦ୍ରର ମାଲିକାନା ଓ ପରିଚାଳନା ଦାୟିତ୍ୱ ଦିଆଯିବ । ଏହି କାର୍ଯ୍ୟକ୍ରମଟି ଡିପିଏମ ବିଶ୍ଵ ରଞ୍ଜନ ରଥ, ଆଶା ମ୍ଯାନେଜର ସୀତାକାନ୍ତ ପଟ୍ଟନାୟକଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ ହୋଇଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି, ସାଧାରଣ ଜନତା ଓ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।
ନୟାଗଡରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ !!!

