ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମିନ ସଂକ୍ରାନ୍ତି ଠାରୁ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ପ୍ରତ୍ୟେକ ବର୍ଷ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ । କେଉଁ କେଉଁ ଗ୍ରାମରେ ଏହା ୨୧ ଦିନ ପାଳିତ ହେଉଥିବା ବେଳେ ଆଉ କେଉଁ ଗ୍ରାମରେ ୧୯ ଧରି ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଥାଏ l ଚଳିତ ବର୍ଷ ଦଣ୍ଡ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ବାଣପୁର ସହରରେ ସ୍ଥାନୀୟ ବାଣପୁର ଦଣ୍ଡମିଳନ କମିଟି ଆନୁକୂଲ୍ୟରେ ୧୫ ତମ ବାର୍ଷିକ ଦଣ୍ଡମିଳନ ସମାରୋହ ଐତିହାସିକ ପଲଟନ ପଡ଼ିଆରେ ଆଡମ୍ୱର ସହ ଅନୁଷ୍ଠିତ ହୋଇଯାଇଛି ।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବଡ଼ହନ୍ତୁଆଡ ଗ୍ରାମର ଦଣ୍ଡ ଠାକୁର ଶ୍ରୀ ଶ୍ରୀ ରାଜା ରାଜେଶ୍ୱର ଦେବଙ୍କ ନିମନ୍ତ୍ରଣ କ୍ରମେ ବାଣପୁର ଅଞ୍ଚଳର ୧୨ ଗୋଟି ଦଣ୍ଡ ଠାକୁର ଶ୍ରୀ ଶ୍ରୀ ଭକ୍ତ ରାଜେଶ୍ୱର ଦେବ ବିଜେ ସାନହନ୍ତୁଆଡ, ଶ୍ରୀ ଶ୍ରୀ କପିଳେଶ୍ଵର ଦେବ ବିଜେ ମାଟିଆ ପୋଖରି, ଶ୍ରୀ ଶ୍ରୀ ଝାଡେଶ୍ୱର ଦେବ ବିଜେ ଭୀମପୁର, ଶ୍ରୀ ଶ୍ରୀ ଭେଟିନାଥ ଦେବ ବିଜେ ଭେଟେଶ୍ୱର, ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବ ବିଜେ ଗାଲୁଆ, ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ ବିଜେ ବିଧାରପୁର, ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବ ବିଜେ ବଡ ସିରେଇପୁର, ଶ୍ରୀ ଶ୍ରୀ ଗାଦିଶ୍ୱର ଦେବ ବିଜେ ବେରୁଆଁ ବାଡି, ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଦେବ ବିଜେ ଅରାଙ୍ଗ, ପଞ୍ଚ ମହାଦେବ,ନୀଳକଣ୍ଠେଶ୍ଵର ଦେବ ବିଜେ ଖାରିଆ ପଲ୍ଲୀ, ନାଗରାଜ ଦେବ ବିଜେ ବୋରିଗାଁ ଦଣ୍ଡ ଠାକୁର ନିମନ୍ତ୍ରଣ ରକ୍ଷା କରି ଠାକୁର ଙ୍କ ସହ ପାଟ ଭକତା, ଘଣ୍ଟୁଆ କାହାଳୀ, ଚାମ୍ବର ସହ ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ମାଳା ରେ ସଜ୍ଜିତ କରାଇ ନିଜ ନିଜ ଠାକୁର ମାନଙ୍କୁ ନିଜେ ଗ୍ରାମବାସୀ ମାନେ ନେଇ ଆସିଥିଲେ ପଡିଆ ମଧ୍ୟକୁ । ସମସ୍ତ ଦଣ୍ଡ ଠାକୁର ଆସନ ଗ୍ରହଣ କରି ସାରିବା ପରେ ପୂଜାର୍ଚ୍ଚନା ହୋଇଥିଲା ଓ ତାପରେ ଭକ୍ତ ଓ ଭଗବାନ ଙ୍କ ମହା ମିଳନ ପର୍ବ ଅନୁଷ୍ଠିତ ହୋଇଥିଲା । ଏକବର୍ଷ ଧରି ଚାତକ ପରି ଚାହିଁ ବସିଥିବା ଭକ୍ତ ମାନେ ଏହି ଅପୂର୍ବ ମିଳନ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଏକାଠି ହୋଇଥିଲେ !

