ଜବରଦଖଲରେ ଗୋଚର ଜମି : କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛି ଡମପଡା ତହସିଲ !!!

0
330

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସରକାରୀ ଏବଂ ଗୋଚର ଜମିକୁ ବର୍ଷ ବର୍ଷ ଧରି ମାଡି ବସିଛନ୍ତି ପ୍ରଭାବଶାଳୀ ବ୍ୟକ୍ତି । କେବଳ ମାଡି ବସି ନାହାନ୍ତି ଏକର ଏକର ଜାଗାରେ କରିଛନ୍ତି ଘର । ଏପରିକି ଘର କରି ଦୋକାନ ପାଇଁ ଭଡା ମଧ୍ୟ ଦେଇଛନ୍ତି । ବର୍ଷ ବର୍ଷ ଧରି ସେଥିରୁ ଭଡା ଆଦାୟ ମଧ୍ୟ କରୁଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଉପଖଣ୍ଡରେ ଥିବା ଡମପଡା ତହସିଲ ଅଧିନ ନିସ୍ତିପୁର ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପରିଧିରେ ଥିବା ଘାଷିପୁଟ ମୌଜାରେ । ପୂର୍ବରୁ ଅଭିଯୋଗ ଆସିଥିବା ସ୍ଥାନରୁ ମାତ୍ର ୫୦ ମିଟର ଦୂରରେ ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ଏକ ସରକାରୀ ଜାଗାରେ ଶହୀଦ ସ୍ମୃତି ସ୍ଥମ୍ଭ ନିର୍ମାଣ କରାଯାଉଥିବା ବେଳେ ପ୍ରଶାସନ ଏହାକୁ ବେଆଇନ ଦର୍ଶାଇ ବୁଲଡୋଜର ଚଳାଇ ଭାଙ୍ଗିଥିଲା । କିନ୍ତୁ ଗାଈ ଗୋରୁଙ୍କ ଚରିବା ପାଇଁ ରହିଥିବା ଗୋଚର ଜମିରେ ଏପରି ଜବରଦଖଲ ସହ ଘର କରି ଭଡା ଆଦାୟ କରାଯାଉଥିବା ବେଳେ ତହସିଲ ପ୍ରଶାସନ ଚୁପ ବସିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୁହା ଯାଉଛି ଘରର ମାଲିକ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ହେତୁ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛି ବିଭାଗ । ମିଳିଥିବା ସୂଚନା ଅନୁଯାୟୀ ନିସ୍ତିପୁର ଆରଆଇ ଙ୍କ ଅଧୀନରେ ରେ ଥିବା ଘାଷିପୁଟ ମୌଜାରେ ଥିବା ଏକ ଗୋଚର ଜମିରେ ବିଦ୍ୟୁତ ବିଭାଗ ର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଛି । ଯାହାକି ଖାତା ନମ୍ବର 281ର ପ୍ଲଟ ନମ୍ବର -682 ରକବା ଏ ୮.୮୬ସ୍ମ ଏ ୦.୭୨ରେ ଅବସ୍ଥିତ । ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଉକ୍ତ ସ୍ଥାନକୁ ଲିଜରେ ନେବାପାଇଁ କାର୍ଯ୍ୟାଳୟରେ ଲିଜ କେଶ ନଂ ୪୦/୨୦୧୧ ବିଚାରଧୀନ ଆଜି ଯାଏଁ ରହିଛି । ଅନ୍ୟପକ୍ଷରେ ସମାନ ଖାତାରେ ଉଠା ଜଳ ସେଚନ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ସେହି ସ୍ଥାନକୁ ଲିଜ ପାଇଁ ଦରଖାସ୍ତ କରିଥିଲେ। କିନ୍ତୁ ରାଜସ୍ୱ ବିଭାଗ ପକ୍ଷରୁ ଚିଠି ସଂଖ୍ୟା ୧୧୫୦ ତା ୨୬-୦୬-୨୦୧୮ମୁତାବକ ଦରଖାସ୍ତଟିକୁ ଖାରଜ କରାଯାଇଛି । କିନ୍ତୁ ଏହି ସମାନ ଖାତାର ଦୁଇ ସରକାରୀ କାର୍ଯ୍ୟାଳୟ ମଧ୍ୟରେ ରହିଥିବା ଗୋଚର ଜମିକୁ ଦୀର୍ଘ ବର୍ଷ ହେବ ମାଡି ବସିଛନ୍ତି ସେହି ଗ୍ରାମର ଅମୀୟବାଳା ଜେନା ନାମକ ଜଣେ ପ୍ରଭାବଶାଳୀ ବ୍ୟକ୍ତି । ଯାହାର ପ୍ଲଟ ନମ୍ବର-୬୮୨ କିସମ ଗୋଚର ରକବା ଏ ୮.୮୬ସ୍ମ ଏ ୦.୧୦ ଅଟେ । ଏସମ୍ପର୍କରେ ଜନ ସୂଚନା ଅଧିକାର ବଳରେ ତଥ୍ୟ ମିଳିବା ପରେ ସବୁ ମହଲରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଅବସରପ୍ରାପ୍ତ ସୈନିକ ସଙ୍ଘର ସ୍ମୃତି ସ୍ଥମ୍ବକୁ ବେଆଇନ ଦର୍ଶାଇ ତହସିଲ ପ୍ରଶାସନ ଭାଙ୍ଗିଥିବା ବେଳେ ଗୋଚର ଜମିରେ କିଭଳି ବେଆଇନ ଜବରଦଖଲ କରି ଘର ନିର୍ମାଣ କରାଯାଇ ପ୍ରଭାବଶାଳୀ ବ୍ୟକ୍ତି ଭଡା ଆଦାୟ କରୁଛନ୍ତି ତାହାକୁ ନେଇ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି । ଗୋଚର ଜମିରୁ ଜବର ଦଖଲ ହଟାଇବା ପାଇଁ ଜନ ସୂଚନା ଅଧିକାର କର୍ମୀ ଅର୍ଜୁନ ପ୍ରଧାନ ରାଜସ୍ୱ ବିଭାଗ ପାଖରେ ଫେରାଦ ହେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here