ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବାପା ମା ହାତ ଧରା ଧରି ହୋଇ ଚାଲିଯାଆନ୍ତି ଆରପାରିକୁ, ଆଉ ଭାଗ୍ୟକୁ ଆଦରି ପଡ଼ି ରୁହନ୍ତି ଦୁଇ ଝିଅ ! ସାହାରା ବୋଇଲେ ଅଶି ବର୍ଷର ବୁଢୀମା ଟିଏ l ଏ ଘଟଣା କୌଣସି ସିନେମାର କାହାଣୀ ଠାରୁ ବି କମ୍ ନୁହେଁ l ଏ ଘଟଣା ହେଉଛି ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ବେଙ୍ଗିଟାଙ୍ଗୀ ଗାଁ ଆଦିବାସୀ ସାହି ର ଦୁଇ ଭଉଣୀଙ୍କର l ସପନି ନାୟକ କାମଧନ୍ଦା କରି ଯେଉଁ ଦି ପଇସା ଆଣୁଥିଲେ ବେଶ ଖୁସିରେ ଚାଲୁଥିଲା ତାଙ୍କ ଛୋଟ ସଂସାର l କିନ୍ତୁ ଦଇବ ବୋଧେ ତାହାକୁ ସହି ପାରିଲା ନାହିଁ l ଅଜଣା ରୋଗରେ ଏକବର୍ଷ ତଳେ ସେ ଚାଲି ଯାଇଥିଲେ ଆରପାରିକୁ , ଆଉ ତାଙ୍କୁ ଝୁରି ଝୁରି ଆଜିକୁ ଛ’ ଦିନ ତଳେ ତାଙ୍କ ସ୍ତ୍ରୀ ଟୁକୁନା ସାହୁ ଆରପାରିକୁ ଚାଲିଗଲେ l ଅନାଥ ହୋଇଗଲେ ଦୁଇଝିଅ, +2 ପଢ଼ୁଥିବା ପୂଜା ଆଉ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ସୁଜାତା ! ତା ସହିତ ଅଶି ବର୍ଷର ବୁଢ଼ୀ ମା l ଘର ବୋଲି 15/20 ବର୍ଷ ତଳେ ମିଳିଥିବା ଅଧା ପନ୍ତରିଆ ଇନ୍ଦିରା ଆବାସ ବଖରା ଟିଏ ! ତା ସାଙ୍ଗକୁ ରାସନ ବାବଦକୁ ଚାଉଳ କିଛି l ଯେଉଁଠି ଦିନକୁ ଦି’ ଓଳି ଖାଦ୍ୟ ଏମାନଙ୍କ ପକ୍ଷେ ଅସମ୍ଭବ l ଭବିଷ୍ୟତର ସ୍ବପ୍ନ ଏମାନେ ଦେଖିବେବା କାହିଁ l ଏହି ପରିବାରର ଏପରି ଅବସ୍ଥା ଦେଖି, ତାଙ୍କ ରାସନ କାର୍ଡକୁ ଅନ୍ତୋଦୟରେ ଅନ୍ତର୍ଭୁକ୍ତ କରିବା ସହିତ ସରକାରୀ ସୁବିଧା ଯାହା ସମ୍ଭବ, ତାହା ଦିଆଯିବ ବୋଲି ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ସେମାନଙ୍କୁ କଥା ଦେଇଥିଲେ l ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କ ପରିବାରକୁ ସାହାଯ୍ୟ କରନ୍ତି ତେବେ ଅସହାୟ ତିନି ପ୍ରାଣୀଙ୍କ ମୁଁହରେ ହସ ଟିକେ ଫୁଟି ପାରନ୍ତା l
ରାସନ ଚାଉଳରେ ପୁରୁନି ପେଟ !!!

