ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା କାଳିଜାଇଙ୍କ ପୀଠ ନବବର୍ଷରେ ବେଶ ଚଳଚଞ୍ଚଳ ହୋଇ ଉଠିଥିଲା । ସକାଳ ଠାରୁ ଏଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ନୌବିହାର, ବିଦେଶୀ ପକ୍ଷୀଙ୍କ ଆଗମନ ଓ କାଳିଜାଇ ପୀଠ ଦର୍ଶକଙ୍କୁ ଆକର୍ଷିତ କରିଛି । ପର୍ଯ୍ୟଟନ ଋତୁରେ ଭିଡ଼କୁ ନିୟନ୍ତ୍ରଣ କରିବା ଓ ମା ଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ବ୍ୟାରିକେଟ ପ୍ରସ୍ତୁତ କରାଯାଇଛି । ଲୋକଙ୍କ ସୁରକ୍ଷା ନିମନ୍ତେ ପୀଠ ରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରସିଦ୍ଧ ମକର ମେଳା ମହୋତ୍ସବ ନିମନ୍ତେ ଏଠାରେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଗଲାଣି । ମା’ଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ସ୍ଥାନୀୟ ପୋଲିସ ପ୍ରକାଶ କରିଛନ୍ତି । ବେପରୁଆ ଡ଼ଙ୍ଗା ଚାଳକମାନଙ୍କ ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି ହେଉଛି । ଆସନ୍ତା ଜାନୁୟାରୀ ମାସ ୧୫ ତାରିଖରେ ମା’ଙ୍କ ପୀଠରେ ମକର ମେଳା ମହୋତ୍ସବ ମାର୍ଫତଦାର ପାରିକୁଦ ରାଜା ସାହେବ ସନ୍ତୋଷ ଚନ୍ଦ୍ର ଦେଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।