ଫାଇଲେରିଆ ନିରାକରଣ ନିମନ୍ତେ ଏକକାଳୀନ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକରେ ଫାଇଲେରିଆ ବା ବାତଜ୍ଵର ନିରାକରଣ ନିମନ୍ତେ ‘ଏକକାଳୀନ ସାମୁହିକ ଔଷଧ ସେବନ’ କାର୍ଯ୍ୟକ୍ରମ ହେବାକୁ ଯାଉଅଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ‘ଡି.ଇ.ସି’ ବଟିକା ସହ ‘ଆଲ୍‌ବେଣ୍ଡାଜୋଲ’ ବଟିକା ବୟସ ଅନୁପାତରେ ଗୋଟିଏ ମାତ୍ରାର ଔଷଧ ଲୋକମାନଙ୍କୁ ପ୍ରଶିକ୍ଷିତ ଓ ଦକ୍ଷ ଔଷଧ ପ୍ରଦାନକାରୀମାନେ ପ୍ରତ୍ୟକ୍ଷ ଭାବରେ ଖାଇବାକୁ ଦେବେ । ଏହି ଔଷଧ ପ୍ରଦାନକାରୀମାନେ ହେଲେ – ଆଶାକର୍ମୀ, ଅଙ୍ଗନୱାଡିକର୍ମୀ ଓ ସ୍ୱେଚ୍ଛାସେବୀ । ଏହି ଔଷଧ ଏକ ନିରାପଦ ଔଷଧ ଅଟେ ଏବଂ ଏହାର ସାଧାରଣତଃ କୈାଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ । ଏହାକୁ ଯେକୌଣସି ସମୟରେ କିଛି ଖାଦ୍ୟ ଖାଇବା ପରେ ଖାଇବା ଉଚିତ୍ I ଯାହାଙ୍କ ଦେହରେ ପୂର୍ବରୁ ଫାଇଲେରିଆ କୀଟାଣୁ ଥୁବେ ଏହି ଔଷଧ ଖାଇଲା ପରେ ସେହି କୀଟାଣୁ ଗୁଡିକ ତୁରନ୍ତ ମରିଯିବା ହେତୁ ସାମାନ୍ୟ କିଛି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଇପାରେ, ଯଥା:- ଦେହରେ ନାଲି ନାଲି ଫଳିଯିବା, ସାମାନ୍ୟ ମୁଣ୍ଡ ବୁଲେଇବା, ବାନ୍ତି ବାନ୍ତି ଲାଗିବା କିମ୍ବା ବାନ୍ତି ହେବା, କୌଣସି ଗଣ୍ଠି ପାଖ ହଠାତ୍ ଫୁଲିଯିବା, ଯାହାକିଛି ସମୟ ପରେ ଆପେ ଆପେ ଭଲ ହୋଇଯାଇଥାଏ । ଏହା କୌଣସି କ୍ଷତିକାରକ ବା ଖରାପ ଲକ୍ଷଣ ନୁହେଁ । ଯାହାଙ୍କ ଠାରେ ସେପରି ଦେଖାଦେବ ତାଙ୍କର ଆଶୁ ଚିକିତ୍ସା ବ୍ୟବସ୍ଥା ମଧ୍ୟ ରହିଛି । ସେଥି ପାଇଁ ଜନସାଧାରଣ ବିଚଳିତ ନହେବା ଏବଂ ଔଷଧ ପ୍ରତ୍ୟାଖାନ ନକରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ତା ୧୦.୦୨.୨୦୨୪ ରିଖ ଦିବା ୧୦ ଘଟିକା ସମୟରେ ଦଶପଲ୍ଲା ସ୍ଥିତ ଆଦର୍ଶ ବିଦ୍ୟାଳୟ ସ୍କୁଲ ପ୍ରାଙ୍ଗଣରେ ବାତଜ୍ଵର ନିରାକରଣ ନିମନ୍ତେ ଏକକାଳୀନ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭ ଉଦ୍ଦଘାଟନ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମର ବ୍ୟାପକ ସଚେତନତା ପାଇଁ ରୋଟାରୀ କ୍ଲବ ନୟାଗଡ଼ କାର୍ଯ୍ୟ କରୁଛି ।

Leave a Reply

Your email address will not be published. Required fields are marked *