ତ୍ରୟୋଦଶୀରେ ଛଅ ଶାସନର ନିମନ୍ତ୍ରଣ ଗ୍ରହଣ କଲେ ମା’ଭଗବତୀ : ଚତୁର୍ଦ୍ଦଶୀରୁ ଶାସନ ବାଡିରେ ଚ଼ାଚ଼େରୀ ଭୋଗ ଆରମ୍ଭ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶାର ପୁରପଲ୍ଲୀରେ ଫାଲ୍ଗୁନ ଶୁକ୍ଳ ଦଶମୀଠାରୁ ଦୋଳଯାତ୍ରା ଆରମ୍ଭ ହୋଇ ଚୈତ୍ର କୃଷ୍ଣ ଏକାଦଶୀ ଯାଏ ଚାଲେ l ଏହି ସମୟରେ ମନ୍ଦିରରେ ବିଜେ ଚଳନ୍ତି ପ୍ରତିମା ମାନେ ରତ୍ନ ସିଂହାସନ ତ୍ୟାଗ କରି ଗ୍ରାମ ପରିକ୍ରମା କରି ଶ୍ରଦ୍ଧାଳୁଙ୍କ ଦୂଆରେ ବଢ଼ାଯାଇଥିବା ମୁଆଁ, ଖଇ, କୋରା, ଫଳମୂଳ,ଚଣା, ଶାକର, ଫେଣି, ଆଖୁ, ମୁଗଧୁଆ, ଚ଼ୁଡ଼ାଘଷା, ରସାବଳୀ ଇତ୍ୟାଦି ନାନାଦି ପ୍ରକାରର ନୈବେଦ୍ୟ ଗ୍ରହଣ କରି ଅବିର ଲାଗି ହୁଅନ୍ତି । ଏହାକୁ ଚ଼ାଚ଼େରୀ ଭୋଗ କୁହାଯାଏ। ଶକ୍ତିପୀଠ ବାଣପୁରରେ କିନ୍ତୁ ମା’ଭଗବତୀଙ୍କ ଚ଼ାଚ଼େରୀ ଭୋଗ ନିଆରା । ଫାଲ୍ଗୁନ ତ୍ରୟୋ ଦଶୀରେ ଛଅ ବ୍ରାହ୍ମଣ ଶାସନର ଠାକୁର ମାନେ ମା’ଙ୍କୁ ନିମନ୍ତ୍ରଣ କରି ଫେରିବା ପରେ ମା’ ନିମନ୍ତ୍ରଣ ରକ୍ଷା କରିଚ଼ତୁର୍ଦ୍ଦଶୀରେ ବାହାରିଛନ୍ତି ଶାସନ ବାଡିରେ ଚାଚେରୀ ଖାଇ । ବର୍ଷକେ ଥରେ ମା’ ଭଗବତୀଙ୍କୁ ଦୁଆରେ ପାଇ ବ୍ରାହ୍ମଣ ପରିବାର ମାନଙ୍କରେ ଆନନ୍ଦ ଉଲ୍ଲାସ ଭରିଯାଏ । ପରିବାରର ପୁଅଝୀଅ ବନ୍ଧୁ ବାନ୍ଧବ ଯେତେ ଦୂରରେ ଥିଲେ ବି ମା’ଙ୍କ ଦର୍ଶନ ସହିତ ପ୍ରସାଦ ପାଇବା ପାଇଁ ଘରେ ପହଞ୍ଚିଯାନ୍ତି । ଏହିଦିନ ପ୍ରତିଘରେ ମା’ଙ୍କ ପ୍ରିୟ ଶଙ୍କୁଡ଼ି ଭୋଗ ଖେଚ଼େଡ଼ି, ଡ଼ାଲି,ଆମ୍ବିଳ, ମାଛମହୁର, ମାଛଭଜା, ମାଛ ପୋଡ଼ା, ଗୁଣ୍ଡିଭଜା, ଖିରି,କାକରା ମୁଆଁ, ଫଳ ମୂଳ ଇତ୍ୟାଦି ନାନା ଦିବ୍ୟଞ୍ଜନ ପ୍ରସ୍ତୁତ କରି ଘର ଭିତରେ ବାଢ଼ି ମା’ଙ୍କୁ ଅର୍ପଣ କରନ୍ତି। ଏଥି ସହିତ ପାଟ, ଶାଢ଼ି, ଚ଼ୁଡ଼ି ପରି ନାନାଦି ଶୃଙ୍ଗାର ଦ୍ରବ୍ୟ ମା’ଙ୍କୁ ଅର୍ପଣ କରି ବାଜା ରୋଷଣୀ ନାଚ ଗୀତରେ ମା’ଙ୍କୁ ଗ୍ରାମ ପରିକ୍ରମା କରାନ୍ତି । ମା’ଙ୍କ ପ୍ରସାଦ ଶାହିପଡ଼ିସା ବନ୍ଧୁବାନ୍ଧବଙ୍କୁ ବଣ୍ଟନ କରାଯାଏ। ଅଚ୍ୟୁତରାଜପୁର , ଶ୍ରୀନିବାସପୁର ତୁଳସୀ ଦେଇ ପୁର ପରି ତିନି ଶାସନ ବାଡ଼କୁ ମା’ ଚ଼ତୁର୍ଦ୍ଦଶୀ ଯାତ୍ରାରେ ଯୋଗଦେଉ ଥିବାବେଳେ, ଗୋପାଳପୁର, କୋଟ ବିଦ୍ୟାଧରପୁର, ପାଟପୁର ପରି ତିନି ଶାସନକୁ ଚନ୍ଦନ ଯାତ୍ରାରେ ଚାପ କ୍ରୀଡ଼ାରେ ଯୋଗ ଦେବାକୁ ଯାତ୍ରା କରି ପନ୍ତି ଭୋଗ ଖାଇ ଫେରିବାର ନିଆରା ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି ।।

Leave a Reply

Your email address will not be published. Required fields are marked *