କିଟରେ ଚାଲିଛି କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ” ଆଇ ସର୍ଭ ୟୁ ହିରୋ ଲିଗ ” !!!

0
131

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କିଟରେ ଚାଲିଛି କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ” ଆଇ ସର୍ଭ ୟୁ ହିରୋ ଲିଗ ” ! ରାଜଧାନୀ ଭୁବନେଶ୍ୱର ଗତ କିଛି ବର୍ଷ ମଧ୍ୟରେ ଶିକ୍ଷା ହବ ଭାବେ ପରିଚିତ ହୋଇଥିବା ବେଳେ ଆଗାମୀ ଦିନରେ ଆଇଟି ଓ କର୍ପୋରେଟ କ୍ଷେତ୍ରରେ ସାରା ଦେଶରେ ଏକ ନୂଆ ପରିଚୟ ଲାଭ କରିବାକୁ ଯାଉଛି | ଅଧିକାଂଶ ବହୁରାଷ୍ଟ୍ରୀୟ କମ୍ପାନୀ ମାନେ ଭୁବନେଶ୍ୱରକୁ ସେମାନଙ୍କର ପ୍ରଥମ ପସନ୍ଦର ସହର ଭାବେ ବିବେଚନା କରୁଛନ୍ତି | ତେଣୁ ଏଠାରେ ଗଢି ଉଠୁଥିବା କର୍ପୋରେଟ ତଥା ଆଇଟି କମ୍ପାନୀ ମାନଙ୍କ ମଧ୍ୟରେ ସୌହାର୍ଦପୂର୍ଣ୍ଣ ସମ୍ପର୍କ ବଜାୟ ରଖି ଏକ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟରେ ଆଇ ସର୍ଭ ୟୁ ପକ୍ଷରୁ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ” ଆଇ ସର୍ଭ ୟୁ ହିରୋ ଲିଗ ” ଆୟୋଜିତ ହୋଇ ଆସୁଛି | ” ଆଇ ସର୍ଭ ୟୁ ହିରୋ ଲିଗ ” ହେଉଛି ଭାରତର ସର୍ବବୃହତ କର୍ପୋରେଟ୍ କ୍ରିକେଟ୍ ଲିଗ୍, ଯେଉଁଠାରେ ପ୍ରତିବର୍ଷ ୪ଟି ଫ୍ରାଞ୍ଚାଇଜ୍ ଦଳ ମାଧ୍ୟମରେ ବିଭିନ୍ନ କର୍ପୋରେଟ୍ ର ପ୍ରାୟ ୧୩୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥାନ୍ତି । କର୍ପୋରେଟ ଅନୁଷ୍ଠାନ ଗୁଡିକ ମଧ୍ୟରେ ଯୋଗସୂତ୍ର ପାଇଁ କ୍ରୀଡାକୁ ଏକ ମାଧ୍ୟମ ରୂପେ ଗ୍ରହଣ କରି ଆଇ ସର୍ଭ ୟୁ ଗତ ୨ ବର୍ଷ ଧରି ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜିତ କରି ଆସୁଅଛି | ଚଳିତ ବର୍ଷ ଏହାର ତୃତୀୟ ସଂସ୍କରଣ ଚାଲିଛି | ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦ୍ୱାରା ଆଇଟି କମ୍ପାନୀରେ କାର୍ଯ୍ୟରତ ଯୁବ ପିଢ଼ି ମାନେ କିଛି ସମୟ ପାଇଁ ମାନସିକ ଚାପରୁ ଦୁରେଇ ରହିବେ ଯାହା ତାଙ୍କ କାର୍ଯ୍ୟଦକ୍ଷତା ଉତ୍ସାହଜନକ ଭାବେ ବୃଦ୍ଧି କରିବାରେ ସହାୟକ ହେବ |

ଏହି କ୍ରମରେ ଚଳିତ ବର୍ଷ ଏପ୍ରିଲ ୨୩ ରୁ ୨୯ ତାରିଖ ପର୍ଯ୍ୟନ୍ତ କିଟ କ୍ରିକେଟ ଷ୍ଟାଡିୟମ ଠାରେ ଏହା ଆୟୋଜିତ ହେଉଛି | ପ୍ରତ୍ୟେକ ଦିନ ଅପରାହ୍ନରୁ ରାତ୍ର ପର୍ଯ୍ୟନ୍ତ ୨ ଗୋଟି ମ୍ୟାଚ ଖେଳାଯିବ | ସ୍ପାର୍ଟନ୍ସ, ନିମୁରାଇ, ଗ୍ଲାଡିଏଟର୍ସ ଏବଂ ଟ୍ରୟ ନାମରେ ସମୁଦାୟ ୪ ଗୋଟି ଟିମ ମଧ୍ୟରେ ୧୨ ଟି ମ୍ୟାଚ ଖେଳାଯିବ | ୬ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ୨୯ ତାରିଖରେ ଖେଳାଯିବ | ମ୍ୟାଚ ଦେଖିବା ପାଇଁ ଦର୍ଶକମାନଙ୍କ ପାଇଁ ଫ୍ରି ପାସ ରହିଛି ତା ସହ ସ୍ୱଳ୍ପ ମୂଲ୍ୟର ଟିକେଟ ବ୍ୟବସ୍ଥା ମଧ୍ୟ ରହିଛି | ଅନଲାଇନ ଟିକେଟ ପ୍ଲାଟଫର୍ମ ଗୁଡିକରେ ଖେଳପ୍ରେମୀ ମାନେ ଆଗୁଆ ବୁକ ମଧ୍ୟ କରି ପାରିବେ | ସମସ୍ତ କ୍ରୀଡ଼ାପ୍ରେମୀମାନଙ୍କୁ ଏହି ଉତ୍ସାହପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ” ଆଇ ସର୍ଭ ୟୁ ହିରୋ ଲିଗ ” ଦେଖିବାକୁ ଆସିବା ପାଇଁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଉଛି | ନିୟୋଗିନ, ୟୁନିଅନ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଡିସିବି ବ୍ୟାଙ୍କ, ଲିଭଲଙ୍ଗ ଇନ୍ସୁରାନ୍ସ ଭଳି ପ୍ରତିଷ୍ଠିତ ସୁନାମଧନ୍ୟ ଅନୁଷ୍ଠାନ ମାନଙ୍କ ସହଯୋଗରେ ଆୟୋଜିତ ହେଉଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ସହରର ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବାକୁ ଯାଉଅଛି | ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକଙ୍କ ତରଫରୁ ସବିଶେଷ ସୂଚନା ଦିଆଯାଇଥିଲା !

LEAVE A REPLY

Please enter your comment!
Please enter your name here