ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍, କର୍କଟ ପୀଡ଼ିତଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଏବଂ ଡାକ୍ତରଖାନା ରେ ସହାୟତା, ମୁମ୍ବାଇସ୍ଥିତ ଟାଟା ମୋମୋରିଆଲ ହସ୍ପିଟାଲ ରେ ଆଭ୍ୟନ୍ତରୀଣ ସମନ୍ଵୟ ରକ୍ଷା କରିବା ସହିତ ବିନା ମୂଲ୍ୟ ରେ ଉନ୍ନତମାନର କୃତ୍ରିମ ସ୍ତନ ଓ କେଶ ଯୋଗାଇ ଆସୁଛି । ଏହା ସହିତ ରକ୍ତଦାନ ଶିବିର ଓ କର୍କଟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ସମାଜକୁ ସଫଳତାର ସହିତ କର୍କଟ ରୋଗକୁ ପ୍ରତିରୋଧ, ଚିହ୍ନଟ ଏବଂ ଚିକିତ୍ସା କ୍ଷେତ୍ରରେ ସହଯୋଗ କରିବା ପାଇଁ ପ୍ରୟାସ ଜାରି ରଖିଛି । ସଚେତନତା ହିଁ ରୋକିପାରିବ କର୍କଟ ରୋଗର ଭୟାବହତାକୁ । ତେଣୁ ଅଧିକରୁ ଅଧିକ ସଚେତନତାକୁ ଗୁରୁତ୍ୱ ଦେଇ ବୁଧବାର ଏହି ଅନୁଷ୍ଠାନ ପକ୍ଷରୁ କମଳା ନେହେରୁ ମହିଳା ମହାବିଦ୍ୟାଳୟ ଠାରେ ଏକ କର୍କଟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥଭୂମି ହସ୍ପିଟାଲର ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡ.ରଞ୍ଜନ ଦାସ ଓ ଡ. ଶ୍ଵେତାଲିନା ପରିଜା ଉପସ୍ଥିତ ରହି ସ୍କ୍ରିନିଂ ମାଧ୍ୟମରେ କର୍କଟ ରୋଗ କଣ, ସଂକୋଚ ନକରି ପ୍ରାରମ୍ଭିକ ଚିକିତ୍ସା ଉପରେ ଗୁରୁତ୍ୱ ଏବଂ ସଚେତନ କିପରି ହେବା ଓ ଅନ୍ୟ କୁ ସଚେତନ କିପରି କରିବା ବୋଲି ବାର୍ତ୍ତା ପ୍ରଦାନ କରିଥିଲେ । ଡ.ପରିଜା ବିଶେଷକରି ମହିଳାମାନଙ୍କୁ ସ୍ତନ କର୍କଟ ଓ ସର୍ଭାଇକାଲ କର୍କଟ ବିଷୟରେ ଆଲୋଚନା କରିବା ସହ ଏହି ରୋଗର କାରଣ, ଲକ୍ଷଣ ଓ ଉପଯୁକ୍ତ ଚିକିତ୍ସା ସଂପର୍କରେ ବିସ୍ତୃତଭାବେ ଆଲୋକପାତ କରିଥିଲେ। ଏହା ସହିତ ବରିଷ୍ଠ ଶିକ୍ଷାବିତ୍ ଡ.ଗୀତିକା ପଟ୍ଟନାୟକ ପିଲାମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ଵାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଅଧିକ ଛାତ୍ରୀ ଓ କଲେଜ ଅଧ୍ୟାପିକା ଡ.ବେଦୁଲା ରାମଲକ୍ଷ୍ମୀ, ଡ.ମଧୁସ୍ମିତା ଦାସ ଓ ଅଧ୍ୟାପକ ଡ.ସୁଶାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ କର୍ମକର୍ତ୍ତାଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।
କର୍କଟ ରୋଗ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ !!!

