ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ରେ ରାସ୍ତା ମରାମତି କଲେ ଗଣମାଧ୍ୟମ ପ୍ରତିନିଧି ! ଗଜପତି ଜିଲ୍ଲାରେ ପୂର୍ତ୍ତ ବିଭାଗ ସ୍ଥାଣୁ ପାଲଟିଥିବା ବେଳେ , ବିଭାଗ ଅଧୀନ ରେ ଆସୁଥିବା ଜିଲ୍ଲା ସଦର ମହକୁମା ଓ ଗ୍ରାମାଞ୍ଚଳ ରାସ୍ତା ଘାଟ ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ବିଶେଷ କରି ବର୍ଷା ଦିନ ହୋଇ ଥିବାରୁ ରାସ୍ତାରେ ଖାଲଖମା ବୃଦ୍ଧି ପାଇବା ସହ ଛୋଟ ଛୋଟ ଖାଲ ବଡ଼ ଆକାର ହେବାରେ ଲାଗିଛି । ଜିଲ୍ଲାର ବିଶେଷ କରି ଗୁମ୍ମା, ଗୋଶାଣୀ, କାଶୀନଗର ବ୍ଳକରେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାସ୍ତା ଘାଟ କଦର୍ଯ୍ୟ ହେବାରେ ଲାଗିଛି । ଖାଲଖମା ଯୋଗୁଁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ଲୋକେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ମଧ୍ୟ ଫଳ ଶୂନ୍ୟ ! ପ୍ରଶାସନ ଓ ପୂର୍ତ୍ତ ବିଭାଗ ଚେତିବା ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ସହରର ଗଣମାଧ୍ୟମ ପ୍ରତିନିଧି ମାନେ ନିଜସ୍ୱ ଉଦ୍ୟମରେ ରାସ୍ତା ନିର୍ମାଣ ସାମଗ୍ରୀ ନେଇ ଖାଲ ଖମା ରାସ୍ତା ପୂରଣ କରିଥିଲେ । ଫରେଷ୍ଟ ଗେଟ ଠାରୁ ଆରମ୍ଭ କରି ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ରାସ୍ତାରେ ଥିବା ଥିବା ବଡ଼ ବଡ଼ ଖାଲ ପୋତିବା ସହ ମରାମତି କରିଥିଲେ ।