ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସାଂସ୍କୃତିକ ଅନୁଷ୍ଠାନ ସ୍ଵର-ରଙ୍ଗ ତରଫରୁ ଆୟୋଜିତ ହେବ ପଣ୍ଡିତ ଡ଼. ଦାମୋଦର ହୋତା ଜୟନ୍ତୀ ଉତ୍ସବ ! ଓଡ଼ିଶାର ସୁନାମଧନ୍ୟ ବିଶିଷ୍ଟ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତଜ୍ଞ ତଥା ବର୍ଷିୟାନ ଗୁରୁ ପଣ୍ଡିତ ଡ଼. ଦାମୋଦର ହୋତାଙ୍କର ମହାପ୍ରୟାଣ ଗତ ୨୦୨୨ ମସିହା ଫେବୃଆରୀ ୬ ତାରିଖରେ ଘଟିଥିଲା । ତାଙ୍କ ଦ୍ୱାରା ଗଠିତ ‘ସ୍ୱର-ରଙ୍ଗ’ ଅନୁଷ୍ଠାନ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କର ସଂସ୍କୃତି ବିଭାଗ ସହାୟତାରେ ଡିସେମ୍ବର ୨୫ ତାରିଖ ଦିନ ପଣ୍ଡିତ ଡ଼. ଦାମୋଦର ହୋତାଙ୍କ ଶାସ୍ତ୍ରୀୟ ସଂଗୀତ ସମାରୋହ ପାଳିତ ହୋଇ ଆସୁଅଛି । ଅତ୍ୟନ୍ତ ପ୍ରଶଂସନୀୟ ଯେ ରାଜ୍ୟ ସଂସ୍କୃତି ବିଭାଗ ଡିସେମ୍ବର ୨୫ ତାରିଖଟିକୁ ସରକାରୀ କ୍ୟାଲେଣ୍ଡରରେ ସ୍ଥାନ ଦେବା ସହିତ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପକୁ ଡକ୍ଟର ହୋତାଙ୍କ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ସଂରକ୍ଷିତ ରଖିଛନ୍ତି । ଏହି ଉତ୍ସବରେ ସ୍ଵର-ରଙ୍ଗ ପ୍ରତିଷ୍ଠାନ ପ୍ରତିବର୍ଷ ଜଣେ ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତଜ୍ଞଙ୍କୁ ପଣ୍ଡିତ ଡ଼. ଦାମୋଦର ହୋତା ସ୍ମୃତି ସମ୍ମାନରେ ସମ୍ମାନୀତ କରି ଆସୁଛି । ଚଳିତ ବର୍ଷ ଓଡ଼ିଶାର ବିଶିଷ୍ଟ ଓଡ଼ିଶୀ ସଂଗୀତଜ୍ଞ ପଣ୍ଡିତ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିବା ସହିତ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରିବା ପାଇଁ ଅନୁଷ୍ଠାନ ସ୍ଥିର କରିଛି । ଗତ ୨୦୨୩ ମସିହା ଠାରୁ ରାଜ୍ୟସ୍ତରୀୟ ପଣ୍ଡିତ ଡ଼. ଦାମୋଦର ହୋତା ଶାସ୍ତ୍ରୀୟ ସଂଗୀତ ଗାୟନ ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି । ଚଳିତ ବର୍ଷର ଏହି ପ୍ରତିଯୋଗିତା ଡିସେମ୍ବର ୧୪ ତାରିଖରେ ସ୍ଥାନୀୟ ବୁଦ୍ଧ ବିହାର ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତା ବିଷୟରେ ବିଜ୍ଞାପନ ମାଧ୍ୟମରେ ସମସ୍ତ ସଂଗୀତ ଅନୁଷ୍ଠାନ ମାନଙ୍କୁ ଅବଗତ କରାଯାଇଛି । ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନର ପ୍ରତିଯୋଗିମାନଙ୍କୁ ସ୍ମାରକ ସହିତ ଅର୍ଥରାଶି ଯଥାକ୍ରମେ ୭୦୦୦ ଟଙ୍କା, ୫୦୦୦ ଟଙ୍କା ଓ ୩୦୦୦ ଟଙ୍କା ପ୍ରଦାନ କରାଯିବା ପାଇଁ ସ୍ଥିର ହୋଇଛି । ଚଳିତ ବର୍ଷ ଏହି ଜୟନ୍ତୀ ଉତ୍ସବ ମୁଖ୍ୟ ଅତିଥ୍, ମୁଖ୍ୟ ବକ୍ତା ଓ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ପାଳନ ହେବାକୁ ଯାଉଛି । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ବେତାର ଶିଳ୍ପୀ ଓ ଗୁରୁ ଶ୍ରୀ ଜବାହାର ମିଶ୍ରଙ୍କ ବଂଶୀ ବାଦନ, ପଣ୍ଡିତ ହୋତାଙ୍କ କନ୍ୟା ବେତାର ଶିଳ୍ପୀ ବିଦୁଷୀ ଶ୍ରୀମତୀ ପ୍ରିୟମ୍ବଦା ମିଶ୍ରଙ୍କ ଶାସ୍ତ୍ରୀୟ ସଂଗୀତ ଗାୟନ, ବନାରସରୁ ନିମନ୍ତ୍ରୀତ ପଣ୍ଡିତ ରାହୁଲ ଭଟ୍ଟଙ୍କ ଶାସ୍ତ୍ରୀୟ ସଂଗୀତ ଗାୟନ, ଗୁରୁ କରୁଣାକର ନାୟକଙ୍କ ଶାସ୍ତ୍ରୀୟ ସଂଗୀତ ଗାୟନ, ପଣ୍ଡିତ ହୋତାଙ୍କ କନ୍ୟା ବିଦୁଷୀ ଶ୍ରୀମତୀ କଳ୍ପନା ପାଢୀ ଓ ସାଥି ମାନଙ୍କ ଦ୍ଵାରା ଉଡ୍ର ପଦ୍ଧତୀୟ ସଂଗୀତ ଗାୟନ, ଗୁରୁ ରଜନୀକାନ୍ତ ପାଢୀ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଶାସ୍ତ୍ରୀୟ ସଂଗୀତ ଗାୟନ ଏବଂ ଗୁରୁ ଶ୍ରୀ ହରିହର ରଥ ଓ ଛାତ୍ରୀଛାତ୍ରୀଙ୍କ ଦ୍ୱାରା ଶାସ୍ତ୍ରୀୟ ସଂଗୀତ ଗାୟନ ପରିବେଷଣ କରାଯିବା ପାଇଁ ସ୍ୱର-ରଙ୍ଗ ଅନୁଷ୍ଠାନ ଦ୍ଵାରା ସ୍ଥିର କରାଯାଇଛି ବୋଲି ଆଜି ଅନୁଷ୍ଠାନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ଅନୁଷ୍ଠାନର ସଭାପତି, ସଂପାଦକ ଓ ଉପଦେଷ୍ଟା ମାନଙ୍କ ଉପସ୍ଥିତିରେ ସୂଚନା ଦିଆଯାଇଛି ।