ଗମ୍ଭାରୀମୁଣ୍ଡା ଖଜୁରିଆ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ : ଯୁବକ ଗୁରୁତର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୂର୍ବ ଶତ୍ରୁତାକୁ ନେଇ ଗମ୍ଭାରୀମୁଣ୍ଡା ଖଜୁରିଆ ଗ୍ରାମରେ ମାରପିଟ ହେବାରୁ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର ହୋଇଛନ୍ତି । ପୁଲିସ ଘଟଣାର ତଦନ୍ତ ଚଳାଇଛି । ଗମ୍ଭାରୀମୁଣ୍ଡା ଘାସେଡିହ ନୂଆ ସାହି ଓ ନିକଟସ୍ଥ ଖଜୁରିଆ ଗ୍ରାମର କିଛି ଯୁବକଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଗତ ଦଶହରା ସମୟରେ ଗମ୍ଭାରୀମୁଣ୍ଡା ବଜାରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଉଭୟ ଗ୍ରାମର ଦୁଇ ଯୁବକ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇ ଆଶିଷ ପ୍ରଧାନ ଆହତ ହୋଇଥିଲେ । ଉଭୟ ପକ୍ଷଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ତେବେ ଉଭୟ ଗ୍ରାମର କିଛି ବରିଷ୍ଠ ବ୍ୟକ୍ତିଙ୍କ ସହାୟତାରେ ଘଟଣାର ସମାଧାନ କରାଯିବା ସହ ଉଭୟ ପକ୍ଷ ଭବିଷ୍ୟତରେ ବିଶୃଙ୍ଖଳା କରିବେନି ବୋଲି ତହସିଲ କୋର୍ଟରେ ଚୁକ୍ତି କରିଥିଲେ । ତେବେ ମଙ୍ଗଳବାରେ ନୂଆ ସାହିର ତିନିଜଣ ଯୁବକ ବିଶେଷ ସାହୁ, ରିଙ୍କୁ ସାହୁ ଓ ଅକ୍ଷୟ ସାହୁ ଖଜୁରୀଆ ଗ୍ରାମକୁ ରଙ୍ଗ କାମ କରିବାକୁ ଯାଇଥିଲେ । ମଧ୍ୟାହ୍ନ ସମୟରେ ଖାଇବା ନିମନ୍ତେ ସମସ୍ତେ ଘରକୁ ଫେରୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଖଜୁରିଆ ଗ୍ରାମର ଟୁକୁନା ସାମନ୍ତସିଂହାର ଓ ତାଙ୍କ ପୁଅ ଗ୍ରାମର ଅନ୍ୟ କେତେକ ଯୁବକଙ୍କ ସହ ସଂଘବଦ୍ଧ ଭାବେ ଗାଁ ମୁଣ୍ଡରେ ସେମାନଙ୍କୁ ଅଟକାଇ ବିଶେଷ ସାହୁକୁ ମାଡ ମାରିଥିଲେ । ଫଳରେ ବିଶେଷ ଗୁରୁତର ହୋଇ ପଡିଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ରିଙ୍କୁ ସାହୁ ଓ ଅକ୍ଷୟ ସାହୁ ମଧ୍ୟ ଆହତ ହୋଇଥିଲେ । ଚିକିତ୍ସା ନିମନ୍ତେ ବିଶେଷଙ୍କୁ ପ୍ରଥମେ ଗମ୍ଭାରୀମୁଣ୍ଡା ଓ ପରେ ବାଣପୁର ସରକାରୀ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କାରାଯାଇଛି । ଗ୍ରାମରେ ଉତ୍ତେଜନା ଲାଗିରହିଛି ।

Leave a Reply

Your email address will not be published. Required fields are marked *