ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଳକ ଗମ୍ଭାରୀମୁଣ୍ଡା ଘାସେଡିହ ନୂଆସାହି ଓ ଖଜୁରିଆ ଗ୍ରାମର ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ଲାଗିରହିଥିବା ଶତୃତା କ୍ରମଶଃ ତୀବ୍ର ହେବାରେ ଲାଗିଛି । ଦୁଇ ଦିନ ପୂର୍ବେ ଖଜୁରିଆ ଗ୍ରାମର କେତେକ ଯୁବକଙ୍କ ଆକ୍ରମଣରେ ନୂଆ ସାହିର ବିଶେଷ ସାହୁ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ଘଟଣାର ଦୁଇ ଦିନ ପରେ ମଧ୍ୟ ପୁଲିସ କୈାଣସି କାର୍ଯ୍ୟା ନୃଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରି ଗୁରୁବାର ଦିନ ନୂଆ ସାହିର ମହିଳାଙ୍କ ସମେତ ବହୁ ଗ୍ରାମବାସୀ ଫାଣ୍ଡିରେ ଧାରଣା ଦେଇଥିଲେ । ପୁଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଫାଣ୍ଡି ଅଧିକାରୀ କେଶବ ବେହେରା ପ୍ରତିଶ୍ରୁତି ଦେବାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଘଟଣାରୁ ପ୍ରକାଶ ଯେ ନାଚୁଣୀ ଥାନା ଗମ୍ଭାରୀମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଘାସେଡିହ ନୂଆସାହି ଓ ଖଜୁରିଆ ଗ୍ରାମର ଦୁଇ ଯୁବଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି । ଗତ ଦଶହରା ସମୟରେ ଗମ୍ଭାରୀମୁଣ୍ଡା ବଜାରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଉଭୟ ଗ୍ରାମର ଦୁଇ ଯୁବକ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇ ଆଶିଷ ପ୍ରଧାନ ଆହତ ହୋଇଥିଲେ । ଉଭୟ ପକ୍ଷଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଘଟଣାର ଆପୋଷ ସମାଧାନ ହେବା ସହ ଭବିଷ୍ୟତରେ ବିଶୃଙ୍ଖଳା ନକରିବା ପାଇଁ ଉଭୟ ପକ୍ଷ ତହସିଲ କୋର୍ଟରେ ଚୁକ୍ତି କରିଥିଲେ । ମାତ୍ର ଗତ ମଙ୍ଗଳବାର ନୂଆ ସାହିର ତିନିଜଣ ଯୁବକ ଖଜୁରୀଆ ଗ୍ରାମକୁ ରଙ୍ଗ କାମ କରିବାକୁ ଯାଇଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଖଜୁରିଆ ଗ୍ରାମର ତାରା ସାମନ୍ତସିଂହାର, ସାନୁ ମଙ୍ଗରାଜ, ଭୋଳା ଦାସ, ପଠାଣି ପ୍ରଧାନ ପ୍ରମୁଖ ସଂଘବଦ୍ଧ ଭାବେ ଆକ୍ରମଣ କରିବାରେ ବିଶେଷ ସାହୁ ଗୁରୁତର ଭାବେ ଆହତ ହୋଇଥିଲେ । ଏ’ନେଇ ବିଶେଷଙ୍କ ମା’ ଗୀତା ସାହୁ ଗମ୍ଭାରୀମୁଣ୍ଡା ଫାଣ୍ଡିରେ ଅଭିଯୋଗ କରିବାରେ ପୁଲିସ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଅଭିଯୁକ୍ତ ମାନେ ଖୁଲମ ଖୁଲା ଗ୍ରାମରେ ବୁଲୁଥିବା ବେଳେ ମକଦ୍ଦମା ପ୍ରତ୍ୟାହାର କରିନେବା ପାଇଁ ଅଭିଯୋଗକାରୀଙ୍କୁ ଧମକ ଚମକ ଦେଉଛନ୍ତି । ତେଣୁ ତୁରନ୍ତ ସେମାନଙ୍କୁ ଗିରଫ କରିବା ପାଇଁ ଗୁରୁବାରେ ଗୁରୁତର ବିଶେଷ ସାହୁଙ୍କ ପରିବାର ସଦସ୍ୟଙ୍କ ସମେତ ଗ୍ରାମର ବହୁ ମହିଳା ଓ ପୁରୁଷ ଗମ୍ଭାରୀମୁଣ୍ଡା ଫାଣ୍ଡିରେ ଧାରଣା ଦେଇଥିଲେ । ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଫାଣ୍ଡି ଅଧିକାରୀ ପ୍ରତିଶ୍ରୁତି ଦେବାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।