ବାଣପୁରରେ ସ୍ୱର୍ଣ୍ଣ କାରିଗରଙ୍କ ଠାରୁ ଲୁଟ ଘଟଣା , ଦୁଇ ଗିରଫ : ଦଶ ଲକ୍ଷ ଟଙ୍କାର ସୁନା ଗହଣା ଉଦ୍ଧାର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତ ବର୍ଷ ଫେବୃଆରୀ ୨୮ତାରିଖ ରାତିରେ ବାଣପୁର ବଜାରରୁ ବନ୍ଧୁକ ଦେଖାଇ ଜଣେ ସୁନା ଅଳଙ୍କାର କାରିଗରଙ୍କ ଠାରୁ ଦୁର୍ବୃତ୍ତମାନେ ଦେଢ ଶହ ଗ୍ରାମ ସୁନା ଅଳଙ୍କାର ସମେତ ୬୦ ହଜାର ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାର ତଦନ୍ତ କରି ୧୧ମାସ ପରେ ପୁଲିସ ଦୁଇ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଲୁଟ ଦେଢ ଶହ ଗ୍ରାମ ସୁନା ଜବତ କରିଛନ୍ତି । ଲୁଟରେ ସଂପୃକ୍ତ ଥିବା ଅନ୍ୟ ଲୁଟେରାମାନେ ଅଦ୍ୟାବଧି ଫେରାର ଥିବା ବେଳେ ଅତିଶୀଘ୍ର ପୁଲିସ ସେମାନଙ୍କୁ ଗିରଫ କରିବା ସହ ଲୁଟ ଟଙ୍କା ଜବତ କରିବ ବୋଲି ଥାନାଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ବର୍ଷ ଫେବୃଆରୀ ୨୮ ତାରିଖ ରାତିରେ ସୁନା ଅଳଙ୍କାର କାରିଗର ଦିଲ୍ଲୀପ କୁମାର ପାଲ (୬୪) ବାଣପୁର ବଜାର ପାଣି ସାହି ନିକଟସ୍ଥ ନିଜର ସୁନା ଦୋକାନ ବନ୍ଦ କରି ଏକ ବ୍ୟାଗରେ ମରାମତି ନିମନ୍ତେ ଗ୍ରାହକ ମାନେ ଦେଇଥିବା ୧୫୦ ଗ୍ରାମ ସୁନା ଅଳଙ୍କାର ଓ ନଗଦ ୬୦ ହଜାର ଟଙ୍କା ନେଇ ରଘୁନାଥ ସାହି ସ୍ଥିତ ଘରକୁ ଫେରୁଥିଲେ। ତେବେ ଦିଲ୍ଲୀପ ଘରକୁ ପ୍ରବେଶ କରିବା ସମୟରେ ହଠାତ ଘର ନିକଟରେ ପୁର୍ବରୁ ଛପି ଥିବା ଦୁଇ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଦିଲ୍ଲୀପ ଙ୍କୁ ବନ୍ଧୁକ ଓ ଖଣ୍ଡା ଦ୍ୱାରା ଭୟଭୀତ କରାଇ ଅଳଙ୍କାର ବ୍ୟାଗ ଏବଂ ଦିଲ୍ଲୀପଙ୍କ ପତ୍ନୀଙ୍କ ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତ ମାନେ ଉଭୟଙ୍କୁ ଘର ଭିତରେ ବନ୍ଧକ ରଖି ବାରି ପଟୁ ପ୍ରାଚୀର ଡେଇଁ ଫେରାର ହୋଇଯାଇଥିଲେ ବୋଲି ଦିଲ୍ଲୀପ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ତେବେ ୧୧ ମାସ ପରେ ପୁଲିସକୁ ସଫଳତା ମିଳିଛି । ତଦନ୍ତରେ ପୁଲିସ ଲୁଟେରା ମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଠାରୁ ଲୁଟ ଦେଢ ଶହ ଗ୍ରାମ ସୁନା ଜବତ କରିବା ପରେ ସୋମବାର ମୁସଲିମ ସାହିର ସେକ୍ ହମିଦଙ୍କ ପୁଅ ସେକ୍ ଅଜିଦ୍ ବୟସ ୨୫ ବର୍ଷ ଏବଂ ଜଗନ୍ନାଥପୁର ଗ୍ରାମର ଶିଶିର ପଣ୍ଡାଙ୍କ ପୁଅ ଅମିତ ପଣ୍ଡା ବୟସ ୨୪ ବର୍ଷକୁ ଗିରଫ କରିଛି । ମଙ୍ଗଳ ବାର ଉଭୟଙ୍କୁ ଅଦାଲତ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *