ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ଭାରତର ମହାମହୀମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦିନିକିଆ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ ନିମନ୍ତେ ଆସି କାଳିଆପଲ୍ଲୀ ପଲଟନ ପଡ଼ିଆରେ ପହଁଞ୍ଚିଥିଲେ । ହେଲିପ୍ୟାଡ ଠାରେ ଜିଲ୍ଲାପାଳ ନୟାଗଡ଼ ଅକ୍ଷୟ ସୁନୀଳ ଅଗ୍ରୱାଲା , ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ. ସୁଶ୍ରୀଙ୍କ ସହିତ ଅନ୍ୟମାନେ ମହମହୀମ ରାଷ୍ଟ୍ରପତିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀ ନୀଳମାଧବଙ୍କ ଦର୍ଶନ ନିମନ୍ତେ ପାଛୋଟି ନେଇଥିଲେ । ସେଠାରେ ମହାମହୀମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶ୍ରୀ ନୀଳମାଧବଙ୍କ ଦର୍ଶନ କରି ପୂଜାଅର୍ଚନା କରିଥିଲେ । ଏହାପରେ ଭାରତୀୟ ବିଶ୍ଵାବସୁ ସବର ସମାଜ ଦ୍ବାରା କାଳିଆପଲ୍ଲୀ ଠାରେ ଆୟୋଜିତ ହୋଇଥିବା ପ୍ରତିଷ୍ଠା ଦିବସରେ ଯୋଗ ଦେବା ଅବସରରେ ବିଶ୍ଵାବସୁଙ୍କ ପ୍ରତିମୂର୍ତୀରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ସହ ଯଜ୍ଞପୀଠରେ ଆହୁତି ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ତାଙ୍କର ଅଭିଭାଷଣରେ ମହାପ୍ରଭୂ ଶ୍ରୀ କରନ୍ନାଥଙ୍କ ଆଦିପୀଠ ଶ୍ରୀ ନୀଳମାଧବଙ୍କ ଦର୍ଶନରେ ଅଭିଭୂତ ହୋଇ ବିଶ୍ଵାବସୁ ତାଙ୍କର ଆଦ୍ୟସେବକ ଭାବରେ ଅଭିହିତ କରିବାରୁ ଏଠାରେ ଆଧ୍ୟାତ୍ମିକ ଭାବାବେଗ ସୃଷ୍ଟି ହୋଇଥିଲା । ମହାମହୀମ ତାଙ୍କ ଅଭିଭାଷଣରେ ଖଣ୍ଡପଡ଼ାର ବିଶିଷ୍ଟ ଜ୍ୟୋତିର୍ବିଦ୍ ତଥା ସିଦ୍ଧାନ୍ତ ଦର୍ପଣର ରଚୟିତା ପଠାଣି ସାମନ୍ତଙ୍କ ବିଷୟରେ କହିବାକୁ ମଧ୍ୟ ଭୁଲି ନ ଥିଲେ । ଏହି ନୀଳମାଧବ କ୍ଷେତ୍ରର ଉନ୍ନତି ଓ ବିକାଶ ହେବା ପାଇଁ ସେ ଆହ୍ୱାନ କରିଥିଲେ । ସଚର ସମାଳକୁ ତାଙ୍କର ପାରମ୍ପରିକ ପୂଜା ପଦ୍ଧତି ଚାଲୁ ରଖିଥିବାରୁ ଧନ୍ୟବାଦ ଦେଇଥିଲେ । ଏହି ଅଂଚଳର ଇଂଟେଇମୁଣ୍ଡି ବାଇଗଣ ଳି.ଆଇ. ଟ୍ୟାଗ୍ ପାଇବା କଥା, କଂସା ପିତଳ ବାସନ ଏବଂ ନୟାଗଡ଼ ଜିଲ୍ଲାର ଛେନାପୋଡ଼ ବିଷୟରେ ମଧ୍ୟ ପ୍ରକାଶ କରିଥିଲେ । ଜନଜାତିଙ୍କମାନଙ୍କର ଉନ୍ନତି ନିମନ୍ତେ ସରକାରଙ୍କ ତରଫରୁ ବହୁତ କଲ୍ୟାଣମୂଳକ କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ ଏବଂ ଜନଜାତିମାନେ ଏହାର ସୁଯୋଗ ନେବା ସହିତ ଦକ୍ଷ ଓ ପରିଶ୍ରମୀ ହୋଇ ଆତ୍ମନିର୍ଭରଶୀଳ ହେବାକୁ ଆହ୍ବାନ ଦେଇଥିଲେ । ମହାମାନ୍ୟ ରାଜ୍ୟପାଳ, ଓଡ଼ିଶା ଶ୍ରୀଯୁକ୍ତ ହରିବାବୁ କମ୍ଭମପତି ତାଙ୍କ ଅଭିଭାଷଣରେ ମହାମହୀମ ରାଷ୍ଟ୍ରପତିଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ଜନଜାତିଙ୍କ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ପାଳନ ହେଉଥିବାରୁ ଖୁସି ବ୍ୟକ୍ତ କରିଥିଲେ ଏବଂ ଭାରତୀୟ ବିଶ୍ଵାବସୁ ସମାଜ ପ୍ରତିଷ୍ଠାନ ଜନଜାତିମାନଙ୍କର ଉନ୍ନତି ଉପଲକ୍ଷେ କାର୍ଯ୍ୟ କରୁଥିବାରୁ ପ୍ରଶଂସା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ତାଙ୍କ ଅଭିଭାଷଣରେ ଏହି ପୂଣ୍ୟପୀଠର ଉଚ୍ଚ ପ୍ରଶଂସା କରିବା ସହିତ ବିଭିନ୍ନ ପୌରାଣିକ କଥାବସ୍ତୁ ବିଷୟରେ ବର୍ଣ୍ଣନା କରିଥିଲେ । ଜନଜାତି ଭାଇଭଉଣୀଙ୍କ ଉନ୍ନତି ଉପଲକ୍ଷେ ହେଉଥିବା ବିଭିନ୍ନ କାର୍ଯ୍ୟର ଅବତାରଣା କରିବା ସହିତ ଜନଜାତିଙ୍କର ସାମଗ୍ରୀକ ବିକାଶ ଉପରେ ସରକାରଙ୍କର ପ୍ରତିବଦ୍ଧତା ବିଷୟରେ ଜଣାଇଥିଲେ । ଏହି ଅଂଚଳର ଉନ୍ନତି ନିମନ୍ତେ ସରକାରଙ୍କ ଦ୍ଵାରା ପଠାଣି ସାମନ୍ତ ପ୍ଲାନେଟୋରିୟମ, ସାଇନସ୍ ପାର୍କ ପ୍ରଭୃତି କାର୍ଯ୍ୟ ବିଷୟରେ ଅବତାରଣା କରିଥିଲେ । ମହାପ୍ରଭୁ ଶ୍ରୀ ନୀଳମାଧବଙ୍କ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଏକ ଡି.ପି.ଆର ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଏହି କ୍ଷେତ୍ରକୁ ଏକ ବିଶ୍ବସ୍ତରୀୟ ପର୍ଯ୍ୟଟନ, ଆଧ୍ୟାତ୍ମକ ଓ ଧାର୍ମିକ ସ୍ଥଳ କରିବା ପାଇଁ ସରକାର ଚେଷ୍ଟିତ ବୋଲି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମହାମହୀମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ମହାମାନ୍ୟ ରାଜ୍ୟପାଳ, ଓଡ଼ିଶା ଶ୍ରୀଯୁକ୍ତ ହରିବାବୁ କମ୍ଭମପତି, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝି, ଓଡ଼ିଶା ବିଧାନ ସଭାର ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ,ମାନ୍ୟବର ବିଧାୟକ ଖଣ୍ଡପଡ଼ା ଶ୍ରୀ ଦୁଷ୍ମନ୍ତ କୁମାର ସ୍ବାଇଁ ଏବଂ ଭାରତୀୟ ବିଶ୍ଵାବସୁ ସମାଜ ପ୍ରତିଷ୍ଠାନର ସଭାପତି ଶ୍ରୀ ହୃଷିକେଶ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ । ମହାମହୀମଙ୍କ ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ଅକ୍ଷଯ ସୁନୀଲ ଅଗ୍ରୱାଲଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ଅଧିକାରୀ, ସୂଚନା ଓ ଲୋକ ସଂପର୍କ ବିଭାଗ, ଦୂରଦର୍ଶନ ଓଡ଼ିଶାଙ୍କ ସମ୍ମିଳିତ ଉଦ୍ୟମରେ ସଫଳ ହୋଇଥିଲା ।
ମହାମହିମ ରାଷ୍ଟ୍ରପତିଙ୍କର ନୀଳମାଧବ ଦର୍ଶନ ଓ ବିଶ୍ୱାବସୁଙ୍କ ପ୍ରତିଷ୍ଠାନ ଦିବସରେ ଯୋଗଦାନ !!!

