ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ମଣ୍ଡଳ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ବଜାରର ତିନୋଟି ମନ୍ଦିରରୁ ଦୁର୍ବୃତ୍ତ ମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ରୂପା ଅଳଙ୍କାର ସମେତ ଦାନ ବାକ୍ସ ଚୋରି କରିନେଇଛନ୍ତି । ଖବର ପାଇ ପୁଲିସ ବଜାରରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଥିଲେ ମଧ୍ୟ ଚୋର କିମ୍ବା ଚୋରି ଅଳଙ୍କାର ସମ୍ପର୍କରେ କୈାଣସି ତଥ୍ୟ ପାଇବାକୁ ସକ୍ଷମ ହୋଇ ପାରିନାହିଁ । ରବିବାର ସକାଳେ ଗମ୍ଭାରୀମୁଣ୍ଡା ନିକଟସ୍ଥ ଘାସେଡିହ ଏବଂ ଗମ୍ଭାରୀମୁଣ୍ଡା ଡାକ୍ତରଖାନା ରାସ୍ତାରେ ଥିବା ହନୁମାନ ମନ୍ଦିର ଓ ମା’ ରାମ ଚଣ୍ଡିଙ୍କ ମନ୍ଦିରର ମୁଖ୍ୟ ଫାଟକର ତାଲା ଭଙ୍ଗା ଥିବା ଦେଖି ପୂଜକ ଗ୍ରାମବାସୀଙ୍କୁ ଜଣାଇଥିଲେ । ତେବେ ରାତିରେ ଦୁର୍ବୃତ୍ତ ମାନେ ମନ୍ଦିରର ତାଲା ଭାଙ୍ଗି ହନୁମାନ ମନ୍ଦିରରୁ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର କିରଟି, ଖଡୁ ଲୁଟି ନେଇଥିବା ବେଳେ ସମାନ ଢଙ୍ଗରେ ଘାସେଡିହ ମା’ ରାମଚଣ୍ଡିଙ୍କ ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ୪୦ ହଜାର ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଛନ୍ତି । ଦୁର୍ବୃତ୍ତ ମାନେ ଉଭୟ ମନ୍ଦିରର ଦାନବାକ୍ସ ସମେତ ନିକଟସ୍ଥ ବାବା ଆଖଣ୍ଡଳ ମଣୀଙ୍କ ମନ୍ଦିର ସମ୍ମୁଖରେ ଥିବା ଦାନ ବାକ୍ସଟି ମଧ୍ୟ ଲୁଟି ନେଇଥିବା ନାଚୁଣୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କ୍ରମେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡାକ୍ତର ଖାନା ରାସ୍ତାରେ ଥିବା ଏକ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ପୁଲିସ ତଦନ୍ତ ଚଳାଇଥିଲେ ମଧ୍ୟ ଚୋରଙ୍କ କୈାଣସି ସନ୍ଧାନ ପାଇବାରେ ସକ୍ଷମ ହୋଇପାରିନାହିଁ ।
ତେବେ ଏକ ମାସ ପୂର୍ବେ ଗମ୍ଭାରୀମୁଣ୍ଡା ଫାଣ୍ଡି ଅଧିକାରୀ କେଶବ ଚନ୍ଦ୍ର ବେହେରାଙ୍କ ଙ୍କ ଜଙ୍କିଆ ଥାନା କୁ ବଦଳି ହୋଇ ଯାଇଥିଲେ ମଧ୍ୟ ଅଦ୍ୟାବଧି ଏଠାରେ କୈାଣସି ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ । ଫଳରେ ରାତ୍ରି କାଳୀନ ପୁଲିସ ପେଟ୍ରୋଲିଂ ହେଉନଥିବା ବେଳେ ଗତ ଦୁଇ ବର୍ଷ ମଧ୍ୟରେ ଏହି ତିନୋଟି ମନ୍ଦିରରୁ ୪ ଥର ଚୋରି ହୋଇଥିବାରୁ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି । ପୁଲିସ ଉଚ୍ଚାଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ଫାଣ୍ଡି ଅଧିକାରୀ ନିଯୁକ୍ତି ଏବଂ ରାର୍ତ୍ରି କାଳୀନ ପେଟ୍ରୋଲିଙ୍ଗ୍ ପାଇଁ ସାଧାରଣ ରେ ଦାବି ହେଉଛି ।


