ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ମାଡ ଓ କାମୁଡ଼ା ଅଭିଯୋଗ : ନିକିରାଇ ଥାନାରେ ମାମଲା !!!

Spread the love

କେନ୍ଦ୍ରାପଡ଼ା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଛୋଟି ପଞ୍ଚାୟତରେ ଘଟିଛି ଏକ ଚଞ୍ଚଳକର ଘଟଣା। ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ସରପଞ୍ଚଙ୍କୁ ମାଡ଼ମାରି ଓ କାମୁଡ଼ି ଆହତ କରାଯାଇଥିବା ନେଇ ନିକିରାଇ ଥାନାରେ ଅଭିଯୋଗ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ସୂଚନା ଅନୁଯାୟୀ, କିଛି ଦିନ ତଳେ ପଞ୍ଚାୟତ ପରିସରରୁ ସାମଗ୍ରୀ ଚୋରି ହେବା ପରେ ସରପଞ୍ଚ ରଜନୀ ମଲିକ ପଞ୍ଚାୟତ କାର୍ଯ୍ୟାଳୟ ଓ ପରିସରରେ CCTV କ୍ୟାମେରା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ପାଇଁ ଟେକନିସିଆନଙ୍କୁ ଡକାଯାଇଥିଲା। ଟେକନିସିଆନ କାର୍ଯ୍ୟାଳୟ ଭିତର ଓ ବାହାରେ କ୍ୟାମେରା ଲଗାଇବା ସମୟରେ ପଞ୍ଚାୟତ PEOଙ୍କ କକ୍ଷରେ ମଧ୍ୟ କ୍ୟାମେରା ଲଗାଇବାକୁ କହିଥିଲେ। କିନ୍ତୁ PEO ସୁଲେଖା ମଲିକ ତାଙ୍କ ଚେମ୍ବର ଭିତରେ କ୍ୟାମେରା ଲଗାଇବାକୁ ବିରୋଧ କରିଥିବା ଅଭିଯୋଗ ରହିଛି। ଏନେଇ ସରପଞ୍ଚ ପଚାରିବାକୁ ଯିବାବେଳେ ଦୁଇପକ୍ଷ ମଧ୍ୟରେ ତର୍କ ବୃଦ୍ଧି ପାଇ ଗଣ୍ଡଗୋଳ ଘଟିଥିଲା। ଅଭିଯୋଗ ଅନୁସାରେ, PEO ଓ ତାଙ୍କ ସ୍ୱାମୀ ସରପଞ୍ଚଙ୍କୁ ମାଡ଼ମାରି ଥିବା ସହିତ ତାଙ୍କ ହାତକୁ କାମୁଡ଼ି ଆହତ କରିଥିବା କୁହାଯାଉଛି। ଏହାପରେ 10 ଫେବୃଆରୀ ମଙ୍ଗଳବାର ଦିନ ନିକିରାଇ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଥିଲା। ଘଟଣାକୁ ଚାରି ଦିନ ଅତିତ ହୋଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଦୃଶ୍ୟମାନ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ଉଠିଛି। ଏହା ସହିତ ଘଟଣାର ସାକ୍ଷୀମାନଙ୍କୁ ମିଛ ବୟାନ ଦେବାକୁ ଚାପ ପକାଯାଉଥିବା ଓ ଧମକ ଦିଆଯାଉଥିବା କଥା ମଧ୍ୟ ସ୍ଥାନୀୟ ମାନେ କହୁଛନ୍ତି।ଏପଟେ ଅଭିଯୁକ୍ତ PEO ସୁଲେଖା ମଲିକ ଓ ତାଙ୍କ ସ୍ୱାମୀ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ। ଘଟଣାକୁ ଚପାଇ ଦେବା ପାଇଁ ଚେଷ୍ଟା ଚାଲିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।ଏହି ପରିସ୍ଥିତିରେ, ପଞ୍ଚାୟତର ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ଉକ୍ତ PEOଙ୍କୁ ହଟାଇ ସ୍ଥାନରେ ନୂତନ ଓ ଶୃଙ୍ଖଳିତ PEO ନିଯୁକ୍ତି କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି। ପୋଲିସ ତଦନ୍ତ ପରେ ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ସ୍ଥାନୀୟମାନଙ୍କ ଆଶା ରହିଛି ।

Leave a Reply

Your email address will not be published. Required fields are marked *