ଅଲ୍ ଓଡ଼ିଶା ପ୍ରାଇଭେଟ୍ ସ୍କୁଲ୍ ଆସୋସିଏସନ୍ ପକ୍ଷରୁ ଶିକ୍ଷା ସମ୍ମାନ ସମାରୋହ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅଲ୍ ଓଡ଼ିଶା ପ୍ରାଇଭେଟ୍ ସ୍କୁଲ୍ ଆସୋସିଏସନ୍ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନରେ ଶିକ୍ଷା ସମ୍ମାନ ସମାରୋହ, ସ୍ମାର୍ଟ ପ୍ୟାରେଣ୍ଟିଂ ସଚେତନତା କାର୍ଯ୍ୟକ୍ରମ ଓ ଜାତୀୟ ଶିକ୍ଷାନୀତି ୨୦୨୦ ଉପରେ ଏକ ସଭା ସଂଘର ସଭାପତି ଅଜିତ୍ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ପ୍ୟାରେଣ୍ଟିଂ ଉପରେ ଆୟୋଜିତ ଆଲୋଚନାରେ ଓଡ଼ିଶା ଅଭିଭାବକ ସଂଘର ସଭାପତି ବାସୁଦେବ ଭଟ୍ଟ ଯୋଗଦେଇ ତାଙ୍କ ବକ୍ତବ୍ୟରେ ଆଧୁନିକ ସମୟରେ ଅଭିଭାବକଙ୍କ ଭୂମିକା, ମୂଲ୍ୟବୋଧ ଆଧାରିତ ଶିକ୍ଷା, ମୋବାଇଲ୍ ଓ ସୋସିଆଲ୍ ମିଡିଆର ସନ୍ତୁଳିତ ବ୍ୟବହାର, ସାଇବର ସୁରକ୍ଷା, ଶିକ୍ଷାଗତ ସଫଳତା ପାଇଁ ଅଭିଭାବକଙ୍କ ଭୂମିକା ଉପରେ ଗୁରୁତ୍ଵ ଦେଇଥିଲେ।ଜାତୀୟ ଶିକ୍ଷାନୀତି ୨୦୨୦ ଉପରେ ଡି.ଆଇ.ଇ.ଟି ଖୋର୍ଦ୍ଧାର, ଗଞ୍ଜାମର ଅଧ୍ୟକ୍ଷ ସନ୍ତୋଷ ପରିଡ଼ା ଯୋଗଦେଇ ଶିକ୍ଷାନୀତିର ଲକ୍ଷ୍ୟ, ପ୍ରୟୋଗ ପଦ୍ଧତି, ଦକ୍ଷତା ବିକାଶ, ମାତୃଭାଷାର ଶିକ୍ଷା, ଶିକ୍ଷାର୍ଥୀଙ୍କର ସାମଗ୍ରିକ ବିକାଶ ଉପରେ ଆଲୋଚନା କରିଥିଲେ।ଶିକ୍ଷା କ୍ଷେତ୍ରରେ ଦୀର୍ଘ ଦିନ ଧରି ଉଲ୍ଲେଖନୀୟ ଅବଦାନ, ଉତ୍କୃଷ୍ଟ ବିଦ୍ୟାଳୟ ପରିଚାଳନା, ଗୁଣାତ୍ମକ ଶିକ୍ଷା ପ୍ରଦାନ, ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶରେ ବିଶେଷ ଭୂମିକା ପାଇଁ ଓଡ଼ିଶାରୁ ଚୟିତ ବର୍ଷ ପାଇଁ ୫୦ ଜଣ ବିଦ୍ୟାଳୟର ପ୍ରତିଷ୍ଠାତା, ୫୦ ଜଣ ପ୍ରଧାନ ଆଚାର୍ଯ୍ୟ ଓ ୧୦୦ ଜଣ ଶିକ୍ଷକଙ୍କୁ ଶିକ୍ଷାରତ୍ନ, ଶିକ୍ଷା ଶ୍ରୀ ଓ ଶିକ୍ଷା ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା।ପ୍ରଥମ ପର୍ଯ୍ୟାୟରେ ବିଜେପିର ଉପସଭାପତି ଗୋଲକ ମହାପାତ୍ର, ଶିକ୍ଷକ ପ୍ରକୋଷ୍ଠର ଆବାହକ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ ଓ ମହିଳା କମିଶନର ଅଧ୍ୟକ୍ଷା ଶୋଭନା ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ପର୍ଯ୍ୟଟନ ବିଧାୟକ ପ୍ରିୟଦର୍ଶିନୀ ମିଶ୍ର ଓ ପ୍ରଫେସର ବସନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ।ସାଧାରଣ ସମ୍ପାଦକ ଡ଼. ଅବନ୍ତୀ କୁମାର ସୂତାର ସ୍ମାର୍ଟ ପ୍ୟାରେଣ୍ଟିଂର ଉଦ୍ଦେଶ୍ୟ ତଥା ଗୁଣାତ୍ମକ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଗଢ଼ିବା ଆମର ଲକ୍ଷ୍ୟ ସହ ଆଗାମୀ କାର୍ଯ୍ୟକ୍ରମର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଉପାଧ୍ୟକ୍ଷ ଡଃ ଚିତ୍ତ ରଞ୍ଜନ ଆଚାର୍ଯ୍ୟ ସଭା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ ସୁରେଶ ଚନ୍ଦ୍ର ସାମନ୍ତରାୟ, ସୁରେନ୍ଦ୍ର କୁମାର ଶୁଣ୍ଠିଆ, ରମା ବଲ୍ଲଭ ପରିଡ଼ା, ମନ୍ତ୍ରୀଣି ଚରଣ ମହାନ୍ତି, ଶିଶିର ପାଇକରାୟ ପ୍ରମୁଖ ସହଯୋଗ କରିଥିଲେ।ଏହି ସମ୍ମାନର ଉଦ୍ଦେଶ୍ୟ ହେଉଛି ଜଣେ ପ୍ରତିଷ୍ଠାତା ଏକ ଶିକ୍ଷାନୁଷ୍ଠାନର ସ୍ବପ୍ନଦ୍ରଷ୍ଟା, ଜଣେ ପ୍ରଧାନ ଶିକ୍ଷକ ସେହି ସ୍ବପ୍ନକୁ ସୁଚାରୁ ଭାବରେ ପରିଚାଳନା କରୁଥିବା ନେତା ଓ ଜଣେ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତର ପ୍ରକୃତ ନିର୍ମାତା। ଏହି ତିନିଜଣଙ୍କ ସମନ୍ଵିତ ପ୍ରୟାସରେ ଏକ ଆଦର୍ଶ ବିଦ୍ୟାଳୟ ଗଢ଼ି ଉଠିଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *