ଗଜପତିରେ ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ନେଇ ବିଜ୍ଞାନ ଶିକ୍ଷକମାନଙ୍କ ପ୍ରଶିକ୍ଷଣ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ (NCSC) ଉପଲକ୍ଷେ ଗଜପତି ଜିଲ୍ଲାର ସମସ୍ତ ବିଜ୍ଞାନ ଶିକ୍ଷକଙ୍କ ଏକ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ଯୋଗାଯୋଗ ପରିଷଦ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ,ଭାରତ ସରକାରଙ୍କର ପ୍ରାୟୋଜନ ଓ ଜିଲ୍ଲା ଶିକ୍ଷା ଅଧିକାରୀ, ଗଜପତିଙ୍କ ସହଯୋଗରେ ପାରଳାଖେମୁଣ୍ଡିସ୍ଥିତ ପି.ଏମ୍. ଶ୍ରୀ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁ ଯୋଗଦେଇ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଉଦ୍ଦେଶ୍ୟ ଓ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବିକାଶର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ନବନିଯୁକ୍ତ ଜିଲ୍ଲା ବିଜ୍ଞାନ ସୁପରଭାଇଜର ଶ୍ରୀ ୱାଇ. କ୍ରିଷ୍ଣାରାଓ କାର୍ଯ୍ୟକ୍ରମରେ ଯୋଗଦେଇ ଆଗାମୀ ଦିନରେ ଜିଲ୍ଲାରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସକୁ ଅଧିକ ସକ୍ରିୟ ଓ ଫଳପ୍ରଦ କରିବା ନିମନ୍ତେ ଶିକ୍ଷକମାନଙ୍କ ସହଯୋଗ ଆହ୍ୱାନ କରିଥିଲେ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନୁଭବୀ ସମ୍ବଳ ବ୍ୟକ୍ତି ଭାବେ ପୂର୍ବତନ ଜିଲ୍ଲା ବିଜ୍ଞାନ ସୁପରଭାଇଜର (DSS),ରାଜ୍ୟପାଳ ପୁରସ୍କାର ପ୍ରାପ୍ତ,ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ସାହିତ୍ୟିକ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଏବଂ ପୂର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ବାଳକୃଷ୍ଣ ମାଝୀ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ସମ୍ବଳ ବ୍ୟକ୍ତିମାନେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଲକ୍ଷ୍ୟ, ଉଦ୍ଦେଶ୍ୟ, ବିଷୟବସ୍ତୁ ଓ ପ୍ରକଳ୍ପ ପ୍ରସ୍ତୁତିର ବିଭିନ୍ନ ଦିଗ ସମ୍ପର୍କରେ ଶିକ୍ଷକମାନଙ୍କୁ ବିସ୍ତୃତ ଧାରଣା ପ୍ରଦାନ କରିଥିଲେ। ବିଶେଷକରି ଏକ ଉତ୍ତମ ବିଜ୍ଞାନ ପ୍ରକଳ୍ପ କିପରି ଚିହ୍ନଟ କରାଯିବ, ପ୍ରକଳ୍ପ ପେପର କିପରି ପ୍ରସ୍ତୁତ ହେବ, ତଥ୍ୟ କିପରି ସଂଗ୍ରହ ଓ ବିଶ୍ଳେଷଣ କରାଯିବ ଏବଂ ବୈଜ୍ଞାନିକ ଉପାୟରେ ସମସ୍ୟାର ସମାଧାନ କିପରି ଖୋଜାଯିବ—ସେ ସମ୍ପର୍କରେ ପ୍ରାୟୋଗିକ ମାର୍ଗଦର୍ଶନ କରିଥିଲେ। ପ୍ରଶିକ୍ଷଣରେ ଶିକ୍ଷକମାନଙ୍କୁ ‘ସମସ୍ୟା ଚିହ୍ନଟରୁ ସମାଧାନ ପର୍ଯ୍ୟନ୍ତ’ ପ୍ରକଳ୍ପ ପ୍ରସ୍ତୁତିର ପଦକ୍ରମ ବୁଝାଇ ଦିଆଯାଇଥିଲା। ଏହା ସହିତ ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ଅ।ବର୍ଜନା ପରିଚାଳନା, ଜୈବ ବିବିଧତା, ସ୍ୱାସ୍ଥ୍ୟ ଓ ପୋଷଣ, ସ୍ଥାନୀୟ ସମ୍ପଦର ସୁବ୍ୟବହାର, ଜଳବାୟୁ ପରିବର୍ତ୍ତନ ଆଦି ସାମ୍ପ୍ରତିକ ବିଷୟକୁ ଆଧାର କରି ଅଭିନବ ପ୍ରକଳ୍ପ ପ୍ରସ୍ତୁତି ପାଇଁ ବିଭିନ୍ନ ଉଦାହରଣୀୟ ପ୍ରକଳ୍ପ ଧାରଣା ଉପସ୍ଥାପନ କରାଯାଇଥିଲା।
ପି.ଏମ୍. ଶ୍ରୀ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ବି. ମାଧବୀ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ।ସମଗ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପି.ଏମ୍. ଶ୍ରୀ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଲତା ସୁଭଦର୍ଶିନୀ ସମନ୍ୱୟ ଓ ପରିଚାଳନା କରିଥିଲେ।
ପ୍ରଶିକ୍ଷଣରେ ପ୍ରାୟତଃ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୧00 ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ । ବିଜ୍ଞାନ ର ଏହି କାର୍ଯ୍ୟକ୍ରମ ମାଧ୍ୟମରେ NCSC ପ୍ରକଳ୍ପ ପ୍ରସ୍ତୁତିର ବୈଜ୍ଞାନିକ ପଦ୍ଧତି, ତଥ୍ୟ ସଂଗ୍ରହ, ବିଶ୍ଳେଷଣ ଓ ନିଷ୍କର୍ଷ ନିର୍ଦ୍ଧାରଣ ସମ୍ପର୍କରେ ଉପଯୋଗୀ ଜ୍ଞାନ ଆହରଣ କରିଥିଲେ। ଏହି ପ୍ରଶିକ୍ଷଣ ଗଜପତି ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁସନ୍ଧାନ କରିବା ଓ ସ୍ଥାନୀୟ ସମସ୍ୟାର ବୈଜ୍ଞାନିକ ସମାଧାନ ଖୋଜିବାର ମନୋଭାବ ବିକଶିତ କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *