ଡ୍ରପ୍-ଆଉଟ୍ ଛାତ୍ରଛାତ୍ରୀଙ୍କୁ ପୁନଃ ବିଦ୍ୟାଳୟମୁଖୀ କରିବାରେ DLSA ନୟାଗଡ଼ର ସଫଳ ପଦକ୍ଷେପ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ବିଦ୍ୟାଳୟରୁ ଡ୍ରପ୍-ଆଉଟ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁନଃ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ଗ୍ରହଣ କରାଯାଇଥିବା ଏକ ବିଶେଷ ପଦକ୍ଷେପ ସଫଳତା ହାସଲ କରିଛି।

ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଏବଂ DLSA, ନୟାଗଡ଼ର ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ତତ୍ତ୍ୱାବଧାନରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଜିଲ୍ଲା ସଦର ମହକୁମାଠାରୁ ସୁଦୂରରେ ଅବସ୍ଥିତ କାଳନ୍ଦୀ ସୁରୁଜା ଉଚ୍ଚ ବିଦ୍ୟାଳୟ, ବିରୁଡ଼ାରୁ ପାଠପଢ଼ା ଛାଡ଼ି ଦେଇଥିବା ଦୁଇ ଛାତ୍ର ସିକୁନ ନାହାକ ଓ ରିଙ୍କୁ ନାହାକଙ୍କୁ ପୁନର୍ବାର ବିଦ୍ୟାଳୟରେ ନାମ ଲେଖାଇବାରେ ସଫଳତା ମିଳିଛି। ସୂଚନା ଅନୁସାରେ ସେମାନେ ପାଠ ପଢା ଛାଡି ଅନ୍ୟତ୍ର ସମ୍ପର୍କୀୟଙ୍କ ଘରେ ରହୁଥିଲେ ।

ଉଭୟ ଛାତ୍ରଙ୍କ ପରିବାର ସହିତ ବାରମ୍ବାର ଆଲୋଚନା ଓ ପରାମର୍ଶ କରାଯାଇ ସେମାନଙ୍କୁ ପୁନଃ ବିଦ୍ୟାଳୟକୁ ପଠାଇବା ପାଇଁ ପରିବାରକୁ ପ୍ରେରିତ କରାଯାଇଥିଲା। ନିରନ୍ତର ପରାମର୍ଶ ଓ ସମନ୍ୱିତ ପ୍ରୟାସର ଫଳସ୍ୱରୂପ ସିକୁନ ଓ ରିଙ୍କୁ ପୁନର୍ବାର ବିଦ୍ୟାଳୟରେ ନାମ ଲେଖାଇ ଶିକ୍ଷା ଜାରି ରଖିବାର ସୁଯୋଗ ପାଇଛନ୍ତି।

ଏହା ପୂର୍ବରୁ ଏହି ଅଭିଯାନ ଅଧୀନରେ ତୁଳସୀ ନାମକ ଜଣେ ଛାତ୍ରୀଙ୍କୁ ମଧ୍ୟ ପୁନଃ ବିଦ୍ୟାଳୟରେ ନାମ ଲେଖାଯାଇଥିଲା। ଏହିପରି ଭାବେ ଡ୍ରପ୍-ଆଉଟ୍ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଏହି ଅଭିଯାନରେ ଏପର୍ଯ୍ୟନ୍ତ ମୋଟ ୩ ଜଣ ଛାତ୍ରଛାତ୍ରୀଙ୍କୁ ପୁନଃ ବିଦ୍ୟାଳୟରେ ନାମ ଲେଖାଇବାରେ ସଫଳତା ମିଳିଛି।

ଏହି ମିଶନରେ ଅଧିକାର ମିତ୍ର ପ୍ରକାଶ ଚନ୍ଦ୍ର ଦଳେଇ, ରୋନିତ ଦଳେଇ ଏବଂ ଆୟୁଷ୍ମାନ ଚୌଧୁରୀ ସକ୍ରିୟ ଭାବେ ଯୋଗଦେଇ ନିରନ୍ତର ପ୍ରୟାସ ଓ ପରିବାର ସହିତ ସମନ୍ୱୟ ମାଧ୍ୟମରେ ଏହି ଉଦ୍ୟମକୁ ସଫଳ କରିଥିଲେ।

ପୁନଃ ବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ନିୟମିତ ଭାବେ ବିଦ୍ୟାଳୟ ଯାଉଛନ୍ତି କି ନାହିଁ ଏବଂ ସେମାନଙ୍କର ପାଠପଢ଼ା ଜାରି ରହିଛି କି ନାହିଁ, ତାହା ନିରନ୍ତର ଯାଞ୍ଚ ଓ ଅନୁଧ୍ୟାନ କରିବାର ଦାୟିତ୍ୱ ମଧ୍ୟ ସମ୍ପୃକ୍ତ ଅଧିକାର ମିତ୍ରମାନଙ୍କୁ ଦିଆଯାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ପୁନର୍ବାର ଶିକ୍ଷା ଛାଡ଼ି ନଦିଅନ୍ତୁ ଏବଂ ସେମାନଙ୍କର ଶିକ୍ଷା ନିରନ୍ତର ଭାବେ ଜାରି ରହୁ, ତାହା ସୁନିଶ୍ଚିତ କରାଯିବ।

ଏଥିସହିତ, ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ପିତାଙ୍କ ଦେହାନ୍ତ ହୋଇଥିବାରୁ, ତାଙ୍କ ପରିବାରକୁ ସରକାରଙ୍କ ଦ୍ୱାରା ଉପଲବ୍ଧ ସାମାଜିକ ସୁରକ୍ଷା ଯୋଜନା ଓ ଆବଶ୍ୟକ ସହାୟତା ସହିତ ଯୋଡ଼ିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବାର ଆଶ୍ୱାସନ ଦିଆଯାଇଛି।

ଶିକ୍ଷାରୁ ବଞ୍ଚିତ ହେବାର ଆଶଙ୍କାରେ ଥିବା ଶିଶୁମାନଙ୍କୁ ପୁନଃ ବିଦ୍ୟାଳୟମୁଖୀ କରିବା ସହିତ ସେମାନଙ୍କ ପରିବାରକୁ ଆବଶ୍ୟକ ସାମାଜିକ ସୁରକ୍ଷା ବ୍ୟବସ୍ଥା ସହିତ ଯୋଡ଼ିବାର ଏହି ପ୍ରୟାସ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ର ଏକ ମାନବିକ ଓ ସମାଜମୁଖୀ ପଦକ୍ଷେପ ଭାବେ ପ୍ରଶଂସିତ ହୋଇଛି।

Leave a Reply

Your email address will not be published. Required fields are marked *