ସାମ୍ବାଦିକଙ୍କ ଏକତା ଓ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ : ଉତ୍କଳ ସାମ୍ବାଦିକ ସଂଘର ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି କରଙ୍କ ପାରଳାଖେମୁଣ୍ଡି ଗସ୍ତ ଅବସରରେ ସଂଘର ଜିଲ୍ଲା ଶାଖା ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ୍‌ ସହ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଛି। ଆଶୀର୍ବାଦ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ବୈଠକରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା, ସଂଘର ଏକତା, ସାମ୍ବାଦିକତାର ଗୁଣାତ୍ମକ ବିକାଶ ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ମତବିନିମୟ ହୋଇଥିଲା। ବୈଠକରେ ରାଜ୍ୟ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥାଙ୍କ ସମେତ ଗଜପତି ଜିଲ୍ଲା ସଂଘର ବହୁ ସଦସ୍ୟ ଯୋଗଦେଇଥିଲେ। ସାମ୍ବାଦିକଙ୍କ ଦାୟିତ୍ୱବୋଧ ଓ ସାମାଜିକ ଦାୟିତ୍ୱ, ନିରପେକ୍ଷ ଓ ତଥ୍ୟଭିତ୍ତିକ ସାମ୍ବାଦିକତା, ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଏବଂ ସଂଗଠନକୁ ତୃଣମୂଳସ୍ତରରୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ସାମ୍ବାଦିକଙ୍କ ସ୍ୱାର୍ଥ ଓ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ସହ ସଂଘର ଆଗାମୀ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ କାର୍ଯ୍ୟପନ୍ଥା ନେଇ ଉପସ୍ଥିତ ସଦସ୍ୟମାନେ ନିଜ ନିଜ ମତ ରଖିଥିଲେ। ଏକତା ଓ ସମନ୍ୱୟ ମାଧ୍ୟମରେ ସାମ୍ବାଦିକ ସଂଗଠନକୁ ଆହୁରି ସୁଦୃଢ଼ କରିବା ଉପରେ ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଗଜପତି ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ଓଡ଼ିଶା ଗଠନ ଏବଂ ଓଡ଼ିଆ ଜାତି ପାଇଁ ରହିଥିବା ଅବଦାନକୁ ସ୍ମରଣ କରାଯାଇଥିଲା। ଓଡ଼ିଶା ଗଠନ ଦିଗରେ ତାଙ୍କ ଦୂରଦୃଷ୍ଟି, ତ୍ୟାଗ ଓ ଜନସେବାମୂଳକ କାର୍ଯ୍ୟ ପାଇଁ ବୈଠକରେ ଶ୍ରଦ୍ଧାପୂର୍ବକ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଶେଷରେ ସାମ୍ବାଦିକମାନଙ୍କ ମଧ୍ୟରେ ଭାଇଚାରା, ଏକତା ଓ ସମନ୍ୱୟ ଅକ୍ଷୁଣ୍ଣ ରଖିବା ସହ ସାମ୍ବାଦିକତାର ମର୍ଯ୍ୟାଦା, ନିରପେକ୍ଷତା ଓ ଦାୟିତ୍ୱବୋଧକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *