ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା : ୨୫ ଦିନ ଧରି ବିଜୁଳି ନାହିଁ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ ! ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ ! ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ ! ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌ ଏବେ କେବଳ ନାମକୁ ରହିଯାଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ନୀଲିପଡ଼ା ସରକାରୀ ୟୁଜି ହାଇସ୍କୁଲ (ନୂଆ)ରେ ଦୀର୍ଘ ୨୫ ଦିନ ଧରି ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଫଳରେ ସ୍ମାର୍ଟବୋର୍ଡ ଭିତ୍ତିକ ପାଠପଢ଼ା ବନ୍ଦ ହୋଇଯିବା ସହ ଖରା ଓ ଗରମରେ ଫ୍ୟାନ୍‌ ଚାଲୁନଥିବାରୁ ଛାତ୍ରଛାତ୍ରୀ ହନ୍ତସନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ। ଶେଷରେ ସେମାନେ ଏକଜୁଟ ହୋଇ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ବିଦ୍ୟାଳୟରେ ଆଧୁନିକ ଶିକ୍ଷା ବ୍ୟବସ୍ଥା ପାଇଁ ସ୍ମାର୍ଟବୋର୍ଡ ସ୍ଥାପନ କରାଯାଇଛି। କିନ୍ତୁ ବିଦ୍ୟୁତ୍‌ ସଂଯୋଗ ନଥିବାରୁ ଏହାର କୌଣସି ବ୍ୟବହାର ହେଉନାହିଁ। ଏପରିକି ବିଦ୍ୟୁତ୍‌ ନଥିବାରୁ ଫ୍ୟାନ୍‌ ମଧ୍ୟ ଚାଲୁନଥିବାରୁ ଗରମ ପରିବେଶରେ ପିଲାମାନଙ୍କୁ ପାଠ ପଢ଼ିବାକୁ ପଡ଼ୁଛି। ଅନ୍ୟପକ୍ଷରେ ବିଦ୍ୟୁତ୍‌ ବିଲ୍‌ ବକେୟା ଥିବା ଏବଂ ଏଥିପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ଅର୍ଥ ବରାଦ ହୋଇନଥିବାରୁ ବିଦ୍ୟାଳୟ ପକ୍ଷରୁ ବିଲ୍‌ ପୈଠ କରାଯାଇପାରୁନଥିବା ନେଇ ପ୍ରଧାନଶିକ୍ଷୟିତ୍ରୀଙ୍କ ପକ୍ଷରୁ କୁହାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ଅର୍ଥରୁ ବିଦ୍ୟୁତ୍‌ ବିଲ୍‌ ପୈଠ କରିବା ସମ୍ଭବ ନୁହେଁ ବୋଲି ସେ କହିଥିବା ମଧ୍ୟ ଅଭିଯୋଗ ହୋଇଛି। ସମସ୍ୟା ନେଇ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀ ଓ ସେକ୍ସନ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣା ଉପଜିଲ୍ଲାପାଳ ପ୍ରଣୀତା ଦାସଙ୍କ ନଜରକୁ ଆସିବା ପରେ ସେ ଏହାକୁ ଗୁରୁତ୍ୱର ସହ ନେଇ ଶୀଘ୍ର ବିଦ୍ୟୁତ୍‌ ସଂଯୋଗ ପୁନର୍ବାହାଲ ସହ ଦାୟିତ୍ୱବହନ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଆଶ୍ୱାସନ ଦେଇଥିବା ଜଣାପଡ଼ିଛି । ସ୍ମାର୍ଟ କ୍ଲାସ୍‌ରୁମ୍‌ ପାଇଁ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସ୍ଥା ହେଉଥିବା ବେଳେ ମାତ୍ର ବିଦ୍ୟୁତ୍‌ ଅଭାବରୁ ଏହା ଅଚଳ ହୋଇପଡ଼ିବା ଘଟଣା ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ଓ ପରିଚାଳନା ମଧ୍ୟରେ ଥିବା ଫାଟକୁ ସାମ୍ନାକୁ ଆଣିଛି। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ନ ଦିଆଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଅଭିଭାବକ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *