ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ଦେବୀ ପ୍ରସାଦ ମିଶ୍ର : ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ,ଅର୍ଥ ବିଭାଗ,ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ ଢେଙ୍କାନାଳ ଜିଲ୍ଳା ପ୍ରଶାସନ ଏଵଂ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ,ଜିଲ୍ଲା ପ୍ରଶାସନ,ଢେଙ୍କାନାଳର ମିଳିତ ଆନୁକୁଲ୍ୟରେ ଅକ୍ଟୋବର ୩୦ ତାରିଖରେ ଢେଙ୍କାନାଳ ସଦର ପଞ୍ଚାୟତ ସମିତି ସଭାଗୃହରେ ଦିବା ୧୧ ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ବିଶ୍ଵ ମିତବ୍ୟୟିତା ଦିବସ-୨୦୨୬ ପାଳିତ ଓ ସ୍ୱତନ୍ତ୍ର ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ,ଢ଼େଙ୍କାନାଳର ସହ-ନିର୍ଦ୍ଦେଶକ ପ୍ରଜ୍ଞା ମିଶ୍ର ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସ୍ଵୀୟ ବକ୍ତବ୍ୟରେ ସଞ୍ଚୟର ଆବଶ୍ୟକତା ଏବଂ ଡାକଘର ଓ ବ୍ୟାଙ୍କ୍ ଭଳି ପ୍ରତିଷ୍ଠିତ ତଥା ନିର୍ଭର ଯୋଗ୍ୟ ପ୍ରତିଷ୍ଠାନରେ ନିଜର କଷ୍ଟଲବ୍ଧ ଅର୍ଥ ସଞ୍ଚୟ କରିବା ନିରାପଦ ବୋଲି ସୁପରାମର୍ଶ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଭାବରେ ସଦର ବ୍ଲକ୍ ଚେୟାରମ୍ୟାନ୍ କାଳନ୍ଦୀ ବାରିକ ସମସ୍ତଙ୍କୁ ମିତବ୍ୟୟୀ ହୋଇ ସ୍ୱଳ୍ପ ସଞ୍ଚୟ ଯୋଜନା ଗୁଡିକରେ ନିବେଶ କରି ଦେଶ ଗଠନରେ ଭାଗିଦାରୀ ହେବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ।ଅନ୍ୟତମ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଜମ୍ବେଶ୍ୱର ଗଡନାୟକ,ଡାକ ଅଧିକ୍ଷକ,ଢେଙ୍କାନାଳ ଡାକମଣ୍ଡଳ ସ୍ଵୀୟ ବକ୍ତବ୍ୟରେ ଡ଼ାକଘରେ ଉପଲବ୍ଧ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା ତଥା ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଉପରେ ଆଲୋକ ପାତ କରିଥିଲେ ଓ ଏସବୁକୁ ସୌମ୍ୟ ରଞ୍ଜନ ପାଣି ଓ ଦୀପ୍ତି ରଞ୍ଜନ ସାମନ୍ତ ଏକ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ବୁଝାଇଥିଲେ।ଅନ୍ୟତମ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ଢେଙ୍କାନାଳ ସାଇବର୍ ଥାନାର ଡ଼ି.ଏସ.ପି.ପ୍ରିୟ ରଞ୍ଜନ ନାୟକ ଏକ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ସ୍ଵୀୟ ବକ୍ତବ୍ୟରେ ସଚେତନତା ହିଁ ସୁରକ୍ଷା ବୋଲି କହି ସମସ୍ତ ପ୍ରକାର ସାଇବର ଠକାମୀ ଓ ସେଥିରୁ ରକ୍ଷା ପାଇବା ପାଇଁ ଅବଲମ୍ବନୀୟ ସାଇବର୍ ସୁରକ୍ଷା ବା ସାଇବର୍ ସିକ୍ୟୁରିଟି ପଦକ୍ଷେପଗୁଡ଼ିକ ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ସବିଶେଷ ଧାରଣା ପ୍ରଦାନ କରିଥିଲେ।ଏହି ବୈଠକରେ ଢ଼େଙ୍କାନାଳ ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରହ୍ଲାଦ ତ୍ରିପାଠୀ,ସାଧାରଣ ସମ୍ପାଦକ କୃଷ୍ଣ ମୋହନ ସାହୁଙ୍କ ସମେତ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକଗଣ,ପେନ୍ସନ୍ ଭୋଗୀ,ଗ୍ରାମସାଥି,ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା,ସଞ୍ଚୟ ଅଭିକର୍ତ୍ତା ଓ ସାଧାରଣ ନାଗରିକଗଣ ଯୋଗ ଦେଇଥିଲେ।ବରିଷ୍ଠ ନାଗରିକ ପରିବେଶବିତ୍ ଉପେନ୍ଦ୍ର ରାଉତ,ଡ଼ା.ଦେବୀ ପ୍ରସାଦ ମିଶ୍ର ଓ ସମାଜ ପ୍ରତିନିଧି ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ସ୍ଵଳ୍ପ ସଞ୍ଚୟର ଉପଯୋଗିତା ଓ ସାଇବର ଠକେଇ ସମ୍ପର୍କରେ ନିଜ ନିଜ ଜୀବନର ଅନୁଭୂତିକୁ ସର୍ବ ସମ୍ମୁଖରେ ଉପସ୍ଥାପନା କରି ଉଭୟ ବିଷୟରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।ପ୍ରଜ୍ଞା ମିଶ୍ର,ସହ ନିର୍ଦ୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ, ଢେଙ୍କାନାଳଙ୍କ ସଫଳ ମାର୍ଗଦର୍ଶନ,ନେତୃତ୍ୱ ଓ ସଫଳ ସଂଯୋଜନାରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଅଭିଲିପ୍ସା ବିଶ୍ବାଳ,ଉପଖଣ୍ଡ ସ୍ଵଳ୍ପ ସଞ୍ଚୟ ଅଧିକାରୀ,ସଦର ଏବଂ ସ୍ୱର୍ଣ୍ଣପ୍ରଭା ବିରୁଆଁ,ଉପଖଣ୍ଡ ସ୍ଵଳ୍ପ ସଞ୍ଚୟ ଅଧିକାରୀ କାମାକ୍ଷାନଗର,କନିଷ୍ଠ ରାଜସ୍ବ ସହାୟିକା,ବାଙ୍କନିଧି ନାୟକ ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ପ୍ରଜ୍ଞା ମିଶ୍ର,ସହ ନିର୍ଦ୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ,ଢେଙ୍କାନାଳ କାର୍ଯ୍ୟକ୍ରମର ଅଭୂତପୂର୍ବ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !
ଢେଙ୍କାନାଳ ଜିଲ୍ଳା ପ୍ରଶାସନ ପକ୍ଷରୁ ବିଶ୍ଵ ମିତବ୍ୟୟିତା ଦିବସ-୨୦୨୬ ପାଳିତ ଓ ସ୍ୱତନ୍ତ୍ର ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ !!!

