ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ କ୍ୟାରିଅର କାଉନସେଲିଂ ସେଲ ପକ୍ଷରୁ ଦକ୍ଷତା ବିକାଶ, କୃତ୍ରିମ ବୁଦ୍ଧିମତା ଜ୍ଞାନ କୌଶଳ ଓ ସ୍ନାତକ ପରବର୍ତ୍ତୀ ନିଯୁକ୍ତି ସୁଯୋଗ ପାଠ୍ୟକ୍ରମ ସମ୍ପର୍କରେ ଦୁଇଦିନିଆ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ଦିଗଦର୍ଶନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ଆରିଫିନ ଓ ଆଇବିଏମର ତାଲିମଦାତାମାନେ ଏହି କର୍ମଶାଳାରେ ପ୍ରଶିକ୍ଷଣ ପ୍ରଦାନ କରି ଛାତ୍ର ଛାତ୍ରୀଙ୍କର ବିଭିନ୍ନ ଜ୍ଞାନ କୌଶଳ ବୃଦ୍ଧି କରିବା ସହ ସ୍ନାତକ ଡିଗ୍ରୀ ପରବର୍ତ୍ତୀ ପାଠ୍ୟକ୍ରମ ଓ ନିଯୁକ୍ତି ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ l ପ୍ରଥମ ଦିନରେ କ୍ୟାରିଅର କାଉନସେଲିଂ ସେଲର ପରାମର୍ଶଦାତା ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ ଆରିଫିନ ଏକାଡେମୀର ତାଲିମଦାତା ଦିପେଶ କୁମାର ମାହାନା ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତିର କୌଶଳ ଓ ଦକ୍ଷତା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ l ଦ୍ୱିତୀୟ ଦିବସରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ସଂଯୋଜନାରେ ଆୟୋଜିତ କର୍ମଶାଳାରେ ଆଇବିଏମ ସଂସ୍ଥାର ତାଲିମଦାତା ବିଶ୍ୱଜିତ ସାହୁ ଯୋଗଦେଇ କୃତ୍ରିମ ବୁଦ୍ଧିମତା ଜ୍ଞାନ କୌଶଳ, ଶିକ୍ଷାଦାନ ଓ ବୃତ୍ତିଗତ ଜୀବନରେ ଏହାର ଉପଯୋଗ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଅବଗତ କରାଇଥିଲେ l କ୍ୟାରିଅର କାଉନ ସେଲିଂ ସେଲର ପରାମର୍ଶଦାତା ଅଧ୍ୟାପିକା ସୁନିତା ନନ୍ଦ, କ୍ରୀଷ୍ଣା ସେଠି, ସ୍ନିଗ୍ଧାରାଣୀ ମୁଦୁଲି,ସୁଚିସ୍ମିତା ମହାପାତ୍ର, ପୂଜା ସ୍ୱାଇଁ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ lରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପରାମର୍ଶ ଅନୁଯାୟୀ ଅନୁଷ୍ଠିତ ଏହି କର୍ମଶାଳା ଶିକ୍ଷାର୍ଥୀ ଓ କର୍ମଚାରୀଙ୍କ ଆଧୁନିକ ଜ୍ଞାନ କୌଶଳ ବୃଦ୍ଧିକରିବାରେ ଏହା ଖୁବ ସହାୟକ ହୋଇଥିଲା l କାର୍ଯ୍ୟକ୍ରମ ଆୟୋଜନରେ ଅଧ୍ୟାପକ ବିମଳ କୁମାର ପଣ୍ଡା, କ୍ଷୀରୋଦନାଥ ନାୟକ, ସୁନୀଲ କୁମାର ସୁଆର ଓ ରଶ୍ମିରଂଜନ ଜାଲି ସହାୟତା ପ୍ରଦାନ କରିଥିଲେ l
ବାଲୁଗାଁ କଲେଜରେ ସ୍ନାତକ ପରବର୍ତ୍ତୀ ନିଯୁକ୍ତି ସୁଯୋଗ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ !!!

