ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ମଝି ସମୁଦ୍ରରେ ବିପଦରେ ପଡ଼ିଥିଲା ଜାହାଜ। ଜାହାଜରେ ଥିଲେ ୨୭ ଜଣ କ୍ରୁ ସଦସ୍ୟ। ଜାହାଜରେ ପାଣି ପଶିବା ସହ ଖରାପ ହୋଇଯାଇଥିଲା ପ୍ରୋପେଲର୍ ଶାଫ୍ଟ। ଏଭଳି ସଙ୍କଟ ସମୟରେ ଦେବଦୂତ ସାଜି ପହଞ୍ଚିଲା ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ରେସ୍କ୍ୟୁ ଟିମ୍। ଦୁଇଟି ଟଗ୍ ବୋଟ୍ର ସହାୟତାରେ ସୁରକ୍ଷିତ ଭାବେ ଉଦ୍ଧାର ହେଲା MV ବିଶ୍ୱ ଉଦୟ ଜାହାଜ। ପାରାଦୀପ ବନ୍ଦରର ତ୍ୱରିତ ପଦକ୍ଷେପ ଓ ସାମୁଦ୍ରିକ ଟିମ୍ର ଦକ୍ଷତାକୁ ନେଇ ଏବେ ପ୍ରଶଂସା। ସମୁଦ୍ର ମଝିରେ ବଡ଼ ବିପଦ। ଜାହାଜରେ ପଶୁଥିଲା ପାଣି, ଆଉ ଅଚଳ ହୋଇପଡ଼ିଥିଲା ପ୍ରୋପେଲର୍ ଶାଫ୍ଟ। ଜାହାଜରେ ଥିଲେ ୨୭ ଜଣ କ୍ରୁ ସଦସ୍ୟ। ଏଭଳି ସ୍ଥିତିରେ ସହାୟତା ପାଇଁ SCI ଲିମିଟେଡ୍ ପକ୍ଷରୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜରୁରୀ ଅନୁରୋଧ କରାଯାଇଥିଲା। ସୂଚନା ପାଇବା ପରେ ତୁରନ୍ତ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ। DGMAଙ୍କ ଅନୁମତି ପରେ ପାରାଦୀପ ବନ୍ଦରର ଦୁଇଟି ଶକ୍ତିଶାଳୀ ଟଗ୍ ବୋଟ୍ ଡଲଫିନ୍-୨୫ ଏବଂ ଡଲଫିନ୍-୨୦ ଉଦ୍ଧାର କାର୍ଯ୍ୟ ପାଇଁ ବାହାରିଥିଲା। ହାର୍ବର ମାଷ୍ଟର କ୍ୟାପ୍ଟେନ୍ ଇନ୍ଦ୍ରନୀଲ ମୁଖାର୍ଜୀଙ୍କ ନେତୃତ୍ୱରେ ଗତକାଲି ଦିନ ୧୨ଟା ୩୦ରେ ଦୁଇଟି ଟଗ୍ ବୋଟ୍ ପାରାଦୀପ ବନ୍ଦରରୁ ଯାତ୍ରା ଆରମ୍ଭ କରିଥିଲା। ପାରାଦୀପ ବନ୍ଦରଠାରୁ ପ୍ରାୟ ୫୦ ନଟିକାଲ୍ ମାଇଲ୍ ଦୂରରେ ୧୯ ଡିଗ୍ରୀ ୪୭ ମିନିଟ୍ ଉତ୍ତର ଅକ୍ଷାଂଶ ଏବଂ ୮୭ ଡିଗ୍ରୀ ୨୨ ମିନିଟ୍ ପୂର୍ବ ଦ୍ରାଘିମାରେ ଅବସ୍ଥିତ ବିପଦଗ୍ରସ୍ତ ଜାହାଜ ନିକଟରେ ପହଞ୍ଚିଥିଲା ରେସ୍କ୍ୟୁ ଟିମ୍। ଏହି ସଫଳ ଅଭିଯାନ ପ୍ରମାଣ କରିଛି, କେବଳ ବାଣିଜ୍ୟିକ କାରବାର ନୁହେଁ, ସାମୁଦ୍ରିକ ସୁରକ୍ଷା ଓ ଜରୁରୀକାଳୀନ ସେବା କ୍ଷେତ୍ରରେ ମଧ୍ୟ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରସ୍ତୁତି ଓ ଦକ୍ଷତା କେତେ ଗୁରୁତ୍ୱପୂର୍ଣ୍ଣ। ୨୭ ଜଣ କ୍ରୁ ସଦସ୍ୟଙ୍କ ସୁରକ୍ଷା ଏବଂ ଏକ ବଡ଼ ସାମୁଦ୍ରିକ ବିପଦକୁ ସଫଳତାର ସହ ମୁକାବିଲା କରି ପାରାଦୀପ ବନ୍ଦରର ମେରିନ୍ ଟିମ୍ ପୁଣିଥରେ ନିଜର କାର୍ଯ୍ୟଦକ୍ଷତା ପ୍ରମାଣ କରିଛି l
ସମୁଦ୍ର ମଝିରେ ବିପଦରେ ଜାହାଜ : ଉଦ୍ଧାର କଲା ପାରାଦୀପ ବନ୍ଦର !!!

