ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସମୟ ଅନୁଯାୟୀ ସହରର ଆୟତନ ବୃଦ୍ଧିପାଉଥିବା ବେଳେ ବାଣିଜ୍ୟ ବେପାର ନିମନ୍ତେ ଦୋକାନ ବଜାର ସଂଖ୍ୟା ମଧ୍ୟ ବୃଦ୍ଧିପାଇବାରେ ଲାଗିଛି। ହେଲେ ସହରର ଦୋକାନ ବଜାର ଉପରେ ନିର୍ଭର ରହୁଛନ୍ତି ଉଭୟ ଏନଏସି ଓ ପଞ୍ଚାୟତବାସି। ତେବେ ସହରରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ। ଏଠାରେ ଟ୍ରାଫିକ କଣ୍ଟ୍ରୋଲ ପାଇଁ ପୋଲିସ କୌଣସି ପଦକ୍ଷେପ ନେଉନାହିଁ। ସହରର କଲେଜ ଛକରୁ ପଲଟନ ପଡିଆ ଯାଏଁ ଅହରହ ଟ୍ରାଫିକ ସମସ୍ୟା ଲାଗିରହୁଛି। ଘଣ୍ଟା ଘଣ୍ଟା ଧରି ଜନସାଧାରଣଙ୍କୁ ତେଲ ପୋଡି ରାସ୍ତାରେ ଅପେକ୍ଷା କରିବାକୁ ପଡୁଛି।ତେବେ ଏହାକୁ ସରଳିକରଣ କରିବା ଦିଗରେ ପୋଲିସର ଉଦାସୀନତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି। ବୁଦ୍ଧିଜୀବୀମାନଙ୍କ ମତ ହେଲା କି ସହର ମଧ୍ୟରେ ଭାରୀଯାନ ଗୁଡିକର ପ୍ରବେଶ ପଥ ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ସାରଣୀ ସହ ଏନଏସି ର ବିଭିନ୍ନ ବଜାର ଅଞ୍ଚଳରେ ଗାଡ଼ି ପାର୍କିଂ ନିମନ୍ତେ ନିର୍ଦ୍ଦିଷ୍ଟ ସ୍ଥାନ ଚି଼ହ୍ନଟ କରୁ ପୋଲିସ। ଯାହାଦ୍ୱାରା ଉକ୍ତ ସମସ୍ୟାର ସମାଧାନ ହୋଇପାରିବ। ଅନୁରୂପ ଭାବେ ସହରରେ ଅମାନିଆ ଗାଡ଼ିଚାଳକଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଅନଭିଜ୍ଞ ବାଇକ ଚାଳକଙ୍କ ଲାଗି ସହରରେ ସଦାବେଳେ ଛୋଟ ବଡ଼ ଦୁର୍ଘଟଣା ଲାଗିରହୁଛି ଓ ଯାତାୟାତ କରୁଥିବା ଅନେକ ନିରୀହ ଲୋକ ନାନାଦି ପ୍ରକାରର ହଇରାଣ ହରକତ ହେଉଛନ୍ତି। ବାଇକ ଗୁଡିକରୁ ସାଇଲେନ୍ସର ପାଇପ କାଢି ବାଇକ ଚଲାଇବା ହେଉ ଅବା ବିକୃତ ହର୍ନ ଲଗାଇ ବାଇକ ଚଲାଇବା ହେଉ ସବୁଥିରେ ଉକ୍ତ ଅସାମାଜିକ ଯୁବକମାନେ ମାହିର। ସ୍କୁଲ ଓ କଲେଜ ଅଞ୍ଚଳରେ ବାଇକର ସର୍ବନିମ୍ନ ଗତି ୨୦ ଏବଂ ବଜାରରେ ୩୦ କିମି ପ୍ରତି ଘଣ୍ଟା ନିୟମ ରହିଥିବା ବେଳେ ବାଣପୁର ବଜାରରେ ଉକ୍ତ ଅମାନିଆଙ୍କ ଗାଡ଼ି ସ୍ପିଡ଼ ୬୦ ରୁ ଅଧିକ ରହୁଛି। ସେହିପରି ଯୁବତୀମାନଙ୍କୁ କେତେକ ରୋଡ଼ ରୋମିଓ ଅସଦାଚରଣ ଉଦ୍ଦେଶ୍ୟରେ ଏପରି ବାଇକ ଚଳାଉଥିବା ଦେଖିବାକୁ ମିଳୁଛି। ଏପରିକି ଖୋଦ ବାଣପୁର ଥାନା ଦେଇ ପ୍ରତିଦିନ ଏପରି ଅମାନିଆ ମାନେ ବୁଲୁଥିବା ବେଳେ ପୋଲିସ ନିଦାବିଷ୍ଣୁ ପାଲଟିଛି । ସହରର ଟ୍ରାଫିକ ବ୍ୟବସ୍ଥା ସଜାଡ଼ିବା ଏବଂ ଅମାନିଆ ଗାଡ଼ିଚାଳକଙ୍କୁ ସାବାଡ଼ କରିବା ବାଣପୁର ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ର ବିଷୟ ପାଲଟିଛି।
କୋମାରେ ବାଣପୁର ସହରର ଟ୍ରାଫିକ ବ୍ୟବସ୍ଥା : ବଢୁଛି ଅମାନିଆ ଗାଡ଼ି ଚାଳକଙ୍କ ପ୍ରାଦୁର୍ଭାବ !!!

