ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନୂଆବର୍ଷରେ ଘଟିଲା ଅଘଟଣ , ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଧାନ ଖଳାରେ ଦୁର୍ବୁତ୍ତ ମାନେ ନିଆଁ ଲଗେଇ ଦେବା ଦ୍ୱାରା ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ପୁଞ୍ଜିଆମା ଗ୍ରାମର ଏକ ଧାନ ଖଳାରେ ଗତକାଲି ରାତ୍ରିରେ ଦୁର୍ବୁତ୍ତ ମାନେ ନିଆଁ ଲଗାଇ ଦେଇଛନ୍ତି। ଯାହାଫଳରେ ଏକାଧିକ ଧାନଗଦା ଜଳିପୋଡି ପାଉଁଶ ହୋଇଯାଇଛି । ଖବର ପାଇ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଟିମ ସହ ସମ୍ପୃକ୍ତ ସ୍ଥାନରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଗ୍ରାମର ପ୍ରଫୁଲ୍ଲ ସାହୁ, ରାଧାମୋହନ ମିଶ୍ର ଏବଂ ବୁଲୁ ବାରିକଙ୍କ ଛଅ ଗୋଟି ଧାନ ଗଦା ପୋଡି ନଷ୍ଟ ହୋଇଯାଇଥିବାର କହିଛନ୍ତି ଅଗ୍ନିଶମ ଅଧିକାରୀ ଶ୍ରୀ ଦାସ । ଗୋଟେ ପକ୍ଷରେ ଲଘୁଚାପ ବର୍ଷା ଲାଗି ପୂର୍ବରୁ ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ପୁଣି ଏପରି ଅଘଟଣ ଲାଗି ବର୍ଷ ତମାମର ପରିଶ୍ରମର ଫସଲ ନଷ୍ଟ ହୋଯାଇଛି । ଏନେଇ ଗଣମାଧ୍ୟମ ସମ୍ମୁଖରେ ଚାଷୀ ପ୍ରଫୁଲ୍ଲ ସାହୁ କୋହଭରା କଣ୍ଠରେ କହିଛନ୍ତି । ଚାଷୀମାନେ ଅତ୍ୟନ୍ତ ଗରିବ ହୋଇଥିବା ବେଳେ ତାଙ୍କୁ ସରକାରୀ ସହାୟତା ପାଇଁ ସାଧାରଣରେ ଦାବି ହେଉଛି । ବାଣପୁର ତହସିଲଦାର ଏ ଦିଗରେ ଯଥାଶୀଘ୍ର ଦୃଷ୍ଟି ଦିଅନ୍ତୁ ବୋଲି ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ।
ଧାନ ଖଳାରେ ନିଆଁ ଲଗେଇଲେ ଦୁର୍ବୁତ୍ତ : ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ !!!

